ବୈଜୟନ୍ତଙ୍କ ଯୋଗଦାନ ଖବର ଶୁଣି ମୁଣ୍ଡ ଗୋଲ୍, ବାତିଲ ହେଲା ସବୁ କାର୍ଯ୍ୟକ୍ରମ

ଭୁବନେଶ୍ବର () ବିଜେପିରେ ବୈଜୟନ୍ତ ପଣ୍ଡା ଯୋଗ ଦେବେ, ଏକଥା ରାଜ୍ୟ ଶାଖାର ମଙ୍ଗ ଧରିଥିବା ତଥା ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୋଧହୁଏ ଜଣାନଥିଲା । ତେଣୁ ଖବର ପାଇ ଓଡିଶାରେ ସବୁ କାର୍ଯ୍ୟକ୍ରମ ବାତିଲ କରି ମଧ୍ୟାହ୍ନରେ ତରବରିଆ ଭାବେ ଦିଲ୍ଲୀ ଦୌଡିଲେ । ଆଉ ସେଠାରେ ବୈଜୟନ୍ତଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ଭାଗ ନେଲେ ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଧର୍ମେନ୍ଦ୍ର ପ୍ରଧାନ ଦେବଗଡରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ଦେବଗଡ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବଣିଆସାହି ପ୍ରାଥମିକ ବିଦ୍ୟାଳୟର ବିକାଶକାର୍ଯ୍ୟର ଉଦଘାଟନ, ଦେବଗଡ ପୁରୁଣାଗଡରେ ସର୍ବସାଧାରଣ ପାର୍କର ଉଦଘାଟନ, ଆଡାସଠାରେ ଦେବଗଡ ପଂଚାୟତ ହାଇସ୍କୁଲର ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଆଦି କାର୍ଯ୍ୟକ୍ରମ ରହିଥିଲା । ଏହିସବୁ କାର୍ଯ୍ୟକ୍ରମରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନା, ବିଜେପି ବିଧାୟକ ନିତେଶ ଗଙ୍ଗଦେବ ଏବଂ ବିଜେପି ନେତା ସୁରେଶ ପୂଜାରୀ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ଏହାସହ ଭାରତୀୟ ତୈଳ ନିଗମ ଦ୍ବାରା ଦେବଗଡ ସହରରେ ପ୍ରସ୍ତାବିତ ସାଂସ୍କୃତିକ ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନର ମଧ୍ୟ କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ ହୋଇଥିଲା । ଚର୍ଚ୍ଚା ହେଉଛି ଏହି କାର୍ଯ୍ୟକ୍ରମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିରାଟ ଆୟୋଜନ କରାଯାଇଥିଲା ।

ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବେ ବୋଲି ଦୁଇ ଦିନ ଧରି ଗଣମାଧ୍ୟମ ଏବଂ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି । କିନ୍ତୁ ଦଳ କି ନିଜେ ବୈଜୟନ୍ତ ବୋଧହୁଏ ଧର୍ମେନ୍ଦ୍ରଙ୍କ ଏ ସୂଚନା ଦେଇନଥିଲେ । କାରଣ ବିଜେପିରେ ମିଶିବା ପାଇଁ ବୈଜୟନ୍ତ ଗତକାଲିଠାରୁ ଦିଲ୍ଲୀ ପହଁଚିଯାଇଥିଲେ । ଚର୍ଚ୍ଚା ହେଉଛି ଏବାବଦରେ ଅଜ୍ଞ ଧର୍ମେନ୍ଦ୍ର ପ୍ରଧାନ ଶେଷ ମୁହୂର୍ତ୍ତରେ ଖବର ପାଇ ତରବରିଆ ଭାବେ ଦିଲ୍ଲୀ ପହଁଚିଥିଲେ, କାଳେ ବାହାରକୁ ଆଉ କିଛି ବାର୍ତ୍ତା ଚାଲିଯିବ । ତେଣୁ ବୈଜୟନ୍ତ ବିଜେପିରେ ମିଶିବା ଏବଂ ଧର୍ମେନ୍ଦ୍ରଙ୍କୁ ଖବର ଦିଆନଯିବା, ଯଦି ଏହା ସତ୍ୟ ହୋଇଥାଏ, ତେବେ ତାକୁ ନେଇ ରାଜନୈତିକ ସମୀକ୍ଷକଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ ।

Share

Leave a Reply

Your email address will not be published. Required fields are marked *

9 − 7 =