ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ବିଦ୍ରୋହ, ପାର୍ଟି ଅଫିସରେ ତାଲା

ଭୁବନେଶ୍ୱର () ବହୁ ଘଣ୍ଟାଚକଟା ପରେ ରାଜ୍ୟ ବିଜେପିର 10ଟି ଲୋକସଭା ଓ 99ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେଲା । ହେଲେ ଟିକେଟ ବଣ୍ଟାକୁ ନେଇ ଦଳ ମଧ୍ୟରେ ବିଦ୍ରୋହର ନିଆଁ ଲାଗିଛି । ବିଜେପି ଦଳ ଓ ଦଳର ଆଭିମୁଖ୍ୟ ସହ ଦୁରଦୁରକୁ କୌଣସି ସମ୍ପର୍କ ନଥିବା ନେତାଙ୍କୁ ଅନ୍ୟ ଦଳରୁ ଆମଦାନୀ କରାଯାଇ ପ୍ରାର୍ଥୀ କରାଯାଉଛି, କିନ୍ତୁ ଦଳରେ ଦୀର୍ଘ ବର୍ଷ ଧରି ରହି ତୃଣମୂଳ ସ୍ତରରେ କାମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଛି ।

ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ହଟ୍ଟଗୋଳ ଯୋଗୁ ଗତ ରାତିରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଲା ପଡିଛି  । କିଛି ଅସନ୍ତୁଷ୍ଟ ନେତା ଉପସଭାପତି ସମୀର ମହାନ୍ତିଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଛି ।

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଅମୀୟ ଦାସ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ବେଳେ ମାତ୍ର 3-4 ଦିନ ତଳେ ବିଜେପିରେ ମିଶିଥିବା ବାବୁ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି । ଏପରି ସ୍ଥିତି କେବଳ ଏକାମ୍ର ଭୁବନେଶ୍ବରରେ ନାହିଁ, ରାଜ୍ୟର ବହୁ ଅଂଚଳରେ ଏମିତି ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି ।

ଦଳର ଅଧିକାଂଶ ନେତା ହୋଲି ପାଳନରେ ବ୍ୟସ୍ତ ଥିବାରୁ ଆସନ୍ତାକାଲି ବୁଭିନ୍ନ ସ୍ଥାନରେ ଟିକେଟକୁ ନେଇ ଥୁବ ଅସନ୍ତୋଷ ପଦାରେ ପଡିବ ବୋଲି ଜଣେ ଦଳୀୟ ନେତା କହିଛନ୍ତି । ଯାଜପୁର ଜିଲ୍ଲାର କୋରେଇ ଏବଂ ପୁରୀ ଜିଲ୍ଲା ସତ୍ୟବାଦୀରେ ମଧ୍ୟ ଏଭଳି ବିଦ୍ରୋହ ଦେଖାଦେଇଛି ।

କୋରେଇରେ ପୂର୍ବତନ ବିଧାୟିକା ସଂଚିତା ମହାନ୍ତିଙ୍କୁ ଟିକେଟ ନଦେଇ ବିଶ୍ଵଜିତ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ସତ୍ୟବାଦୀରେ ମଧ୍ୟ ରମାରଞ୍ଜନ ବଳିଆରସିଂହଙ୍କୁ ବାଦ ଦେଇ ଓମ ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି । ରମା ନିକଟରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ସେହିଭଳି ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ବଳଭଦ୍ର ମାଝୀଙ୍କୁ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ କରାଯାଇଥିବା ବେଳେ ସ୍ଥାନୀୟ ବିଜେପି ନେତାଙ୍କୁ ଅଣଦେଖା କରାଯାଇଛି । ତେଣୁ ନବରଙ୍ଗପୁରରେ ମଧ୍ୟ ବିଜେପି ନେତାମାନେ ବିଦ୍ରୋହ ଆରମ୍ଭ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − eight =