ବିଜେପି ପ୍ରାର୍ଥୀ ତାଲିକା : ଅସନ୍ତୁଷ୍ଟ ବିଜେଡି ନେତା ଭରସା

ଭୁବନେଶ୍ୱର () ବିଜେଡି ଓ କଂଗ୍ରେସ ନିଜ ନିଜର କିଛି କିଛି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ବିଜେପି ଏଯାଏଁ ତାଲିକା ପ୍ରକାଶ ନକରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରାଜନୈତିକ ସମୀକ୍ଷକଙ୍କ ଆକଳନ ବିଜେପି ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟଙ୍କ ଉପରେ ଭରଷା କରୁଛି । ଅର୍ଥାତ ପର ଧନରେ ମଙ୍ଗଳବାର ଭଳି ଯୋଜନା ।

ଗତ କିଛିଦିନର ଘଟଣାକ୍ରମକୁ ଦେଖିଲେ ଏଭଳି ଯୋଜନର ଆଭାସ ମିଳୁଛି । ବିଜେଡିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଯେଉଁମାନଙ୍କୁ ଦଳ ଅଯୋଗ୍ୟ ଭାବି ପ୍ରାର୍ଥୀ କଲାନାହିଁ ସେମାନଙ୍କୁ 24 ଘଣ୍ଟାରେ ଦଳରେ ସାମିଲ କରି ପ୍ରାର୍ଥୀ କରିବାର ପ୍ରତିଶ୍ରୁତି ଦେଇଛି । ବୈଜୟନ୍ତ ପଣ୍ଡା, ଦାମ ରାଉତଙ୍କ ଭଳି ବିଜେଡିର ବିତାଡିତ ନେତା ଆଉ ବଳଭଦ୍ର ମାଝୀ ଏବଂ ବାବୁ ସିଂହଙ୍କ ଭଳି ଦଳଦ୍ରୋହୀଙ୍କୁ ନିଜ ସହ ସାମିଲ କରିଛି ବିଜେପି ।

ବିଜେଡି ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟର 9ଟି ଲୋକସଭା ଓ 54 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେପଟେ କଂଗ୍ରେସ ମଧ୍ୟ 6ଟି ଲୋକସଭା ଓ 36ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ବିଜେପି ବୋଧହୁଏ ପ୍ରାର୍ଥୀ ଶଙ୍କଟରେ ପଡିଛି । ଗତ ମାର୍ଚ୍ଚ 12 ତାରିଖରେ ଓଡିଶା ପ୍ରଭାରି ଅରୁଣ ସିଂହ ସପ୍ତାହକ ମଧ୍ୟରେ ତାଲିକା ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । ମାର୍ଚ୍ଚ 14ରେ କହିଲେ ଶନିବାର ବାହାରିବ ପ୍ରଥମ ପର୍ଯ୍ୟାୟ ତାଲିକା । କିନ୍ତୁ ବୋଧହୁଏ ପ୍ରାର୍ଥୀ ଶଙ୍କଟରେ ଥିବା ବିଜେପି, ବିଜେଡିର ଅସନ୍ତୁଷ୍ଟଙ୍କ ଅନେଇଛି ।

ଗତ ନିର୍ବାଚନରେ ବିଜେପିର 77 ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ । ଦଳର ତଥାକଥିତ ବରିଷ୍ଠ ନେତାମାନେ ଅମାନତ ରକ୍ଷା କରିନପାରି ମିଶନ 120ର ଡିଣ୍ଡିମ ପିଟୁଛନ୍ତି । 2014ରେ ଦେଶରେ ପ୍ରବଳ ମୋଦି ହାୱା ସତ୍ତ୍ୱେ ବିଜେପି 10ଟି ବିଧାନସଭା ଓ ଗୋଟିଏ ମାତ୍ର ଲୋକସଭା ଜିତିବାକୁ ସକ୍ଷମ ହୋଇଥିଲା ।

ବିଜେଡିର ଅସନ୍ତୁଷ୍ଟଙ୍କୁ ନେଇ ପ୍ରାର୍ଥୀ କରି ବିଜେପି ନିଜ ଦଳ ଭିତରେ ବି ବିରୋଧର ସମ୍ମୁଖୀନ ହେଲାଣି । ବାହାରର ନେତାଙ୍କୁ ଟିକେଟ ଦେବାକୁ ଯାଇ ନିଜ ଦଳର ପୁରୁଣା ନେତାଙ୍କୁ ଅଣଦେଖା କରାଯାଉଛି । ଫଳରେ ଦଳରେ ବିରୋଧାଭାଷର ସ୍ୱର ତୀବ୍ର ହେବାରେ ଲାଗିଛି ।

କିଛି ବରିଷ୍ଠ ନେତା ପୁଣି ଥରେ ମୋଦି ହାୱାକୁ ଭରସା କରି ପ୍ରଧାନମନ୍ତ୍ରୀଙ୍କୁ ପୁରୀରୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ କେନ୍ଦ୍ରୀୟ ନେତାମାନେ ମୋଦିଙ୍କ ବିଜୟ ସମ୍ଭାବନାକୁ ନେଇ ସନ୍ଦେହରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 1 =