ନିଜ ଦଳରେ ଯୋଗ ଦେବାକୁ ବିଜୟ -ଦିଲୀପଙ୍କୁ ଦାମଙ୍କ ଆହ୍ୱାନ

ବିଜେପିରୁ ଇସ୍ତଫା ଦେଇଥିବା ଦିଲୀପ ଓ ବିଜୟ ବିଜେଡିରେ ଯୋଗ ଦେବେ ବୋଲି ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଡା. ଦାମୋଦର ରାଉତ ଏମିତି କହିଛନ୍ତି।

ସେ କହିଛନ୍ତି,“ସ୍ଥିତି ରକ୍ଷା କରିବା ପାଇଁ ସେ (ନବୀନ ପଟ୍ଟନାୟକ) ରାତାରାତି ନୀତି ବଦଳାନ୍ତି। ତାଙ୍କର ନୀତି ଆଦର୍ଶ କିଛି ନାହିଁ। ତେଣୁ କାଲି ଯାହାଙ୍କୁ ସେ ଅତି ନିନ୍ଦିତ ଅବସ୍ଥାରେ ଦଳରୁ ବିଦା କରିଥିଲେ, ଏବେ ଯଦି ନିଜ ସ୍ଥିତି ରକ୍ଷା କରିବା ପାଇଁ ପୁଣି ସେମାନଙ୍କୁ ଡାକୁଛନ୍ତି, ତା’ହେଲେ ତାହା ଯେଉଁମାନେ ଆସିବେ, ସେମାନଙ୍କ ଉପରେ ବେଶି ନିର୍ଭର କରେ।”

ଦାମ କହିଛନ୍ତି,“ଯେଉଁମାନେ ତାଙ୍କୁ (ନବୀନଙ୍କୁ) ଡାକି ଆଣି ବିଜୁ ଜନତା ଦଳ ଗଠନ କରି ନେତା କରିଥିଲେ, ସେ ସେମାନଙ୍କୁ ପ୍ରଥମେ ଜଣ ଜଣ କରି କାଢ଼ିଲେ। ସେମାନଙ୍କର ସ୍ୱାଭିମାନ ଅଛି ନା ନାହିଁ? ସେମାନେ କି ଅପରାଧ କରିଥିଲେ ବୋଲି ସେମାନଙ୍କୁ ବାହାର କରିଥିଲେ? କେଉଁ ଅବସ୍ଥାରେ ବାହାର କରିଥିଲେ? ସେତେବେଳେ ସାଧାରଣ ସୌଜନ୍ୟ ରକ୍ଷା କରିଥିଲେ କି?”

ସେ କହିଛନ୍ତି, ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କୁ ନବୀନ ପଟ୍ଟନାୟକ ତାଙ୍କ ଦଳକୁ ଡାକୁଛନ୍ତି କି ନାହିଁ ମୁଁ ଜାଣିନି। ଏମାନେ ଯାଉଛନ୍ତି କି ନାହିଁ ମୁଁ ଜାଣିନି। ଯଦି ଏମିତି କିଛି ପ୍ରଚାର ହେଉଛି, ତା’ହେଲେ ମୁଁ ବିଶ୍ୱାସ କରିପାରୁନି ଯେ ଦିଲୀପ ରାୟ ଓ ବିଜୟ ମହାପାତ୍ର ପୁଣି ତାଙ୍କ ପାଖକୁ ଫେରିବେ, ଯିଏ ତାଙ୍କୁ ଧକ୍କା ଦେଇ ଅପମାନଜନକ ଅବସ୍ଥାରେ ବିଦା କରିଥିଲେ।

ଦାମ କହିଛନ୍ତି, ଉଭୟ ଦିଲୀପ ରାୟ ଓ ବିଜୟ ମହାପାତ୍ର ପୋଖତ ନେତା। ସେମାନେ ବିଜୁ ପଟ୍ଟନାୟକଙ୍କ ଅମଳରୁ ରାଜନୀତିରେ ଅଛନ୍ତି। ସେମାନେ ବିଜୁ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଦୃଷ୍ଟିଭଙ୍ଗୀକୁ ଭଲ ଭାବେ ଜାଣିଛନ୍ତି। ଯଦି ତାକୁ ଆଧାର କରି ସେମାନେ କିଛି ନିଷ୍ପତ୍ତି ନେବେ, ତା’ହେଲେ ମୁଁ ସ୍ୱାଗତ କରିବି।

ପରୋକ୍ଷରେ ସେ ଉଭୟ ନେତାଙ୍କୁ ନିଜ ଦଳ ବିଜୁ ସମତାକ୍ରାନ୍ତି ଦଳକୁ ଆମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି, ରାଜ୍ୟଵାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି। ଯେଉଁମାନେ ପରିବର୍ତ୍ତନ ଚାହୁଁଛନ୍ତି, ସେମାନଙ୍କ ମଧ୍ୟରୁ ମୁଁ ଜଣେ। ତେଣୁ ଯେଉଁମାନେ ପରିବର୍ତ୍ତନ ଚାହୁଁଛନ୍ତି ସେମାନେ ଗୋଟିଏ ଦଳ ତଳେ ଏକାଠି ହୁଅନ୍ତୁ।

Share

Leave a Reply

Your email address will not be published. Required fields are marked *

15 − two =