ପ୍ରତିଶୃତି ପାଳନର ହିସାବ ଦେଲା ବିଜେଡି

ଗଣତନ୍ତ୍ର ଶବ୍ଦକୋଷରେ ବିରୋଧୀ ଯୋଡିଲେ ନୂଆ ଶବ୍ଦ ‘ଜୁମଲା’

ଭୁବନେଶ୍ବର () 2000 ମସିହାରୁ ରାଜ୍ୟରେ ସରକାରରେ ଥିବା ବିଜୁ ଜନତା ଦଳ ବିଭିନ୍ନ କ୍ଷେତ୍ରରେ ବିଫଳ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । ରାଜ୍ୟରେ କୃଷିରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁଠି ସରକାର ବିଫଳ ବୋଲି ଆକ୍ଷେପ କରୁଛନ୍ତି । ବିରୋଧୀ ଦଳର ଏସବୁ ଆକ୍ଷେପର ଜବାବ ଦେବାକୁ ଯାଇ ବିଜେଡି ଆଜି 2014 ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପାଳନର ପୂର୍ଣ୍ଣାଙ୍ଗ ହିସାବ ଦେଇଛି । ଏଥିସହିତ ବିରୋଧୀ ଦଳ ପ୍ରତିଶୃତି ପାଳନ ନାଁରେ ଜୁମଲା ଦେଖାଉଥିବା ଅଭିଯୋଗ କରିଛି ।

2000 ମସିହାରୁ ଶାସନରେ ଥିବା ବିଜେଡି ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହ ରାଜ୍ୟର ସ୍ବାଭିମାନ ଓ ସମ୍ମାନକୁ ଅଗ୍ରାଧିକାର ଦେଇଛି । ସେଥିପାଇଁ ଲୋକଙ୍କ ମଧ୍ୟରେ ଦଳର ଗ୍ରହଣୀୟତା ବୃଦ୍ଧି ପାଉଛି, ଯାହା ଏକ ଆଞ୍ଚଳିକ ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସଂପାଦକ ଡକ୍ଟର ଅରୁଣ ସାହୁ କହିଛନ୍ତି । ସେ କହିଛନ୍ତି ଯେ, ଲୋକମତ ଆଧାରରେ ବିଜେଡି ତାର ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଏ ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ସବୁ ପ୍ରକାରେ ଉଦ୍ୟମ କରିଥାଏ । ଅନେକ ଦଳ ନିର୍ବାଚନ ପୂର୍ବରୁ ଇସ୍ତାହାର ପ୍ରକାଶ କରିଥାନ୍ତି, କନ୍ତୁ ନିର୍ବାଚନ ପରେ ତାର ପ୍ରାସଙ୍ଗିକତା ନଥାଏ । ଏହା କେବଳ ଏକ ପ୍ରତିଶୃତି ପୁସ୍ତିକାରେ ବ୍ୟବାହର ହୋଇଥାଏ । କିନ୍ତୁ ବିଜେଡି କେବଳ ପ୍ରତିଶୃତି ଦେଉଥିବା ରାଜନୈତିକ ଦଳ ନୁହେଁ, ତେଣୁ ଏକ୍ଷେତ୍ରରେ ବିଜେଡିର ସ୍ବାତନ୍ତ୍ରତା ରହିଛି ବୋଲି ସେ କହିଛନ୍ତି ।

2014 ସାଧାରଣ ନିର୍ବାଚନ ସମୟରେ ଦଳ ଯେଉଁ ପ୍ରତିଶୃତି ଦେଇଥିଲା, ନିବନିର୍ବାଚିତ ସରକାର ଗଠନ ହେବାର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ତାକୁ ସଂକଳ୍ପ ଭାବେ ଗ୍ରହଣ କରି ସମଗ୍ର ଦେଶରେ ଉଦାହାରଣ ସୃଷ୍ଟି କରିଥିଲା । ତା ପରଠାରୁ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତିଗୁଡିକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଇଛି । ଏହାକୁ ବିରୋଧୀ ଓ ସାଧାରଣ ଲୋକେ ମର୍ମେ ମର୍ମେ ଅନୁଭବ କରିଥିବା ସେ ଦାବି କରିଛନ୍ତି ।

ପ୍ରତିଶୃତି ପାଳନର ହିସାବ ଦେବାକୁ ଯାଇ ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବାରମ୍ବାର ଘାତ ପ୍ରତିଘାତ ଏବଂ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଓଡିଶା ବିକାଶ ପଥରେ ଆଗେଇ ନେଇଛି ବିଜେଡି, ଯେଉଁଠି ଓଡିଆ ଭାବେ କେବଳ ଭାରତରେ ନୁହେଁ ବିଶ୍ବ ଦରବାରରେ ଆପଣ ଗର୍ବ ଅନୁଭବ କରିବେ । ଏହି ରାଜ୍ୟର କୃଷକଙ୍କୁ ମିଳିଛି କୃଷି କର୍ମଣ ପୁରସ୍କାର, ରାଜ୍ୟର ଯୁବକଙ୍କୁ କାର୍ଯ୍ୟ କୁଶଳତା ଏବଂ ଦକ୍ଷତା ପାଇଁ ଦେଶରେ ମିଳିଛି ଦ୍ବିତୀୟ ସ୍ଥାନ, ଯୁବ ଶିଳ୍ପଦ୍ୟୋଗୀଙ୍କୁ ମିଳିଛି ପ୍ରଥମ ସ୍ଥାନ, ରପ୍ତାନୀକୁ ମିଳିଛି ଚମ୍ପିଆନ ଆକ୍ଷ୍ୟା । ଓଡିଶା ସେହି ରାଜ୍ୟ ଯେଉଁଠି ବିଶ୍ବକପ ହକି ଅନୁଷ୍ଠିତ ହୋଇଥିଲା, ଯେଉଁଠି ଏସିଆନ ଆଥଲେଟିକ୍ସ ଆୟୋଜିତ ହୋଇଥିଲା । ଓଡିଶା ସେହି ରାଜ୍ୟ ଯେଉଁଠି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଦକ୍ଷତା ପାଇଁ ବିଶ୍ବ ଦରବାରରୁ ମିଳିଛି ପ୍ରଶଂସା ।

ପ୍ରତିଶୃତି ମୁତାବକ କୃଷି ଋଣରେ ସୁଧା ହାର ଶୂନ ପ୍ରତିଶତକୁ ହ୍ରାସ କରାଯାଇଛି । ଚାଷୀଙ୍କୁ 50 ହଜାର ପର୍ଯ୍ୟନ୍ତ ଋଣରେ ସୁଧ ଦେବାକୁ ପଡିବ ନାହିଁ । 5 ବର୍ଷରେ ଅଧିକ 10 ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ପ୍ରତିଶୃତି ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଦିଆଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ହେବ । ଏହି ପ୍ରତିଶୃତି ବାହାରେ, ଯେହେତୁ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରିଲେ ନାହିଁ, ତେଣୁ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ କରିଛନ୍ତି । ସ୍ବାସ୍ଥ୍ୟ ସେବାରେ ସେହିଭଳି ନିରାମୟ ଅଭିଯାନ ମାଧ୍ୟମରେ ସବୁ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଦିଆଯାଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶରେ ଏକ ଉଦାହାରଣ ହୋଇଛି । ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଯାଇଛି । ଏଥିସହିତ ସମସ୍ତ ଗରିବ ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ମହିଳାଙ୍କ କ୍ଷେତ୍ରରେ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ଦିଆଯାଉଛି ବୋଲି ସେ କହିଥିଲେ ।

ସେହିଭଳି ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଗତ 5 ବର୍ଷରେ 20 ଲକ୍ଷ ପକ୍କା ଘର ଦିଆଯାଇଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଗରିବଙ୍କୁ ଜମି ଦିଆଯାଇଛି । ସହରରେ ରହୁଥିବା ଗରିବଙ୍କୁ ଜାଗା ମିଶନ ଜରିଆରେ ଘର ଡିହ ଯୋଗାଇ ଦିଆଯାଉଛି । ଖାଦ୍ୟ ସୁରକ୍ଷାରେ ସେହିଭଳି ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ କେନ୍ଦ୍ରୀୟ ତାଲିକାରୁ ବାଦ ପଡିଥିବା 25ଲକ୍ଷ ହିତାଧିକାରୀଙ୍କ ପାଇଁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟରେ ମଡେଲ ସ୍କୁଲ ପ୍ରତିଷ୍ଠା କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ଖୁବଶୀଘ୍ର ସବୁ ବ୍ଲକରେ ମଡେଲ ସ୍କୁଲ ହେବ । ଚାଷୀ ପିଲାଙ୍କ ବୃତ୍ତିଗତ ଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ଆରମ୍ଭ ହୋଇଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଋଣରେ ସୁଧ ହାର ହ୍ରାସ କରାଯାଇଛି । ସେହିପରି ମହିଳା ସଶକ୍ତିକରଣରେ ରାଜ୍ୟର 70 ଲକ୍ଷ ମହିଳାଙ୍କୁ ମିଶନ ଶକ୍ତିରେ ସାମିଲ କରାଯାଇଥିବା ବେଳେ ପଂଚାୟତ ଓ ପୌର ସଂସ୍ଥାରେ 50 ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଭିଯାନର ବିଜେଡି ନେତୃତ୍ବ ନେଉଛି । ଶିଳ୍ପ କ୍ଷେତ୍ରରେ ମଧ୍ୟ ମେକ ଇନ ଓଡିଶା ଜରିଆରେ ଗତ 5 ବର୍ଷରେ 7ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ପୁଂଜନିବେଶ ପ୍ରସ୍ତାବ ଆସିଛି । ଏହିସବୁ ଯୋଜନା କାର୍ଯ୍ୟକ୍ଷମ ହେଲେ 8 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ ।

ସେପଟେ ବିରୋଧୀ କିନ୍ତୁ ପ୍ରତିଶୃତି ଦେଉ ପରେ କହୁଛନ୍ତି ତାହା ଏକ ଜୁମଲା ଥିଲା । ବିରୋଧୀ ଦେଶର ଗଣତନ୍ତ୍ର ଡିକ୍ସନାରୀରେ ନୂଆ ଶବ୍ଦ ଜୁମଲାକୁ ଜୋଡିଛନ୍ତି । ବିଜେଡି କିନ୍ତୁ ଜୁମଲା ଦେଖାଏନି, ଦେଇଥିବା ପ୍ରତିଶୃତି ପାଳନରେ ବିଶ୍ବାସ କରେ ।

Share

Leave a Reply

Your email address will not be published. Required fields are marked *

one × five =