ବୈଜୟନ୍ତଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ବିଜୟଙ୍କ ଭାଗ୍ୟ … କାହିଁକି ପଢନ୍ତୁ

ଭୁବନେଶ୍ବର () ବିଜେଡିରୁ ବିତାଡିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ନିଷ୍ପତ୍ତି ଉପରେ ନିର୍ଭର କରୁଛି ବିଜୟ ମହାପାତ୍ରଙ୍କ ଭବିଷ୍ୟତ । ସେ ପର୍ଯ୍ୟନ୍ତ ବିଜୟଙ୍କ ଭାଗ୍ୟ ଝୁଲୁଛି କହିଲେ ଭୁଲ ହେବନି । ଯେ ପର୍ଯ୍ୟନ୍ତ ବୈଜୟନ୍ତ ନିଜର ରାଜନୈତିକ ଦୀଗ ସ୍ପଷ୍ଟ କରିନାହାଁନ୍ତି ସେ ଯାଏଁ ବିଜେଡିର ଦୁଆର ମଧ୍ୟ ବିଜୟଙ୍କ ପାଇଁ ଖୋଲିବ ନାହିଁ ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟ ରାଜନୀତିରେ ଅପରାଜିତା ବନାମ ଧର୍ମେନ୍ଦ୍ର ପ୍ରସଙ୍ଗ ପରେ ଯଦି ସବୁଠାରୁ ଅଧିକ ଚର୍ଚ୍ଚିତ କୌଣସ ପ୍ରସଙ୍ଗ ଥାଏ ତେବେ ତାହା ହେଉଛି ବିଜୟ ମହାପାତ୍ରଙ୍କ ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି । ବିଜେପିରୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଇସ୍ତଫା ଦେବା ପରେ ଏହି ଦୁଇ ନେତାଙ୍କ ରଣନୀତିକୁ ନେଇ ସବୁ ମହଲରେ କଳ୍ପନା ଜଳ୍ପନା ଚାଲିଛି । କିଏ କହୁଛି ସେ ବିଜେଡିରେ ମିଶିବେ, କିଏ କହୁଛି ସେ ଦାମ ରାଉତଙ୍କ ସଭାପତିତ୍ବରେ ବିଜୁ ସମତାକ୍ରାନ୍ତି ଦଳରେ ସାମିଲ ହେବ, ତ ଆଉ କିଏ କହୁଛି ସେ ପୁଣି ଥରେ ନିଜସ୍ବ ରଜନୈତିକ ଦଳ ବା ସମୁଖ୍ୟ ଗଠନ କରିବେ । ଏପରିକି ସେ କଂଗ୍ରେସ ଆଡେ ମଧ୍ୟ ଆକର୍ଷିତ ହେଉଥିବା କଥା ଚର୍ଚ୍ଚା ହେଉଛି । କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି, ସେ କୁଆଡେ ବିଜେଡିରେ ମିଶିବେ ।

କିନ୍ତୁ ବିଭିନ୍ନ ରାଜନୈତିକ ସ୍ତର ଏବଂ ପରିସ୍ଥିତିକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବୈଜୟନ୍ତଙ୍କ ରଣନୀତି ଚୁଡାନ୍ତ ନହେବା ଯାଏଁ ବିଜୟଙ୍କ ଭବିଷ୍ୟତ ଝୁଲିଥିବ । ବୈଜୟନ୍ତ ବିଜେଡିରୁ ବାହାରିଲା ପରେ ଯଦିଓ ବିଜେପି ଆଡେ ଆକର୍ଷିତ ହୋଇଥିଲେ, ଏଯାଏଁ କିନ୍ତୁ ସେ ବିଧିବଦ୍ଧ ଭାବେ ଯୋଗ ଦେଇନାହାଁନ୍ତି । ବିଭିନ୍ନ ଜିଲ୍ଲା ବୁଲି ଚା ଖଟିରେ ଚର୍ଚ୍ଚା କରି ନିଜର ଲୋକ ସଂପର୍କ ବୃଦ୍ଧି କରୁଛନ୍ତି ।

ବୈଜୟନ୍ତ ଦାମ ରାଉତଙ୍କ ସହ ବିଜୁ ସମତାକ୍ରାନ୍ତି ଦଳରେ ରହିବେ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପିରେ ଯୋଗ ଦେବେ । ତାହା ବି ସ୍ପଷ୍ଟ ହୋଇନି । ବିଜୁ ସମତାକ୍ରାନ୍ତି ଦଳ ଗଠନରେ ସେ ଦାମ ରାଉତଙ୍କୁ ପରୋକ୍ଷରେ ସମର୍ଥନ କରୁଥିବା ବେଳେ ଦଳ ଘୋଷଣା ଦିନ ଉପସ୍ଥିତ ନଥିଲେ । ଏପିରିକି ସେ ବିଜୁ ସମତାକ୍ରାନ୍ତି ଦଳର କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ବି ଯୋଗଦେଉନାହାଁନ୍ତି । ସେପଟେ କିନ୍ତୁ ନିଜ ଗସ୍ତ ଜରିଆରେ ସେ ଯଦିଓ ରାଜ୍ୟ ସରକାରଙ୍କ ବିଫଳତା କଥା କହୁଛନ୍ତି, ବିଜେପି ସପକ୍ଷରେ କିନ୍ତୁ ପଦୁଟିଏ ବି କହୁନାହାଁନ୍ତି । ଏହି ଦୃଷ୍ଟିରୁ ତାଙ୍କର ରାଜନୈତିକ ଗତିବିଧି ଏବେ ବି ଅସ୍ପଷ୍ଟ ।

ରାଜନୈତିକ ସମୀକ୍ଷକଙ୍କ ମତରେ ବିଜୟଙ୍କୁ ଉଭୟ ବିଜେଡି ଓ ସମତାକ୍ରାନ୍ତି ଦଳ କେନ୍ଦ୍ରାପଡା ଜିଲ୍ଲା ରାଜନୀତିକୁ ଦୃଷ୍ଟିରେ ରଖି ବିଚାର କରୁଛନ୍ତି । ବୈଜୟନ୍ତ ଯଦି କେନ୍ଦ୍ରାପଡାରୁ ଲୋକସଭା କି ବିଧାନସଭା ନିର୍ବାଚନ ଲଢନ୍ତି ବା କୌଣସି ଏକ ଦଳର ପ୍ରଚାର ମଙ୍ଗ ଧରନ୍ତି ତେବେ ତାଙ୍କୁ ଟକ୍କର ଦେବାକୁ ବିଜୟ ମହାପାତ୍ରଙ୍କୁ ପ୍ରୋଜେକ୍ଟ କରାଯିବ । ବିଜୟ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ରାଜନୀତିରେ ଜଣେ ଅଭିଜ୍ଞ ଓ ପୁରୁଖା ଖେଳାଳି ହୋଇଥିବାରୁ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳିରେ ତାଙ୍କର ପ୍ରଭାବ ରହିଛି । ତେଣୁ ବୈଜୟନ୍ତଙ୍କ ରଣନୀତି ଉପରେ ନିର୍ଭର କରିବ ବଜୟଙ୍କ ଉପରେ କିଏ ନିଜ ରାଜନୀତିର ମଙ୍ଗ ଧରାଇବାକୁ ଭରସା କରିବେ ।

ବୋଧହୁଏ ସେଇଥିପାଇଁ ଦିଲ୍ଲୀପ ରାୟ ଗଣମାଧ୍ୟମକୁ ଏଡାଇ ବିଦେଶ ପଳାଇଲେ ଆଉ ତାଙ୍କ ଇସ୍ତଫା ସଂପର୍କରେ ଗଣମାଧ୍ୟମରେ ଘୋଷଣା କଲେ ବିଜୟ ମହାପାତ୍ର । ଚର୍ଚ୍ଚା ହେଉଛି, ଦିଲ୍ଲୀପ ରାୟଙ୍କୁ ଗ୍ରହଣ କରିବାରେ କୌଣସି ଦଳର ସମସ୍ୟା ନାହିଁ । କିନ୍ତୁ ବିଜୟ ମହାପାତ୍ରଙ୍କୁ ନେଇ କିଛିଟା ଦ୍ବନ୍ଦ୍ବ ରହୁଛି । ଶୁଣାଯାଉଛି, ବୈଜୟନ୍ତ ଡିସେମ୍ବର ଶେଷ ସୁଦ୍ଧା ନିଜର ନିଷ୍ପତ୍ତି ଘୋଷଣା କରିବେ । ସେ ଯାଏଁ ଦିଲ୍ଲୀପ ବିଦେଶରେ ରହିବେ, ଆଉ ବିଜୟ ମହାପାତ୍ର ନିଜ ଭବିଷ୍ୟତକୁ ନିଜେ ଆକଳନ କରୁଥିବେ ।

Share

Leave a Reply

Your email address will not be published. Required fields are marked *

three + one =