ମୁସଲିମ ମହିଳାଙ୍କୁ ନେଇ ବିଷ୍ଣୁଙ୍କ ବିବାଦୀୟ ବୟାନ

ଭୁବନେଶ୍ବର () ତିନ ତଲାକ ବିଲ ସଂସଦର ମଂଜୁରୀ ପାଇସାରିଥିଲେ ବି ଏହାର ତାତି ଆଜି ଓଡିଶା ବିଧାନସଭାରେ ଦେଖିବାକୁ ମିଳିଛି । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଏକ ବକ୍ତବ୍ୟକୁ ନେଇ ବିଧାନସଭାରେ ଝଡ ସୃଷ୍ଟି ହୋଇଛି । ବିଷ୍ଣୁ ସେଠୀ କହୁ କହୁ କହିଦେଲେ ଯେ, ମଧ୍ୟଯୁଗୀୟ ପରମ୍ପରା ତ୍ରିପଲ ତଲାକ ଦ୍ବାରା ବହୁ ସଂଖ୍ୟାରେ ମୁସଲମାନ ମହିଳା ମୁମ୍ବାଇ ଓ କୋଲକତାର ରେଡଲାଇଟ ଏରିଆରେ ଦେହ ବ୍ୟବସାୟ କରୁଛନ୍ତି । ଏହାକୁ ନେଇ କଂଗ୍ରେସ ଓ ବିଜେଡି ବିଧାୟକମାନେ ଆପତ୍ତି ଉଠାଇଥିଲେ । କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ।

ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଥମେ ତିନ ତଲାକ ଆଇନକୁ ବିଜେଡିର ସମର୍ଥନକୁ ନେଇ ପ୍ରଶ୍ନ ଉଠାଇଥିଲେ । କେବଳ ଏହି ଗୋଟିଏ ଆଇନ ନୁହେଁ, ଜିଏସଟି, ଏକକ ଟ୍ରିବୁନାଲ, ଆରଟିଆଇ ଆଇନକୁ ବିଜେଡିର ସମର୍ଥନ ପଛରେ ରହିଥିବା ରାଜନୈତିକ ଉଦ୍ଦେଶ୍ୟ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ଏକକ ଟ୍ରିବୁନାଲକୁ ସମର୍ଥନ କରାଯିବ ନାହିଁ ବୋଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବିଧାନସଭାର ମତ ବିରୋଧରେ ବିଜେଡି ସଂସଦରେ ଏହାକୁ ସମର୍ଥନ କରିଛି । କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରୁ ଲାଗୁଛି ସେମାନେ ଗୋଟେ ଦେଶ ଗୋଟେ ନିର୍ବାଚନ ବା ଗୋଟେ ଦେଶ ଗୋଟେ ଟିକସ ଭଳି ଖୁବଶୀଘ୍ର ଗୋଟେ ଦେଶ ଗୋଟେ ଧର୍ମ ଓ ଗୋଟେ ଦେଶ କୋଟେ ନେତୃତ୍ବ ଆଡେ ଆଗଉଛନ୍ତି । ଏହା ଗଣତନ୍ତ୍ର ପାଇଁ ଶୁଭଂକର ନୁହେଁ ଏବଂ ଏହାଦ୍ବାରା ଦେଶ ଧ୍ବଂସ ପାଇଯିବ ।

ତିନ ତଲାକକୁ ବିଜେଡିର ସମର୍ଥନ ଏବଂ ଦଳର ଆଭିମୁଖ୍ୟକୁ ଉପରେ ନରସିଂହ ମିଶ୍ର ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ । କିନ୍ତୁ କହୁକହୁ କହିଦେଲା ଯେ, ତିନ ତଲାକକୁ ବହୁ ମୁସଲିମ ସଂପ୍ରଦାୟ ବି ଗ୍ରହଣ କରୁନାହାଁନ୍ତି । ଏହାର ପ୍ରଭାବ ଆମ ସାମାଜିକ ବ୍ୟବସ୍ଥା ଉପରେ ପଡୁଛି । ବିବାହ ପରେ ଛାଡପତ୍ର ସହଜରେ ହେଉନଥିବାରୁ ମୁସଲମାନ ମହିଳାଙ୍କୁ ରେଡ ଲାଇଟ ଏରିଆରେ ଦେଖିବାକୁ ମିଳିଛି । ସେମାନେ ବାଧ୍ୟ ହୋଇ ବେଶ୍ୟାବୃତ୍ତିକୁ ଆପଣାଉଛନ୍ତି । ମୁମ୍ବାଇ ଓ କୋଲକତାରେ ଦେହ ବ୍ୟବସାୟ କରୁଛନ୍ତି ମୁସଲିମ ମହିଳା ।

ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ମହିଳାଙ୍କ ପ୍ରତି ବିଷ୍ଣୁଙ୍କ ଏଭଳି ବିବୃତ୍ତିକୁ ନେଇ କଂଗ୍ରେସ ବିଧାୟକମାନେ ତୀବ୍ର ପ୍ରତିବାଦ କରିଥିଲେ । ଏହାକୁ ଗୃହର ବିବରଣୀରୁ ବାଦ ଦେବାକୁ ଦାବି କରିଛନ୍ତି । ବିଜେଡି ମଧ୍ୟ ଏକ ନିର୍ଦ୍ଧିଷ୍ଟ ଜାତି ପ୍ରତି ଅପ୍ରିତିରକର ମନ୍ତବ ଦିଆଯିବାର ପ୍ରତିବାଦ କରିଥିଲା ।

ଏପ୍ରସଙ୍ଗରେ ସଫେଇ ରଖିଛନ୍ତି ବିରୋଧୀ ଦଳ ଉପନେତା । ସେ କହିଛନ୍ତି, ରିପୋର୍ଟ ଆଧାରରେ ମୁଁ ତଥ୍ୟ ରଖିଥିଲି । କାହାକୁ ଆକ୍ଷେପ କରିବା ଉଦ୍ଦେଶ୍ୟରେ ମୁଁ ଏକଥା କହିନାହିଁ । ପରିସ୍ଥିତି ଚାପରେ ବାଧ୍ୟ ହୋଇ ମୁସଲମାନ ମହିଳାମାନେ ବେଶ୍ୟାବୃତ୍ତି କରୁଛନ୍ତି । ୟୁନିସେଫ୍ ରିପୋର୍ଟରେ ଆସିଛି, ଆଉଟଲୁକ ପରି ମ୍ୟାଗାଜିନରେ ଆସିଛି, ଟିଭି ଓ ରେଡ଼ିରେ ଆଲୋଚନା ମଧ୍ୟ ହେଉଛି । ମୁଁ କହିଦେଲି ଯେ କ’ଣ ବେଦ ଅଶୁଦ୍ଧ ହୋଇଗଲା । ବିଧାନସଭାରେ ଏକଥା କହିବାର କୌଣସି ଅସୁବିଧା ନାହିଁ । କେନ୍ଦ୍ର ସକରାରଙ୍କୁ ଘେରିବା ପାଇଁ ଅଯଥା ପ୍ରୟାସ କରି ମୋ କଥାରୁ ଜିରାରୁଶିରା କଢ଼ାଯାଉଛି। ମୁସଲିମ ମହିଳାଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଜେଡି ମଧ୍ୟ ଏହି ବିଲକୁ ସମର୍ଥନ କରୁଥିବାରୁ କଂଗ୍ରେସ ନେତାଙ୍କ ପେଟରେ ଯନ୍ତ୍ରଣା ହେଉଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 5 =