ସିବିଆଇକୁ ନେଇ ରାଜ୍ୟ ବିଜେପି ବାଉଳା

ଭୁବନେଶ୍ୱର : ବିଧାନସଭାରେ ସିବିଆଇ ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ସହିତ ବିଜେଡିକୁ ଯୋଡିବା ଉଦ୍ୟମ କରିବାପରେ ବିଜେପି ବିଧାୟକଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିବା କଥା ଗଣମାଧ୍ୟମରେ କହି ଅପ୍ରସ୍ତୁତ ହୋଇଛନ୍ତି । ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ‘ନନ୍‍ସେନ୍‍ସ କଥା’ କହି ବାଏଁ ବାଏଁ ଉଡାଇ ଦେଇଛନ୍ତି । ସିବିଆଇକୁ ନେଇ ରାଜ୍ୟ ବିଜେପିର ଏଭଳି ଆଚରଣକୁ ଦେଖିଲାପରେ ଏହି ପ୍ରସଙ୍ଗରେ ଦଳ ବାଉଳା ହୋଇଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।
ମଙ୍ଗଳବାର ବିଧାନସଭାରେ ବିଜେପି ସଦସ୍ୟମାନେ ଟିଏମ୍‍ସି ସହିତ ବିଜେଡିକୁ ସିବିଆଇ ମାମଲାରେ ଯୋଡିବାପାଇଁ ଜୋରଦାର ଉଦ୍ୟମ କରିଥିଲେ । ଏଥିପାଇଁ ସିବିଆଇ ପ୍ରସଙ୍ଗ ଲେଖାଥିବା ରଙ୍ଗବେରଙ୍ଗର ପ୍ଲାଷ୍ଟିକ ପୋଷାକ ପିନ୍ଧି ବିଧାନସଭା ଗୃହକୁ ଆସି ହଟ୍ଟଗୋଳ କରିଥିଲେ । ହେଲେ ସେମାନଙ୍କ ଉପରେ ଭାରି ପଡିଥିଲେ କଂଗ୍ରେସ ସଦସ୍ୟମାନେ । ବିରୋଧିଦଳ ମୁଖ୍ୟ ସତେକ ତାରା ପ୍ରସାଦ ବାହିନିପତି ଚାଷୀ ପ୍ରସଙ୍ଗ ଉଠାଇ ନିଜ ଦଳର ସଦସ୍ୟମାନଙ୍କ ସହିତ ଗୃହ ମଧ୍ୟ ଭାଗକୁ ଆସି ଯାଇଥିଲେ । ଏପରିକି ଶ୍ରୀ ବାହିନିପତି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବଡ ପାଟିରେ ଧ୍ୱନିମାନ ଦେବା ଫଳରେ ବିଜେପିର ସିବିଆଇ ପ୍ରସଙ୍ଗ ଏକ ପ୍ରକାର ଫିକା ପଡିଯାଇଥିଲା ।
ଏହାପରେ ବିଜେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସାମ୍ବାଦିକ ସମ୍ମିଳନୀ କରି କେତେକ ଗଣମାଧ୍ୟମରେ ସିବିଆଇ ମୁଖ୍ୟମନ୍ତ୍ରୀଙ୍କୁ ଇତି ମଧ୍ୟରେ ପ୍ରଶ୍ନ କରିଥିବା କହିଥିଲେ । ହେଲେ କେଉଁ ଗଣମାଧ୍ୟମରେ ଏହା କେବେ ପ୍ରକାଶିତ ହୋଇଥିଲା ତାହା ଦର୍ଶାଇ ନଥିଲେ । ପରେ ଯେତେବେଳେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କର ମତ ଲୋଡାଗଲା ସେତେବେଳେ ସେ ଏଭଳି ଅଭିଯୋଗକୁ ‘ନନ୍‍ସେନ୍‍ସ’ ବୋଲି କହିବାକୁ ପଛାଇ ନଥିଲେ । ଫଳରେ କେଭିଙ୍କ ଅଭିଯୋଗ ପୂରା ପାଣିଚିଆ ହୋଇଯାଇଛି ।
ଗୋଟିଏ ପଟେ ପଶ୍ଚିମବଙ୍ଗରେ ସିବିଆଇକୁ ନେଇ ଟିଏମ୍‍ସି ଓ ବିଜେପି ମୁହାଁମୁହିଁ ହୋଇଥିବାବେଳେ ଓଡିଶାର ବିଜେପି ନେତାମାନେ ବିଜେଡିକୁ ଏହି ପ୍ରସଙ୍ଗରେ ଯୋଡିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ରାଜ୍ୟରେ ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତାମାନେ ଆଗକୁ ବଢୁଥିବା ଓ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଉଥିବାବେଳେ ବିଜେପିର ସିବିଆଇ ପ୍ରସଙ୍ଗ ଉଠାକୁ ନେଇ ଉଭୟ ସାଧାରଣଲୋକ ଓ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସିବିଆଇ ତଦନ୍ତ ଅପେକ୍ଷା ଚାଷୀଙ୍କ ପ୍ରସଙ୍ଗ ପ୍ରଥମେ ଆଲୋଚନା ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।
ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ମାମଲାରେ ସୁପ୍ରିମ୍‍କୋର୍ଟ ରାୟକୁ ନିଜର ବିଜୟ ବୋଲି କହିବା ସହିତ ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ଇତି ମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ପଶ୍ଚିମବଙ୍ଗରେ ପହଞ୍ଚି ବିଜେପି ବିରୋଧି ମେଣ୍ଟକୁ ଏକଜୁଟ କରୁଥିବାବେଳେ ବିଜେଡି କିନ୍ତୁ ମାପିଚୁପି ବୟାନ ଦେଉଛି । ହେଲେ ରାଜ୍ୟର ଚାଷୀ ଓ ଅନ୍ୟାନ୍ୟ ଜନସ୍ୱାର୍ଥ ପ୍ରସଙ୍ଗ ଛାଡି ବିଜେପି ନେତାମାନେ ଯେଭଳି ସିବିଆଇ ପ୍ରସଙ୍ଗ ଉଠାଉଛନ୍ତି ତାହାକୁ ସାଧାରଣରେ ନାପସନ୍ଦ କରାଯାଉଛି । ଏହିଦୃଷ୍ଟିରୁ ବୋଧହୁଏ ବୁଧବାର ବିଜେପି ଆଉ ସିବିଆଇ ପ୍ରସଙ୍ଗ ଉଠାଇଲା ନାହିଁ । କଂଗ୍ରେସ ସହ ମିଶି ଚାଷୀ ଓ ରେମୁଣା ଜମି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ।
Share

Leave a Reply

Your email address will not be published. Required fields are marked *

three + five =