ଆତ୍ମଘୋଷିତ ବିଜୁ-ପ୍ରେମୀଙ୍କ ବିଜୁ କ୍ରାନ୍ତି ଦଳ

ଭୁବନେଶ୍ବର () ବିଜେଡିରୁ ବହିଷ୍କତ ବିବାଦୀୟ ନେତା ଡାକ୍ତର ଦାମୋଦର ରାଉତ ଏବେ ନୂଆ ଦଳ ଗଢିବା ଯୋଜନାରେ ଅଛନ୍ତି । ସେ ନିଜପରି କିଛି ଆତ୍ମଘୋଷିତ ବିଜୁୁୁ  ଅନୁଗତଙ୍କୁ ନିଜ ସହ ସାମିଲ କରିିିିଛନ୍ତି । ବିଜୁଙ୍କ ନାଁରେ ଗଠିତ ବିଜୁ ଜନତା ଦଳକୁ ସେହି ବିଜୁ ନାଁରେ ହିଁ ଟକ୍କର ଦେବାକୁ ଯୋଜନା କରିଛନ୍ତି । ଆପାତତଃ ଭାବେ ବର୍ତ୍ତମାନ ଯାଏଁ ଦଳର ନାଁ ଚୁଡାନ୍ତ ହୋଇନି । କିନ୍ତୁ ଦାମଙ୍କ ନିକଟତମ ସୂତ୍ରରୁ ମିଳୁଥିବା ସୂତ୍ର ଅନୁଯାୟୀ ନୂଆ ଦଳର ନାଁ ରହିବ ବିଜୁ କ୍ରାନ୍ତି ଦଳ ।

ଦାମ ରାଉତ ନିଜର ଏହି ନୂଆ ଦଳ ଗଠନ ସଂପର୍କରେ ଖୁବଶୀଘ୍ର ଘୋଷଣା କରିବେ । ନିଜକୁ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ବୋଲାଉଥିବା ଦାମ ରାଉତ ଯେତେବେଳେ ବି ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହୁଅନ୍ତି ସେତେବେଳେ ଏମିତି ବିଜୁଙ୍କ ନାଁକୁ ଆଶାବାଡି ଭଳି ବ୍ୟବହାର କରିଥାନ୍ତି । ଏହାପୂର୍ବରୁ ମଧ୍ୟ 2009 ନିର୍ବାଚନ ପୂର୍ବରୁ ମନ୍ତ୍ରୀପଦ ହରାଇବା ପରେ ଗଠନ କରିଥିଲେ ବିଜୁ ବିଚାର ମଂଚ । ସେ ମଂଚରେ ସେ ସମୟରେ କିଛି ବିଜେଡି ବିରୋଧୀ ଆତ୍ମ ଘୋଷିତ ବିଜୁ ପ୍ରେମୀ ଯୋଗ ଦେଇଥିଲେ । ଦୁଇ ତିନୋଟି ସଭା ମଧ୍ୟ ହେଲା  । କିନ୍ତୁ 2009ରେ ପୁଣି ଥରେ ଦାମ ରାଉତ ବିଜେଡି ଟିକେଟରେ ବିଧାୟକ ଭାବେ ଲଢିବାର ସୁଯୋଗ ପାଇବା ପରେ ବିଜୁ ବିଚାର ମଂଚ ତାର ଅସ୍ତିତ୍ବ ହରାଇଛି ।

ଏବେ ଠିକ ସେମିତି ବିଜୁ କ୍ରାନ୍ତି ଦଳ ନାଁରେ ନୂଆ ଦଳ ଗଠନ କରିବାକୁ ଯୋଜନା କରିଛନ୍ତି । ତାଙ୍କ ସହ ଏହି ଦଳ ଗଠନରେ ସାମିଲ ହୋଇଛନ୍ତି ବିଜେଡିରୁ ଆଉ ଜଣେ ଅଲୋଡା ନେତା ବୈଜୟନ୍ତ ପଣ୍ଡା, ପୂର୍ବତନ ବିଧାୟକ ଉମେଶ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଏମିତି କିଛି ଅସ୍ତିତ୍ବ ବିହିନ ରାଜନେତା । ଯାହା ଶୁଣିବାକୁ ମିଳୁଛି ଦଳ ଗଠନ ପାଇଁ ବୈଜୟନ୍ତ ପଣ୍ଡାଙ୍କ କାନ୍ଧରେ ବନ୍ଧୁକ ରଖିଛନ୍ତି ଦାମ । ଅର୍ଥାତ ଦଳ ଗଠନର ସବୁ ଖର୍ଚ୍ଚ ଭାର ବହନ କରିବେ ବୈଜୟନ୍ତ । ଦାମବାବୁ କେବଳ ବୁଲି ବୁଲି ବିଜେଡି ବିରୋଧରେ ବିଷ ଉଗାଳିବେ ।

ଏହି ଦଳ ବିଜେପି ସହ ଆସନ ବୁଝାମଣା କରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବିଜେପି ମଧ୍ୟ ଦାମ ବାବୁଙ୍କୁ ଏଥିପାଇଁ ଭିତିରିଆ ସହଯୋଗ କରିବ ବୋଲି ଶୁଣିବାକୁ ମିଳୁଛି । ଦାମବାବୁ ବିଜେପି ଯୋଗ ଦେବେନି ବୋଲି କହୁଥିଲେ ବି ସେ ମଧ୍ୟ ଏହି ନୂଆ ସମୀକରଣ ପରେ ବିଜେପି ଆଡେ ଢଳିଛନ୍ତି । ଆସନ୍ତା ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରେ ମାହାଙ୍ଗା ବିକାଶ ପରିଷଦ ଡାକରାରେ ମାହାଙ୍ଗାରେ ଏକ ସାଧାରଣ ସଭାକୁ ସେ ସମ୍ବୋଧିତ କରିବେ  । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ପାରାଦ୍ବୀପ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଥିବାରୁ ଦାମ ବାବୁ ମାହାଙ୍ଗାରେ ପ୍ରତାପଙ୍କ ବିରୋଧରେ ବିଜେପି ସହ ହାତ ମିଳାଇଛନ୍ତି ।

ଉମେଶ ସ୍ବାଇଁ କଂଗ୍ରେସରୁ ମୁହଁ ଫେରାଇ 2014ରେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ 2014ରେ ତାଙ୍କୁ ବାଲିକୁଦା-ଏରସମା ଆସନ ପାଇଁ ଦଳୀୟ ଟିକେଟ ନମିଳିବାରୁ ସେ ଏକପ୍ରକାର ରାଜନୀତିରୁ ଦୂରେଇ ଯାଇଛନ୍ତି । ଦାମ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ଏବେ ଦାମବାବୁଙ୍କ ଘରେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି । ସେହିପରି ପଂଚାନନ କାନୁନଗୋ ମଧ୍ୟ ଗୋଟେ ସମୟରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯାଇଛନ୍ତି । ଦାମବାବୁଙ୍କ ବିଜୁ କ୍ରାନ୍ତି ଦଳରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ମତରେ ଦାମ ବାବୁ ଓ ପଂଚାନନ ବାବୁଙ୍କ କାର୍ଯ୍ୟଶୈଳୀ ଓ ବିଚାରଧାରା ଏକ ନୁହେଁ । ଦାମବାବୁ ଜଣେ ସୁବିଧାବାଦୀ ରାଜନେତା ଓ ପଂଚାନନ ବାବୁ ଜଣେ ସ୍ପଷ୍ଟବାଦୀ । ଏହିଦୃଷ୍ଟିରୁ ସେ କେତେଦିନ ଏହି ନୂଆ ସମୀକରଣରେ ସାମିଲ ହୋଇ ରହିପାରିବେ ତାହା ଦେଖିବାର କଥା ।

Share

Leave a Reply

Your email address will not be published. Required fields are marked *

four × four =