ବ୍ରହ୍ମପୁର : ହାଟ୍ରିକ ମୁଡ଼ରେ ବିଜେଡି, ଦ୍ଵିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସ ଲଢେଇ

ବ୍ରହ୍ମପୁର () ଦକ୍ଷିଣ ଓଡିଶାରେ ବ୍ରହ୍ମପୁର ଲୋକସଭା ଆସନ ଅତି ମହତ୍ୱପୂର୍ଣ୍ଣ । ଏହି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଚନ୍ଦ୍ରଶେଖର ସାହୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ କଂଗ୍ରେସରୁ ଭି. ଚନ୍ଦ୍ରଶେଖର ନାଇଡୁ ଓ ବିଜେପିରୁ ଭୃଗୁ ବକ୍ସିପାତ୍ର ପରସ୍ପର ସହ ଶିଙ୍ଘ ଲଢ଼େଇଛନ୍ତି ।

ବ୍ରହ୍ମପୁର ଲୋକସଭା ଅଧୀନରେ ବ୍ରହ୍ମପୁର, ଗୋପାଳପୁର, ଦିଗପହଣ୍ଡି, ଚିକିଟି, ଛତ୍ରପୁର, ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ରହିଛି । ସେ ମଧ୍ୟରୁ କେବଳ ପରଳାଖେମୁଣ୍ଡିକୁ ବାଦ ଦେଲେ ବାକି 6ଟି ଯାକ ଆସନ ଏବେ ବିଜେଡି ଦଖଲରେ ରହିଛି । ପାରଳାଖେମୁଣ୍ଡି ଆସନରୁ ଜିତିଛନ୍ତି କଂଗ୍ରେସ ପ୍ରାର୍ଥୀ । ସେପଟେ 1971ରୁ ବ୍ରହ୍ମପୁର ଲୋକସଭା କ୍ଷେତ୍ର କଂଗ୍ରେସ ଦଖଲରେ ରହିଥିଲା । ବିଜେପି ଓ ବିଜେଡି ମେଣ୍ଟରେ ଏହି ଆସନରୁ ଥରେ ମାତ୍ର ବିଜେପି ପ୍ରାର୍ଥୀ ଜିତିଥିଲେ । 2009 ଓ 2014ରେ ବିଜେଡି ବ୍ରହ୍ମପୁରକୁ ଦଖଲ କରିଥିଲା ।

ଏମିତି ଏକ ପୃଷ୍ଠଭୂମିରେ ତିନି ଦଳ ସମ୍ମାନଜନକ ଲଢେଇ ଲଢ଼ୁଥିବା ବେଳେ ପ୍ରଚାର ମଇଦାନରେ ବିଜେଡି ସମସ୍ତଙ୍କୁ ପଛରେ ପକାଇଦେଇଥିଲା । ନବୀନଙ୍କ ଗୋପାଳପୁର ସମେତ ବୁଭିନ୍ନ ସ୍ଥାନରେ ରୋଡ଼ ସୋ କରିଥିଲେ । ଏହି ରୋଡ଼ ସୋରେ ନବୀନଙ୍କୁ ମିଳିଥିବା ଜନସମର୍ଥନ ଓ ବିପୁଳ ସ୍ୱାଗତ ବିଜେଡିର ସ୍ଥିତି ବିରୋଧୀଙ୍କ ତୁଳନାରେ ଅଧିକ ସମ୍ଭାବନପୂର୍ଣ୍ଣ ଥିବାର ସଂକେତ ଦେଇଥିଲା । ଏଥିସହ ରାଜ୍ୟ ସରକାରର ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଜେଡି ପ୍ରତି ସାଧାରଣରେ ଆସ୍ଥା ଦୃଢ଼ୀଭୂତ କରିଛି ବୋଲି କିଛି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ବିଜେଡିରୁ ପୂର୍ବତନ କଂଗ୍ରେସ ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହୋଇଛନ୍ତି । ସେ ଯଦିଓ 2009 ଓ 2014ରେ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ଠାରୁ ହାରିଥିଲେ, ବିଜେଡିକୁ ଆସିବା ପରେ ନବୀନଙ୍କ ଭାବମୂର୍ତି ସହ ବିଜେଡି ସଙ୍ଗଠନକୁ ସାଥିରେ ନେଇ ସେ ନିଜ ଶକ୍ତି ବୃଦ୍ଧି କରିବାରେ ସକ୍ଷମ ହୋଇଛି । ତାଙ୍କ ସହ କଂଗ୍ରେସର ଏକ ସିଂହ ଭାଗ କଂଗ୍ରେସ କର୍ମୀ ବି ବିଜେଡିରେ ସାମିଲ ହୋଇଛନ୍ତି ।

ସେପଟେ ବିଜେପି ପ୍ରାର୍ଥୀ କରିଛି ଭୃଗୁ ବକ୍ସିପାତ୍ରଙ୍କୁ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜଣେ ସୁନାମଧନ୍ୟ ନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ ଭୃଗୁ ବ୍ରହ୍ମପୁରରେ ନବାଗତ । ତାଙ୍କ ପାଇଁ ଏହି ଆସନ ସମ୍ପୂର୍ଣ ଭାବେ ନୂଆ । ସେ କେବଳ ମୋଦି କ୍ରେଜ ଓ କେନ୍ଦ୍ରୀୟ ଯୋଜନାର ଛାତ୍ରଛାୟାରେ ଲଢୁଛନ୍ତି । ତାଙ୍କ ପାଇଁ ପ୍ରଚାରକୁ କେନ୍ଦ୍ରୀୟ ନେତାମାନେ ଓଲହାଇଛନ୍ତି । ଅମିତ ଶାହା 2017ରେ ବ୍ରହ୍ମପୁରରୁ ହିଁ ମିଶନ 120 ପ୍ଲସର ଆହ୍ୱାନ ଦେଇଥିଲେ । ଗଂଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ବୁଜେପି ଏଠାରେ ବିଜେଡିର ଗଡ଼ ଭାଙ୍ଗୁବାକୁ ସବୁ ପ୍ରକାର ଉଦ୍ୟମ କରିଛି । ଗତ ପାଞ୍ଚ ବର୍ଷରେ ନିୟମିତ ବ୍ୟବଧାନରେ ଏଠାକୁ କେନ୍ଦ୍ରୀୟ ନେତାମାନେ ଗସ୍ତ କରିଛନ୍ତି । ହେଲେ ବିଜେପିର ସାଙ୍ଗଠନିକ ଦୁର୍ବଳତା ଏବଂ ତୀବ୍ର ଗୋଷ୍ଠି କନ୍ଦଳ ଦଳକୁ ସଫଳତାର ସୋପାନ ଚଢେଇ ଦେଉନି । ସବୁଠୁ ବଡ କଥା ହେଉଛି ବିଜେପିରେ ଗଂଜାମ ଜିଲ୍ଲାକୁ ନେତୃତ୍ୱ ଦେଲାଭଳି ସ୍ଥାନୀୟ ନେତା ନାହାନ୍ତି ବୋଲି କିଛି ବରିଷ୍ଠ ସାମ୍ବାଦିକ ମତପ୍ରକାଶ କରିଛନ୍ତି ।

ପୂର୍ବରୁ ବ୍ରହ୍ମପୁର କଂଗ୍ରେସର ଗଡ଼ ଥିଲେ ବି ସାଙ୍ଗଠନିକ ଦୋଷ ଦୁର୍ବଳତା ଓ ନେତୃତ୍ୱ ଲଢେଇରେ ଏହି ସର୍ବପୁରାତନ ଜାତୀୟ ଦଳ ନିଜର ପାରମ୍ପରିକ ଭୋଟ ବ୍ୟାଙ୍କକୁ ହାତଛଡା କରିଛି । ପ୍ରାର୍ଥୀ ଶଙ୍କଟରେ ଥିବା କଂଗ୍ରେସ ଦିଲ୍ଲୀର ଜଣେ ଶିଳ୍ପପତିଙ୍କୁ ପ୍ରାର୍ଥୀ କରିଛି । ଚନ୍ଦ୍ରଶେଖର ନାଇଡୁଙ ପୈତୃକ ସମ୍ପର୍କ ବ୍ରହ୍ମପୁର ସହ ଥିଲେ ବି ସେ ରାଜନୀତିରେ ଜଣେ ନବାଗତ । କଂଗ୍ରେସର ପାରମ୍ପରିକ ଭୋଟ ଓ ରାହୁଲ ଗାନ୍ଧୀଙ୍କ ଇସ୍ତାହାର ପ୍ରତିଶ୍ରୁତିକୁ ଆଶ୍ରା କରି ସେ ନିଜ ରାଜନୈତିକ ଭାଗ୍ୟ ପରଖୁଛନ୍ତି । ଏମିତି ଏକ ରାଜନୈତିକ ଦୃଶ୍ୟପଟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦୁଇ ନମ୍ବର ସ୍ଥାନ ପାଇଁ ଲଢେଇ ହେଉଥିବା ରାଜନୈତିକ ସମୀକ୍ଷକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + 16 =