ଦୋ ମୁହାଁ ଦାମ

ଭୁବନେଶ୍ବର () ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ କେତେବେଳେ କେଉଁ ରାଜନୈତିକ ପକ୍ଷ ରଖୁଛନ୍ତି ତାର ହିସାବ ତାଙ୍କ ପାଖରେ ବି ନାହିଁ । କେତେବେଳେ ସିବିଆଇ କାର୍ଯ୍ୟକୁ ନାପସନ୍ଦ କରି ବର୍ଷୁଛନ୍ତି ତ କେତେବେଳେ ସିବିଆଇ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ତାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି । କେବଳ ସେତିକି ନୁହେଁ, ବିଜେଡିରେ ଥିବା ଯାଏଁ ବୈଜୟନ୍ତଙ୍କୁ ଗାଳି କରୁଥିଲେ, ଏବେ ତାଙ୍କୁ କୋଳେଇ ନେଇଛନ୍ତି । ଆଉ ଶେଷରେ ସବୁ ରାଗ ଶୁଝାଉଛନ୍ତି ଗଣମାଧ୍ୟମ ଉପରେ । କୁଆଡେ ରାଜ୍ୟରେ ସେ ଏକା ନିରପେକ୍ଷ, ଆଉ ସବୁ ଗଣମାଧ୍ୟମ ପକ୍ଷଭୁକ୍ତ ।

ପଶ୍ଚିମବଙ୍ଗରେ ସିବିଆଇ ଓ ମମତା ବାନାର୍ଜିଙ୍କ ମଧ୍ୟରେ ଚାଲିଥିବା ଲଢେଇ ମତ ରଖିବାକୁ ଯାଇ ସେ ନିଜେ ନିଜକୁ ବିଭ୍ରାନ୍ତ କରିଛନ୍ତି । ପଶ୍ଚିମବଙ୍ଗରେ ସିବିଆଇକୁ ବିରୋଧ କରିଥିବାରୁ ସେ ମମତାଙ୍କୁ ପ୍ରଶଂସା କରିଛନ୍ତି । ହେଲେ ରାଜ୍ୟ ସରକାର କରୁଥିବା ବିରୋଧକୁ ଲୋକ ଦେଖାଣିଆ ବୋଲି କହିଲେ । ସେହିଭଳି ପଶ୍ଚିମବଙ୍ଗରେ ତୃଣମୂଳ ସରକାର ବିରୋଧରେ ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି କେନ୍ଦ୍ର ସରକାର ଅଜଥା ହସ୍ତକ୍ଷେପ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।

ମମତାଙ୍କ କାର୍ଯ୍ୟକୁ ସମର୍ଥନ କରିବାକୁ ଯାଇ ସେ କହିଛନ୍ତି ଯେ, ସବୁ ରାଜ୍ୟର ସାର୍ବଭୌମତ୍ବ ରହିଛି । କେବଳ ଦେଶ ସୁରକ୍ଷା ଏବଂ ବୈଦେଶିକ ନୀତି ବ୍ୟତିତ ରାଜ୍ୟମାନେ ସ୍ବାଧୀନ । ସେଠାରେ କେନ୍ଦ୍ରର ଅବହେଳା ଏବଂ ରାଜ୍ୟ ବ୍ୟାପାରରେ କେନ୍ଦ୍ରର ହସ୍ତକ୍ଷେପ ଯୋଗୁଁ ପଶ୍ଚିମବଙ୍ଗ ଭଳି ମୁହାଁମୁହିଁ ସ୍ଥିତି ଉପୁଜୁଛି । ପଶ୍ଚିମବଙ୍ଗରେ ସିବିଆଇର ଭୂମୀକା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି । ଓଡିଶାରେ ସେହିଭଳି ସିବିଆଇ ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛି ଓ ବିଜେଡି ନେତାଙ୍କୁ ନୋଟିସ କରୁଛି ତାହା ବି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ପଶ୍ଚିମବଙ୍ଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ମମତାଙ୍କୁ ଚେକ ଦେବାକୁ ହୋଇଥିବା ବେଳେ ଓଡିଶାରେ ସିବିଆଇ ଆକ୍ସନ ବିଜେଡିର ନେତାଙ୍କୁ ସୁରକ୍ଷା ଦେବାକୁ ବୋଲି ସେ କହିଛନ୍ତି ।

ସେହିଭଳି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେ ଦେଉଥିବା ବିବୃତ୍ତିକୁ ନେଇ ଦାମ ତାଙ୍କୁ କଟୁ ସମାଲୋଚନା କରୁଥିଲେ । ସେ ସମୟରେ ବୈଜୟନ୍ତ ବାବୁ ତାଙ୍କୁ ଭାରି ଗନ୍ଧାଉଥିଲେ । ଏବେ କିନ୍ତୁ ବୋଧହୁଏ ବୈଜୟନ୍ତ ବାବୁ ବାସୁଛନ୍ତି, ଯେଉଁଥିପାଇଁ ମାର୍ଶାଘାଇରେ ବୈଜୟନ୍ତଙ୍କୁ ବିଜେଡି କର୍ମୀଙ୍କ ବିରୋଧକୁ ସେ ସହ୍ୟ କରିପାରୁନାହାଁନ୍ତି । ଦାମଙ୍କ ଏଭଳି ବିବୃତି ଉପରେ ପ୍ରତିକ୍ରିୟା ରଖି ଜଣେ ବିଜେଡି ନେତା କହିଛନ୍ତି ଯେ, ବିଜେଡିର ଯୁବ ନେତାମାନଙ୍କୁ ଦାମ ବାବୁ ସହ୍ୟ କରିପାରୁନାହାଁନ୍ତି । ଏହା ତାଙ୍କ ରାଜନୈତିକ ଅସୁୟା ଭାବର ପରିପ୍ରକାଶ ବୋଲି କହିଛନ୍ତି କିଛି ବିଜେଡି ନେତା ।

ଶେଷରେ ବୁଲିବୁଲି ଗଣମାଧ୍ୟମ ପାଖରେ ପହଁଚିଲେ ଦାମ ରାଉତ । ରାଜ୍ୟରେ ସବୁ ଗଣମାଧ୍ୟମ କୁଆଡେ ପକ୍ଷଭୁକ୍ତ ହୋଇଯାଇଛନ୍ତି । ସେ ବିଜେଡିରେ ଥିଲା ବେଳେ ଗଣମାଧ୍ୟମ ତାଙ୍କୁ ଶୁଆଇ ଦେଉନଥିଲା । ଏବେ କିନ୍ତୁ କୁଆଡେ ସେ ଅଛୁଆଁ ହୋଇଯାଇଛନ୍ତି । ରାଜ୍ୟ ରାଜନୀତିରେ ସେ ଏକା ନିରପେକ୍ଷ ମତ ରଖୁଥିବା ବେଳେ ଗଣମାଧ୍ୟମ ତାକୁ ଗୁରୁତ୍ବ ଦେଉନି ବୋଲି ସେ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 1 =