ମନ୍ତ୍ରୀ ଥିଲା ବେଳେ ଚୌକି ଲୋଭ, ଏବେ ମନେ ପଡୁଛି ଦୁର୍ନୀତି

ଭୁବନେଶ୍ବର () ବିଜେଡିର ଅମାନିଆ ତୁଣ୍ଡରେ ତୁଣ୍ଡି ବାନ୍ଧିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୁବଶୀଘ୍ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ହେବ ଦଳୀୟ କାର୍ଯ୍ୟାନୁଷ୍ଠାନ । ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଗତ ଚାରି ଦିନ ହେଲା ଦାମୋଦର ବିଭିନ୍ନ ପ୍ରସଙ୍ଗରେ ସରକାର ଓ ପ୍ରଶାସନକୁ ସିଧାସଳଖ ଆକ୍ଷେପ କରୁଥିଲେ । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଗତସିଂହପୁରର ପୂର୍ବତନ ବିଧାୟକ ବିଷ୍ଣୁ ଦାସ ଦାମୋଦରଙ୍କୁ ଦଳରୁ ବହିସ୍କୃତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲିକ୍ଷିତ ଭାବେ ଜଣାଇଛନ୍ତି ।

40 ବର୍ଷର ରାଜନୈତିକ ଇତିହାସରେ ଦାମୋଦର ନିଜ ତୁଣ୍ଡ ପାଇଁ ସବୁବେଳେ ଅଡୁଆରେ ପଡିଛନ୍ତି । ବିଜେଡି ଗଠନରେ ତାଙ୍କର ସାମାନ୍ୟତମ ଭୂମୀକା ନଥିଲା । ବରଂ ବିଜେଡି ଗଠନ ସମୟରେ ସେ ଜନତା ଦଳ (ଏସ)ରେ ଥିଲେ । ପରବର୍ତ୍ତି ସମୟରେ ରାଜ୍ୟରେ ନବୀନ ଓ ବିଜେଡି ହାୱାକୁ ଦେଖି ସେ ବିଜେଡିକୁ ଡେଇଁଥିଲେ । ବିଜେଡିରୁ ବିଧାୟକ ହେଲେ ଏବଂ ମନ୍ତ୍ରୀ ବି ହେଲେ । କିନ୍ତୁ ଗତ 18 ବର୍ଷ ମଧ୍ୟରେ ଯେତେଥର ମନ୍ତ୍ରୀ ହୋଇଛନ୍ତି କିଛି ନା କିଛି ବିବାଦରେ କିମ୍ବା ମନ୍ତ୍ରୀ ଭାବେ ପ୍ରଦର୍ଶନକୁ ନେଇ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଛନ୍ତି । ଆଉ ଯେତେବେଳେ ମନ୍ତ୍ରୀମଣ୍ଡଳରୁ ବିଦା ହୁଅନ୍ତି ସେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଆକ୍ରମଣ ନକଲେ ବି ନବୀନଙ୍କ ନିକଟତମ ସହଯୋଗୀଙ୍କୁ ରାଜନୈତିକ ବିବାଦକୁ ଟାଣନ୍ତି ।

2012 ପର୍ଯ୍ୟନ୍ତ ସେ ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କୁ ଆକ୍ରମଣ କରୁଥିଲେ । ପରବର୍ତ୍ତି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତତରର ଅଧିକାରୀଙ୍କୁ ଟାର୍ଗେଟ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ସେ 2002ରୁ ନିୟମିତ ଭାବେ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି । 2002ରୁ 2004 ପର୍ଯ୍ୟନ୍ତ ସେ ପଂଚାୟତିରାଜ, ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ଥିଲେ । 2004ରୁ 2006 ପର୍ଯ୍ୟନ୍ତ ପଂଚାୟତିରାଜ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଥିଲେ । 2009ରୁ 2011 ପର୍ଯ୍ୟନ୍ତ କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ଥିଲେ । 2012ରୁ 2014 ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଏବଂ ଏମଏସଏମଇ ବିଭାଗର ମନ୍ତ୍ରୀ ରହିଥିଲେ । 2014ରୁ 2017 ପର୍ଯ୍ୟନ୍ତ ସେ ଅବକାରୀ ଓ ସମବାୟ ବିଭାଗର ମନ୍ତ୍ରୀ ରହିଥିଲେ । 2017 ମେରୁ ଡିସେମ୍ବର ପର୍ଯ୍ୟନ୍ତ ସେ ଅବକାରୀ, ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ମନ୍ତ୍ରୀ ରହିଥିଲେ ।

ବିଭିନ୍ନ ସମୟରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ସେ ଯେଉଁସବୁ ବିଭାଗର ମନ୍ତ୍ରୀ ଥିଲେ ଏବେ ସେହି ସବୁ ବିଭାଗରେ ଘଟିଥିବା ବିଭିନ୍ନ ଦୁର୍ନୀତି କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଅଫିସରଙ୍କୁ ଦାୟୀ କରୁଛନ୍ତି । ପ୍ରଶ୍ନ ଉଠୁଛି ସେ ମନ୍ତ୍ରୀ ଥିଲା ବେଳେ କଣ କରୁଥିଲେ । ଯଦି ମନ୍ତ୍ରୀ ଥିଲା ବେଳେ ସେ ଅସହାୟ ଥିଲେ ତେବେ ମନ୍ତ୍ରୀ ପଦରୁ ଇସ୍ତଫା ନଦେଇ, ଚୌକିକୁ ଜାବୁଡି ଧରିଥିଲେ କାହିଁକି । ମନ୍ତ୍ରୀପଦ ଓ ନାଲିବତୀ ଗାଡି ଓ ଅନ୍ୟାନ ସୁବିଧା ସୁଯୋଗକୁ ଏତେ ଲୋଭ ଯେ, ପଦ ଛାଡିବେନି । କିନ୍ତୁ ପଦଗଲା ପରେ ଅଫିସର ଓ ଅନ୍ୟମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରୁଛନ୍ତି ।

କେବଳ ଏତିକି ନୁହେଁ, ଚର୍ଚ୍ଚା ହେଉଛି ଦାମ ବାବୁ ବିଜେପି ଲିଙ୍କରେ ବିଜେଡିକୁ ରାଜନୈତିକ ଆକ୍ରମଣ କରୁଛନ୍ତି । ଏକଥାର ସ୍ପଷ୍ଟ ସଂକେତ ପାଇସାରିଛନ୍ତି ନବୀନ । ଯେଉଁଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

eighteen − thirteen =