ବିଜେଡି ବିରୋଧରେ ଦାମଙ୍କ ଷଡଯନ୍ତ୍ର

ଭୁବନେଶ୍ୱର,୧୦ା୯(ନି.ପ୍ର.): ରାଜ୍ୟ ସରକାର ଓ ପ୍ରଶାସନ ବିରୋଧରେ ବିଷୋଦ୍ଗାର କରୁଥିବା ବିଜେଡିର ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ କ୍ରମାଗତ ଭାବେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ସହ ପୁରା ଜଗତସିଂହପୁର ଜିଲ୍ଲାରେ ସେ ଦଳ ବିରୋଧରେ କାର୍ଯ୍ୟକ୍ରମ ଚଳାଇଛନ୍ତି । ନିର୍ବାଚନକୁ ଆଉ ମାତ୍ର ୪-୫ ମାସ ଥିବାବେଳେ ଦାମ ରାଉତ ଉଦ୍ଦେଶ୍ୟମୂଳକ ଭାବେ ବାଲିକୁଦା-ଏରସମାରେ ବିଜେଡି ସଂଗଠନକୁ ଦୁର୍ବଳ କରିବାକୁ ଯୋଜନାବଦ୍ଧ ଉଦ୍ୟମ କରୁଛନ୍ତି । ଆଜି ଏ ସଂପର୍କରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଗତସିଂହପୁରର ପୂର୍ବତନ ବିଧାୟକ ବିଷ୍ଣୁ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦସ୍ତାବିଜ୍ ସହ ଫେରାଦ ହୋଇଛନ୍ତି । ଦାମଙ୍କୁ ଦଳରୁ ବହିଷ୍କାର କରିବାକୁ ସେମାନେ ଦାବି କରିଛନ୍ତି ।

ଗତକାଲି ଦାମ ରାଉତ ଏରସମା ବିପ୍ଲବ ଦିବସ ନାଁରେ ଏକ ରାଜନୈତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥରେ କଂଗ୍ରେସ ଓ ବିଜେପି ନେତାଙ୍କୁ ସେ ସାମିଲ କରିଥିଲେ । କଂଗ୍ରେସର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରଘୁନାଥ ଦାସ, କଂଗ୍ରେସ ନେତା ତଥା ଜଗତସିଂହପୁର ଜିଲ୍ଲା ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେପି ନେତାମାନେ ଦାମ ରାଉତଙ୍କ ଉପସ୍ଥିତିରେ ବିଜେଡିକୁ ସମାଲୋଚନା କରିଥିଲେ ।

ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଦାମ ରାଉତ ଯୋଗାଯୋଗ ନ କରି କଂଗ୍ରେସ ଓ ବିଜେପି ନେତାଙ୍କୁ ଏହି ସଭାସ୍ଥଳକୁ ଡାକିଥିଲେ । ଗତ ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ଦାମ ରାଉତ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କରିବାର ନଜିର ରହିଛି । ଏ ସଂପର୍କରେ ଜିଲ୍ଲା ସଭାପତିଙ୍କୁ ସେ ଜଣାଇଥିବା ପ୍ରଶାନ୍ତ କହିଛନ୍ତି ।
ସେହିଭଳି ଟିଟୋ ଲିଙ୍କରେ ଗିରଫ ହୋଇଥିବା ବାପୁ ପରିଡା ସମର୍ଥନରେ ମନ୍ତବ୍ୟ ଦେବାରୁ ସ୍ପଷ୍ଟ ହୋଇଛି ଯେ, ଦାମ ରାଉତଙ୍କର ଟିଟୋ ସହ ସଂପର୍କ ରହିଥିଲା । ପାରାଦୀପରେ ବନ୍ଦର ଶ୍ରମିକ ସଂଗଠନ ଉପରେ ଦାମ ରାଉତ ଜୁଲୁମ୍ କରୁଥିବା ବିଷ୍ଣୁ ଅଭିଯୋଗ କରିଛନ୍ତି । ସେ ଜିଲ୍ଲା ପ୍ରଶାସନ,ପାରାଦୀପ ପୌର ପ୍ରଶାସନର ସମସ୍ତ ବିଷୟରେ ଅବଗତ ହୋଇ ସାଂସଦ କୁଳମଣି ସାମଲଙ୍କୁ ପ୍ରଭାବିତ କରି ଜଗତସିଂହପୁର ଓ ନାଉଗାଁ ଅଞ୍ଚଳରେ କୌଣସି କାର୍ଯ୍ୟକଳାପରେ ସହଯୋଗ ନ କରିବାକୁ ପ୍ରବର୍ତ୍ତାଉଥିବା ବିଷ୍ଣୁ ଅଭିଯୋଗ କରିଛନ୍ତି ।

ଏହାଉପରେ ପ୍ରତିକ୍ରିୟା ପ୍ରକାଶ କରି ଡ. ରାଉତ କହିଛନ୍ତି ଯେସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି । ବିଷ୍ଣୁ ଦାସ କହିଲେ ନବୀନ ବାବୁ କଣ ତାଙ୍କୁ ବାହାର କରିଦେବେ । ବିଷ୍ଣୁ ଦାସ କଣ ନବୀନ ବାବୁ କଣ ଜାଣିନାହାନ୍ତି । ବିଧାୟକ ପ୍ରଶାନ୍ତଙ୍କ ମୁଣ୍ଡକୁ କଙ୍କଡା ବିଛା କାମୁଡିଲାଣି । ସେମାନଙ୍କ କଥାରେ ପଡି ଯଦି ନବୀନ ବାବୁ ତାଙ୍କୁ କାଢିବା ପାଇଁ ଚାହିଁବେ ତାହେଲେ କାଢି ଦେଇ ପାରନ୍ତି । ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ସେ ତାଙ୍କ ପାଖକୁ ଯାଇ ନାହାନ୍ତି । ଏବେ କଣ ଯିବେ ।ମନ୍ତ୍ରୀ ପଦ ଯାଇଛି , ଉପସଭାପତି ପଦ ମଧ୍ୟ ଯାଇଛି । ଯଦି ନବୀନ ବାବୁ ବିଜେଡିରୁ ବିଦା କରନ୍ତି ବିଜେପିରେ ଯୋଗ ଦେବେକି ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ସେ ପ୍ରଶ୍ନ ଉଠୁନାହିଁ । ୧୦ କୋଟି ଟଙ୍କା ଦେଲେ ବି ସେଠାକୁ ଯିବାର ନାହିଁ । ସେ ଆହୁରି କହିଛନ୍ତି ଯେ ଲୋକେ ଯେତେଦିନ ପର୍ଯ୍ୟନ୍ତ ଚାହିଁବେ ସେ ଲଢିବେ ।

Share

Leave a Reply

Your email address will not be published. Required fields are marked *

five × 3 =