2019 ଲଢେଇ : କେନ୍ଦ୍ରରେ ‘କିଙ୍ଗ ମେକର’ ହୋଇପାରନ୍ତି ନବୀନ

ଭୁବନେଶ୍ବର () ଆସନ୍ତା ସାଧାରଣ ନିର୍ବାଚନ ଲଢେଇରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ଶକ୍ତି ଆକଳନ ପାଇଁ ସବୁକିଛି ବାଜିରେ ଲଗାଇ ଦେଇଛନ୍ତି । ନବୀନ ପଟ୍ଟନାୟକ 5 ଥର ପାଇଁ ମୁଖ୍ୟମନ୍ତ୍ରୀ ଦୌଡରେ ସଫଳତା ପାଇଲେ, ସେ କେବଳ ନୂଆ ଇତିହାସ ରଚିବେ ନାହିଁ, ସାଂପ୍ରତିକ ରାଜନୈତିକ ଦୃଶ୍ୟପଟରେ କେନ୍ଦ୍ରରେ କିଙ୍ଗ ମେକରର ଭୁମିକା ମଧ୍ୟ ତୁଲାଇବେ ବୋଲି ଆକଳନ କରାଯାଉଛି ।

2017 ପଂଚାୟତ ନିର୍ବାଚନରେ କିଛିଟା ଅଧିକ ଜିଲ୍ଲା ପରିଷଦ ଆସନ ଦଖଲ କରି ମିଶନ 120 ପ୍ଲସର ଲକ୍ଷ ନେଇ ଲଢେଇ କରୁଥିବା ବିଜେପି ଗୋଟେ ପାଦ ଆଗକୁ ମାଡିଲେ, ଦୁଇପାଦ ପଛକୁ ଫେରୁଛି । ଯଦିଓ ପଂଚାୟତ ନିର୍ବାଚନରେ ପୂର୍ବ ଅପେକ୍ଷା ଅପେକ୍ଷାକୃତ ଅଧିକ ଆସନ ପାଇଛି, ବିଜେପି ଏବେ ବି ଲୋକଙ୍କ ପାଖରେ ପହଁଚିପାରିନି କି ଭାବାବେଗକୁ ଛୁଇଁ ପାରିନି । ଦଳ ମଧ୍ୟରେ କ୍ଷମତା କନ୍ଦଳ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବ ଲଢେଇ ଏବଂ ସ୍ଥିର ରାଜନୈତିକ ନୈତିକତାର ଅଭାବ ଦଳ ପାଇଁ ଭାରି ପଡିବ ।

ସେହିଭଳି ରାଜ୍ୟ କଂଗ୍ରେସ ଛତିଶଗଡ ଫଳାଫଳ ପ୍ରତିଫଳନର ସ୍ବପ୍ନ ନେଇ ମୈଦାନକୁ ଓହ୍ଲାଇଥିଲେ ବି ପୁଳାପୁଳା ବରିଷ୍ଠ ନେତା ଦଳ ଛାଡିବା ପ୍ରମାଣିତ କରୁଛି ଯେ, ନେତାଙ୍କର ନେତୃତ୍ବ ଉପରେ ଭରଷା ନାହିଁ କି ଲୋକେ କଂଗ୍ରେସକୁ ବିଶ୍ବାସକୁ ନେଉନାହାଁନ୍ତି । ଯେଉଁଥିପାଇଁ ନିଜର ରାଜନୈତିକ ଭବିଷ୍ୟତ ପାଇଁ ସେମାନେ କଂଗ୍ରେସ ଛାଡି ବିଜେଡିକୁ ଲମ୍ଫ ଦେଉଛନ୍ତି । ଏଥିସହିତ ରାଜ୍ୟ କଂଗ୍ରେସ ଓଡିଶାରେ ନିଜର ପାରମ୍ପାରିକ 35 ପ୍ରତିଶତ ଭୋଟକୁ ଏଭିତରେ ହରେଇ ସାରିଲାଣି ।

2000 ମସିହାରୁ କ୍ରମାଗତ ଭାବେ ରାଜ୍ୟରେ କ୍ଷମତାସୀନ ଥିବା ବିଜେଡି ଏଥର ମଧ୍ୟ ଏକ ସହଜ ବିଜୟ ସମ୍ଭାବନାରେ ରହିଛି । କାରଣ ପ୍ରତି ନିର୍ବାଚନରେ ବିଜେଡିର ଭୋଟ ହାର ବଢୁଛି ସିନା ଛିଣ୍ଡୁନାହିଁ । ଏବେ ବିଧାନସଭାରେ ବିଜେଡିର 117 ଜଣ ବିଧାୟକ ଏବଂ ଲୋକସଭାରେ 21ରୁ 20ଟି ଆସନ ବିଜେଡି ଦଖଲରେ ଥିବା ବେଳେ 2019ରେ ତାଠାରୁ ଅଧିକ ଆସନ ପାଇବା ଲକ୍ଷରେ ରଣନୀତିରେ ରହିଛନ୍ତି ବିଜେଡି ନେତୃତ୍ବ । ବର୍ତ୍ତମାନର ସଂଖ୍ୟାଠାରୁ କମ ଆସନରେ ଜିତି ସରକାର ଗଠନ କଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ପ୍ରମାଣିତ ହେବ । ତେବେ ରାଜନୈତିକ ପଣ୍ଡିତଙ୍କ ଆକଳନରେ ନବୀନ ପ୍ରତିଥର କିଛି ନା କିଛି କରିସ୍ମା ଦେଖାନ୍ତି, ଯାହା ତାଙ୍କ ବିଜୟ ସମ୍ଭାବନାକୁ ଅଧିକ ଦୃଢିଭୁତ କରିଥାଏ ।

ବିଜେପି ଗତ ପଂଚାୟତ ନିର୍ବାଚନର ସଫଳତା ପରେ ରାଜ୍ୟରେ ଅଧିକ ସକ୍ରିୟ ହୋଇଥିଲେ ବି ବିଜେଡି ସମକକ୍ଷ ହୋଇପାରିବନି ବୋଲି ଦାବି କରିଛନ୍ତି ବିଜେଡି ସାଂସଦ ପ୍ରତାପ କେଶରୀ ଦେବ । ସେ କହିଛନ୍ତି ଯେ, ବିଜେଡି ସରକାର ଲୋକଙ୍କ ସହ ରହିଛି ଏବଂ ଲୋକଙ୍କ ଅର୍ଥନୈତିକ ଓ ସାମିଜକ ବିକାଶ ପାଇଁ କାମ କରୁଛି । ଲୋକଙ୍କର ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଆଶା ଭରସା ରହିଛି । ତେଣୁ 2014 ତୁଳନାରେ 2019ରେ ବିଜେଡି ଅଧିକ ଆସନ ଦଖଲ କରିବ ବୋଲି ସେ କହିଛନ୍ତି ।

ଏଥିସହିତ ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ଯେ, ଆଗାମୀ ଭବିଷ୍ୟତ ପାଇଁ ନବୀନଙ୍କ ହାତରେ ରହିଛି ଏକ ମହତ୍ବପୂର୍ଣ୍ଣ ଚାବି । ଏହି ଚାବି ହିଁ ତାଙ୍କୁ କେନ୍ଦ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାରେ ସହଯୋଗ କରିବ । ରାଜ୍ୟର ସ୍ବାର୍ଥ୍ୟ ପାଇଁ ଏହି ଚାବିକୁ ସେ ସମୟରେ ସେ ବ୍ୟବହାର କରିବେ । ନିକଟରେ ଅନୁଷ୍ଠିତ କିଛି ରାଜ୍ୟର ନିର୍ବାଚନ ଫଳାଫଳ କହୁଛି, ବିଜେପି ଜାତୀୟ ସ୍ତରରେ ନିଜର ପତିଆରା ହରାଉଛି ଆଉ କଂଗ୍ରେସ ସ୍ପଷ୍ଟ ବହୁମତ ପାଇପାରିବ ନାହିଁ । ଏଭଳିସ୍ଥିତିରେ ନବୀନ ପଟ୍ଟନାୟକ କେନ୍ଦ୍ରରେ ସରକାର ଗଠନର କିଙ୍ଗ ମେକର ସାଜି ପାରନ୍ତି ।

Share

Leave a Reply

Your email address will not be published. Required fields are marked *

12 + 7 =