ଶାହାଙ୍କ ଚାଲ କାମ ଦେବନି

ଭୁବନେଶ୍ବର, (ନିପ୍ର): ଲୋକସଭା ଓ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବିଧି ଆୟୋଗକୁ ଚିଠି ଲେଖିଥିବା ବେଳେ ନିର୍ବାଚନ କମିଶନ ଓପି ରାୱତ କିନ୍ତୁ ଏହାକୁ ଅସମ୍ଭବ ବୋଲି କହିଛନ୍ତି । ଶାହା ନିକଟରେ ବିଧି ଆୟୋଗକୁ ପତ୍ର ଲେଖି କହିଥିଲେ ଯେ ସବୁବେଳେ ଦେଶ ନିର୍ବାଚନ ମୂଡ଼ରେ ରହିବା ସମ୍ଭବ ନୁହେଁ। ସେ ଚାହୁଁଥିଲେ ଯେ ୨୦୧୯ରେ ଲୋକସଭା ଓ ବିଭିନ୍ନ ବିଧାନସଭା ନିର୍ବାଚନ ଏକତ୍ର ହେଉ।

ଖବର ଅନୁସାରେ ଆସନ୍ତା ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ୫ଟି ବିଧାନସଭା ନିର୍ବାଚନ ଉପରେ ହିଁ ନିର୍ବାଚନ କମିଶନର ଦୃଷ୍ଟି ରହିଛି ଓ କେବଳ ଏତିକି ନିର୍ବାଚନ ପାଇଁ ହିଁ କମିଶନ ପ୍ରସ୍ତୁତି ଆରମ୍ଭ କରିଛି। କମିଶନ ଏଥିପାଇଁ ଦରକାର ହେଉଥିବା ୧୭ ଲକ୍ଷ ଭିଭିପାଟ (ଭୋଟର ଭେରିଫାଏବଲ ପେପର ଅଡିଟ ଟ୍ରେଲ) ୟୁନିଟ, ୧୪ ଲକ୍ଷ ବ୍ୟାଲଟ ୟୁନିଟ ଓ ୯ ଲକ୍ଷ କଣ୍ଟ୍ରୋଲ ୟୁନିଟ ପାଇଁ ଅର୍ଡର କରିଛି।

ଲୋକସଭା ନିର୍ବାଚନ ସହିତ ଅନ୍ୟ ଯେଉଁ ୫ ରାଜ୍ୟର ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ ସେଗୁଡିକ ହେଲା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ସିକିମ ଓ ଅରୁଣାଚଳ ପ୍ରଦେଶ। ନିର୍ବାଚନ ଆୟୋଗ ପକ୍ଷରୁ ଭିଭିପେଟ ଓ ଇଭିଏମ କଣ୍ଟ୍ରୋଲ ୟୁନିଟ ପାଇଁ ଯେଉଁ ଦୁଇଟି ରାଷ୍ଟ୍ରାୟତ୍ତ ସଂସ୍ଥା – ଭାରତ ଇଲେକ୍ଟ୍ରୋନିକ୍ସ ଲି ଓ ଇଲେକ୍ଟ୍ରୋନିକସ୍ କରପୋରେସନ ଲି -ପାଖକୁ ଅର୍ଡର ପଠାଯାଇଥିଲା ସେ ସବୁ ଆସନ୍ତା ମାସରେ ଡେଲିଭେରୀ ଦେବାର କାର୍ଯ୍ୟକ୍ରମ ରହିଛି। ଭିଭିପିଟି ପାଇଁ ହାତରେ ଆଉ ଦୁଇ ମାସ ଅଧିକ ସମୟ ଦିଆଯାଇଛି। ମୋଟାମୋଟି ଭାବେ ୨୦୧୯ ନିର୍ବାଚନ ପାଇଁ ଯେତିକି ଭୋଟିଂ ମେସିନ ଦରକାର ତାହା ଡିସେମ୍ବର ସୁଦ୍ଧା ନିର୍ବାଚନ କମିଶନ ପାଖକୁ ଆସିଯିବ।

ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ଯଦି ସମଗ୍ର ଦେଶରେ ଏକାଥରକେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନିଆଯିବ ତେବେ ୩୪ ଲକ୍ଷ ବ୍ୟାଲେଟ ୟୁନିଟ, ୨୬ ଲକ୍ଷ କଣ୍ଟ୍ରୋଲ ୟୁନିଟ ଓ ୨୭ ଲକ୍ଷ ଭିଭିପେଟ ଆବଶ୍ୟକ ପଡିବ। ଆହୁରି ମଧ୍ୟ, ନିର୍ବାଚନ କମିଶନ ପକ୍ଷରୁ ବିଧାନସଭା ଓ ଲୋକସଭା ପାଇଁ ଏକାଥରକେ ନିର୍ବାଚନ କରିବାକୁ ହେଲେ ଯେତିକି ଭୋଟିଂ ମେସିନ ଦରକାର ତାହା ଅର୍ଡର କରାଯାଇପାରିବ ଯଦି ନିର୍ବାଚନ ଆଇନର ସଂଶୋଧନ କରାଯିବ ଓ ଆବଶ୍ୟକୀୟ ସମ୍ବିଧାନ ସଂଶୋଧନ ମଧ୍ୟ ହେବ।ତାହା ନହେବା ପର୍ଯ୍ୟନ୍ତ ନିର୍ବାଚନ କମିଶନ ଗୋଟିଏ ବି ଅଧିକ ମେସିନ ପାଇଁ ଅର୍ଡର ଦେଇ ପାରିବେନାହିଁ।

ମୁଖ୍ୟ ନିର୍ବାଚନ କମିଶନର ଟାଇମସ ଅଫ ଇଣ୍ଡିଆକୁ ନିକଟରେ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ଏକକାଳୀନ ନିର୍ବାଚନ ପାଇଁ ଦରକାର ହେଉଥିବା ଭୋଟ ଗ୍ରହଣ ମେସିନ ଓ ଅନ୍ୟ ସରଞ୍ଜାମକୁ ରାତାରାତି ଅର୍ଡର କରାଯାଇପାରିବ ନାହିଁ କାରଣ ଏଥିରେ କିଛି ଆଇନଗତ କଟକଣା ରହିଛି। ଲିଗଲ ଫ୍ରେମୱର୍କର ଅନୁପସ୍ଥିତିରେ ମନଇଛା ଭୋଟ ଗ୍ରହଣ ହୋଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଏଣୁ ୨୦୧୯ରେ ଏକାଥରକେ ସମସ୍ତ ରାଜ୍ୟ ଓ କେନ୍ଦ୍ରରେ ନିର୍ବାଚନ ହେବା ଆଦୌ ସମ୍ଭବ ନୁହେଁ ଏହା ଜଳଜଳ ଦେଖାଯାଉଛି।

ମୁଖ୍ୟ ନିର୍ବାଚନ କମିଶନ ଓପି ରାୱତ ଏକକ ନିର୍ବାଚନ ସମ୍ବନ୍ଧରେ ୨୦୧୫ରେ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ  । ଏଥିପାଇଁ ସମ୍ବିଧାନ ଏବଂ ଜନ ପ୍ରତିନିଧୀତ୍ୱ ନିୟମରେ ସଂଶୋଧନ କରିବାର ଆବଶ୍ୟକତା ରହିଛି । ସଂଶାଧନ ପରେ ଅନ୍ୟ ଦରକାରୀ ଜିନିଷ ତଥା ଇଭିଏମ ଏବଂ ସୁରକ୍ଷାକର୍ମୀ ପର୍ଯ୍ୟାପ୍ତ ପରିମାଣରେ ଯୋଗାଗଲେ ଏକ ସଙ୍ଗେ ନିର୍ବାଚନ ସମ୍ଭବପର ହୋଇପାରିବ । ୧୯୬୭ ମସିହା ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ଚାରୋଟି ନିର୍ବାଚନ ଏକ ସଙ୍ଗେ ହୋଇଥିଲା । କିନ୍ତୁ ବର୍ତମାନର ପରିସ୍ଥିତି ସେ ସମୟଠାରୁ ଭିନ୍ନ ଥିବା ନିର୍ବାଚନ କମିଶନ କହିଛନ୍ତି ।

୧୧ ରାଜ୍ୟରେ ଏକକାଳୀନ ନିର୍ବାଚନ ପାଇଁ ବିଜେପି ଯୋଜନା କରିଛି  । ଅନେକ ବିଜେପି ଶାସିତ ରାଜ୍ୟରେ ବିଜେପି ସରକାରକୁ ଫେରିବା ନେଇ ସନ୍ଦେହ ଥିବାବେଳେ ମୋଦିଙ୍କ ହାୱାରେ ବାଜିମାତ କରିବାକୁ ଦଳ ରଣନୀତି କରିଛି  । ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମିଜୋରାମରେ ରାଜ୍ୟପାଳ ଶାସନ ଜାରି କରିବାକୁ ଯୋଜନା କରାଯାଇଥିବାବେଳେ ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ବିହାରରେ ଆଗୁଆ ନିର୍ବାଚନ କରିବା ପାଇଁ ଯୋଜନା କରାଯାଇଛି  । ଅପରପକ୍ଷରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେଉଥିବାରୁ ଏହି ତିନି ରାଜ୍ୟ ପାଇଁ କୌଣସି ସମସ୍ୟା ନାହିଁ  । ଏଭଳି ଭାବେ ୧୧ ରାଜ୍ୟ ପାଇଁ ବିଜେପି ଅଙ୍କକଷା ଆରମ୍ଭ କରିଦେଇଛି  ।

ପୂର୍ବରୁ ୨୦୧୮ରେ ନିର୍ବାଚନ ହେବବୋଲି ଚର୍ଚ୍ଚା ହେଉଥିଲା  । କିନ୍ତୁ ଏବେ ସେଭଳି ସମ୍ଭାବନା ଆଉ ନାହିଁ  । ୨୦୧୯ ଜାନୁଆରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିଛନ୍ତି  । ଫଳରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବବୋଲି ଚର୍ଚ୍ଚା ହେଉଛି  ।  ସେହିପରି ମୋଦି ସରକାର ସାରା ଭାରତରେ ଏକକାଳୀନ ନିର୍ବାଚନ କରିବାକୁ ଚାହୁଁଥିବାବେଳେ ଅନେକ ବିରୋଧୀ ଦଳ ଏଭଳି ଯୋଜନାକୁ ବିରୋଧ କରିଆସୁଛନ୍ତି  । ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକକାଳୀନ ନିର୍ବାଚନକୁ ସମର୍ଥନ କରୁଥିବାବେଳେ ନବୀନ ହିଁ ଏକକାଳୀନ ନିର୍ବାଚନର ପ୍ରବକ୍ତା ବୋଲି ବିଜେଡ଼ି ଯୁକ୍ତି ବାଢ଼ିଛି  । ବିଶେଷକରି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନରେ ସମ୍ଭାବ୍ୟ ପରାଜୟର ଭୟ ପାଇଁ ବିଜେପି ଏଭଳି ଯୋଜନା କରିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି  ।

ସେହିପରି ଯେଉଁ ଯେଉଁ ରାଜ୍ୟରେ ରାଷ୍ଟ୍ରପତି ନିର୍ବାଚନ ଜାରି କରି ନିର୍ବାଚନ ଘୁଂଚାଇବାକୁ ବିଜେପି ଚାହୁଁଛି ସେନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ସାଧାରଣତଃ ସାମ୍ବିଧାନିକ ସଂକଟ ସୃଷ୍ଟିହେଲେ ହିଁ ରାଷ୍ଟ୍ରପତି ଶାସନ ଜାରି ହୋଇଥାଏ  । ଏଭଳି କ୍ଷେତ୍ରରେ ନିର୍ବାଚନ ପାଇଁ ରାଷ୍ଟ୍ରପତି ଶାସନ ଜାରି ହେଲେ ବିରୋଧୀ ଦଳଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି  ।

Share

Leave a Reply

Your email address will not be published. Required fields are marked *

two × 1 =