ଭୁଆଁ ବୁଲାଉଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ: ପ୍ରତାପ ଜେନା

ଭୁବନେଶ୍ବର () :  ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଯୋଗୁ ରାଜ୍ୟର କୌଣସି କ୍ଷତି ହେଉନାହିଁ ବୋଲି ଦେଇଥିବା ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ । ସେ ଅଭ୍ୟାସଗତ ଭାବେ ଜଣେ ମିଛୁଆ ବୋଲି ତାଙ୍କର ଏହି ବକ୍ତବ୍ୟରୁ ପ୍ରମାଣିତ ହେଉଛି । ବାସ୍ତବରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ୍‍ ଅନୁଯାୟୀ ୨୦୧୫ରୁ ୨୦୨୦ ଅବଧି ମଧ୍ୟରେ ରାଜ୍ୟକୁ ୨୬,୩୪୨ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ।

ସେ କହିଛନ୍ତି ଯେ, ଯଦି ଅର୍ଥନୀତି ଉପରେ ତାଙ୍କର ସାମାନ୍ୟତମ ଜ୍ଞାନ ଥାଆନ୍ତା, ତେବେ ସେ ବୁଝିପାରନ୍ତେ ଯେ ଯେତେବେଳେ ଭାରତବର୍ଷର ଅଭିବୃଦ୍ଧି ହାର ହ୍ରାସ ପାଇଛି ଏବଂ କୃଷି ଠାରୁ ଆରମ୍ଭ କରି ଶିଳ୍ପ ଜଗତରେ ଏକ ସ୍ଥାଣୁତା ଦେଖାଦେଇଛି, ସେତେବେଳେ ତା’ର ସିଧାସଳଖ ପ୍ରଭାବ ଟିକସ ଉପରେ ପଡିଛି । ଅଭିବୃଦ୍ଧି ହ୍ରାସ ପାଇଲେ ଟିକସ ହ୍ରାସ ପାଏ । ଯଦି ଶ୍ରୀ ପ୍ରଧାନ ଏ ଦିଗରେ ଅଜ୍ଞ, ତେବେ ଦିଲ୍ଲୀସ୍ଥିତ ଅର୍ଥନୀତିଜ୍ଞମାନଙ୍କ ପରାମର୍ଶ ନିଅନ୍ତୁ । ଭାରତବର୍ଷରେ ଟିକସ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଯେଉଁ ରାଜସ୍ବ ଟିକସ ଯୋଗୁ ସରକାରଙ୍କୁ ମିଳିଥାନ୍ତା, ତାହା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି, ଯାହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡିଛି ଏବଂ ଏଥିପାଇଁ ୨୬୩୪୨ କୋଟି ଟଙ୍କା କ୍ଷତି ରାଜ୍ୟକୁ ସହିବାକୁ ପଡୁଛି । ଏହାକୁ ଅସ୍ବୀକାର କରିବା ଅର୍ଥାତ୍‍ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ବିକାଶ ଓ ପ୍ରଗତି ନ ଚାହିଁ, ନିଜର ଶସ୍ତା ରାଜନୀତିକୁ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି ।

କାଳିଆ ଯୋଜନା ବାବଦରେ ଭାରତବର୍ଷର ପ୍ରମୁଖ ଅର୍ଥନୀତିଜ୍ଞ ଓ କୃଷି ବିଶେଷଜ୍ଞମାନେ ପ୍ରଶଂସା କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏହାକୁ କଟାକ୍ଷ କରିବା ତାଙ୍କର ଅସହିଷ୍ଣୁତାକୁ ପରିପ୍ରକାଶ କରୁଛି । କେନ୍ଦ୍ର ସରକାର କାଳିଆ ଯୋଜନାର ଅନୁକରଣ କରି ଏକ ଯୋଜନା ଗତକାଲି ତାଙ୍କର କାମଚଳା ବଜେଟ୍‍ରେ ଆଣିଥିଲେ, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ । କାଳିଆ ଯୋଜନାରେ ଓଡ଼ିଶାର ୯୨% ଚାଷୀ ଉପକୃତ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ କିଷାନ ଯୋଜନା ରାଜ୍ୟର ଅତିକମ୍‍ ସଂଖ୍ୟକ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ । କାଳିଆ ଯୋଜନାରେ ପ୍ରତ୍ୟେକ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କ ପାଇଁ ୩ବର୍ଷରେ ୨୫ ହଜାର ଟଙ୍କା ଥିଲାବେଳେ କେନ୍ଦ୍ରର କିଷାନ ଯୋଜନାରେ ବାର୍ଷିକ କେବଳ ୬ ହଜାର ଟଙ୍କା, ତାହାପୁଣି ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ଭାଗଚାଷୀ କିମ୍ବା ନାମମାତ୍ର ଚାଷୀ ଉପକୃତ ହୋଇପାରିବେ ନାହିଁ ବୋଲି ପ୍ରତାପ ଜେନା କହିଛନ୍ତି ।

କାଳିଆ ଯୋଜନାରେ ଭୂମିହୀନ କୃଷି ଶ୍ରମିକ ଓ ଭୂମିହୀନ ଚାଷୀଙ୍କ ପାଇଁ ବାର୍ଷିକ ୧୨,୫୦୦ ଟଙ୍କା ସହାୟତା ରାଶି ବିଭିନ୍ନ କୃଷି ସମ୍ବନ୍ଧୀୟ କାର୍ଯ୍ୟ କରିବା ପାଇଁ ଦିଆଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ ଏହାର ସ୍ଥାନ ହିଁ ନାହିଁ । କାଳିଆ ଯୋଜନାରେ ବୃଦ୍ଧାବସ୍ଥା, ସ୍ୱାସ୍ଥ୍ୟଜନିତ କିମ୍ବା ଦୁର୍ଘଟଣା ଜନିତ କୌଣସି ସମସ୍ୟା ଯୋଗୁ ଯଦି ଚାଷୀ ନିଜ ଚାଷକାର୍ଯ୍ୟ କରିବା ପାଇଁ ଅସମର୍ଥ ହୁଅନ୍ତି, ତେବେ ପରିବାର ପିଛା ବାର୍ଷିକ ୧୦ ହଜାର ଟଙ୍କା ଦେବାର ସୁବିଧା ଥିଲାବେଳେ କେନ୍ଦ୍ର ସରକାରଙ୍କ ଯୋଜନାରେ ଏଭଳି କୌଣସି ବ୍ୟବସ୍ଥା ନାହିଁ । କାଳିଆ ଯୋଜନାରେ ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଚାଷୀଙ୍କୁ ଦିଆଯାଉଥିବା ବେଳେ ସେ ପ୍ରକାର କୌଣସି ସୁବିଧା କିଷାନ ଯୋଜନାରେ ନାହିଁ । ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କାଳିଆ ଯୋଜନା ବଦ୍ଧପରିକର ଥିଲାବେଳେ କିଷାନ ଯୋଜନା ଅତ୍ୟନ୍ତ ନୈରାଶ୍ୟଜନକ ଓ ଚାଷୀମାନଙ୍କ ବିଶେଷ ହିତରେ ଲାଗିବ ନାହିଁ ।

ରେଳବାଇ କ୍ଷେତ୍ରରେ ୭ ହଜାର କୋଟି ଟଙ୍କାର ବ୍ୟୟବରାଦ ଯୋଗୁ ଓଡ଼ିଶାରେ ରେଳବାଇର ବିକାଶ ହେବ ବୋଲି ଶ୍ରୀ ପ୍ରଧାନଙ୍କ ବକ୍ତବ୍ୟ, ତଥ୍ୟ ଓ ସତ୍ୟ ଉପରେ ଆଧାରିତ ନୁହେଁ । ୭ ହଜାର କୋଟି ଟଙ୍କାର ବ୍ୟୟବରାଦ କେବଳ ଓଡ଼ିଶା ନୁହେଁ, ସଂପୂର୍ଣ୍ଣ ଇଷ୍ଟକୋଷ୍ଟ ରେଳବାଇ ବିଭାଗ ପାଇଁ ଉଦ୍ଦିଷ୍ଟ, ଯେଉଁଥିରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ମଧ୍ୟ ସାମିଲ ଅଛନ୍ତି । ଗତବର୍ଷ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ ଇଷ୍ଟକୋଷ୍ଟ ରେଳବାଇ କ୍ଷେତ୍ରରେ ହୋଇଥିଲେ ହେଁ ତନ୍ମଧ୍ୟରୁ ୨ ହଜାର କୋଟି ଟଙ୍କା କେବଳ ଖର୍ଚ୍ଚ ହୋଇପାରିଥିଲା । ଏହି ବଜେଟ୍‍ରେ ମଧ୍ୟ ପ୍ରକଳ୍ପ ପାଇଁ ୭ ହଜାର କୋଟି ଟଙ୍କା ମଧ୍ୟରୁ କେବଳ ୨୫୦୦ କୋଟି ହିଁ ନିର୍ଦ୍ଧାରିତ କରାଯାଇଛି ବୋଲି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

6 + three =