‘ଅଟଳ ପେନସନ୍ ଯୋଜନା’ର ଛାୟା ବିଜ୍ଞାପନ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର (): ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ‘ଅଟଳ ପେନସନ୍ ଯୋଜନା’କୁ ପ୍ରଚାରର ଅସ୍ତ୍ର କରିଛି ବିଜେପି । ଟିଭି ଚାନେଲରେ ଛାୟା ବିଜ୍ଞାପନ ଜରିଆରେ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବା ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜଣାଇଛନ୍ତି ବିଜେଡ଼ି ପ୍ରତିନିଧି ଦଳ । ପ୍ରମାଣସ୍ୱରୂପ ପେନ୍ ଡ୍ରାଇଭରେ ଏକ ଭିଡ଼ିଓ କ୍ଲିପ୍ ପ୍ରଦାନ କରାଯାଇଛି ।

ଗତ ୨୬ ତାରିଖରେ ଜୀ ଟିଭିର ‘ଆପ୍ କେ ଆଜାନେ ସେ’ ସିରିୟଲ୍ ପ୍ରସାରଣ ବେଳେ ଦୁଇ ମିନିଟର ଏକ ଛାୟା ବିଜ୍ଞାପନ ପ୍ରଦର୍ଶନ କରାଯାଇଥିଲା । ସେଥିରେ ଅଭିନୟ କରୁଥିବା ଚରିତ୍ରମାନେ ‘ଅଟଳ ପେନସନ୍ ଯୋଜନା’ର ଉପକାରିତା ସମ୍ପର୍କରେ ଦର୍ଶକଙ୍କୁ ବଖାଣୁଛନ୍ତି । ଏହା କେବଳ ଓଡ଼ିଶାରେ ସୀମାବଦ୍ଧ ନାହିଁ, ସାରା ଭାରତବର୍ଷରେ ଏହି ଛାୟା ବିଜ୍ଞାପନ ପ୍ରଦର୍ଶିତ ହୋଇଛି । ଉକ୍ତ ଭିଡ଼ିଓ କ୍ଲିପରୁ ସ୍ପଷ୍ଟ ହେଉଛି ଯେ ବିଜେପି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରାଇବା ଭଳି ମନ୍ଦ ଉଦ୍ଦେଶ୍ୟରେ ଏହା ପ୍ରସ୍ତୁତ କରାଯାଇଛି ।  ସୁତରାଂ ‘ଅଟଳ ପେନସନ୍ ଯୋଜନା’ ପଛରେ ପଡ଼ି ବିଜେପି ଛାୟା ବିଜ୍ଞାପନର ଆଶ୍ରୟ ନେଇଛି ଯାହା ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନ କରୁଛି । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ନୀତି ଓ ଆଦର୍ଶକୁ ବିଜେପି ଖୋଲାଖୋଲି ଦଳିଚକଟି ଦେଉଛି ବୋଲି ବିଜେଡ଼ି ପକ୍ଷରୁ ଦର୍ଶାଯାଇଛି ।

ବିଜେପିର ଏଭଳି କାର୍ଯ୍ୟକ୍ରମ ଉପରେ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଜେପିକୁ ଛାୟା ପ୍ରଚାରରେ ସହଯୋଗ କରୁଥିବା ଟିଭି ଚାନେଲ୍ ଉପରେ କଟକଣା ଲଗାଇବାକୁ ବିଜେଡ଼ି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବିଜେଡ଼ି ପ୍ରତିନିଧି ଦଳରେ ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ଶ୍ରୀମତୀ ସୁଲୋଚନା ଦାସ ସାମିଲ ଥିଲେ ।

Share

Leave a Reply

Your email address will not be published. Required fields are marked *

5 − 3 =