ଦିଲ୍ଲୀରେ ପ୍ରତାପଙ୍କ ରୋଡ଼ ସୋ

ଆସନ୍ତା ମେକ୍ ଇନ୍ ଓଡ଼ିଶା କନ୍‍କ୍ଲେଭକୁ ଦୃଷ୍ଟିରେ ରଖି ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଘରୋଇ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଆଜି ନୂଆଦିଲ୍ଲୀଠାରେ ଏକ ରୋଡ୍ ସୋ’ର ଆୟୋଜନ କରିଥିଲେ ।

ନୂଆଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶାର ଶିଳ୍ପ ସହଯୋଗୀ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ପର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହଯୋଗିତାରେ ଏହି ରୋଡ୍ ସୋ ଆୟୋଜିତ ହୋଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଫର୍ଟିସ୍, ନାରାୟଣ ହୃଦାଳୟ, ମେଡିକା ସିନର୍ଜିଜ୍, ଜିଇ, ଫିଲିପ୍ସ, ଏସ୍ଆର୍ଏଲ୍ ଡାଏଗ୍ନୋଷ୍ଟିକ୍ସ, ଡ. ଲାଲ୍ସ ପାଥୋଲାବ୍ସ ଲିମିଟେଡ୍ ପ୍ରମୁଖ ଥିଲେ ।

ଏହି ରୋଡ୍ ସୋ’ରେ ଉଦ୍‍ବୋଧନ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଏଭଳି ଏକ ପୁଞ୍ଜିନିବେଶ ପରିବେଶ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି, ଯେଉଁଠାରେ କି ରାଜ୍ୟରେ ପ୍ରାଥମିକତା ଜିଲ୍ଲାଗୁଡ଼ିକର ସ୍ୱାସ୍ଥ୍ୟସେବା ଅଭିବୃଦ୍ଧିରେ ପବ୍ଲିକ୍ ଓ ପ୍ରାଇଭେଟ୍ କମ୍ପାନିଗୁଡ଼ିକ ଏକ ପ୍ରମୁଖ ଭୂମିକା ତୁଲାଇବେ ।

ଘରୋଇ କ୍ଷେତ୍ର ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ସରକାର ବୁଝିଛନ୍ତି ଏବଂ ସରକାରୀ ଘରୋଇ ସହଭାଗିତା (ପିପିପି)ରେ ହସ୍ପିଟାଲ ସ୍ଥାପନ ପାଇଁ ନିବେଶକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ସୁନିଶ୍ଚିତ କରିଛନ୍ତି ।

ଏଥିପାଇଁ ସରକାର ୨୦୧୬ରେ ଆଣିଥିବା ରାଜ୍ୟ ସ୍ୱାସ୍ଥ୍ୟସେବା ପୁଞ୍ଜିନିବେଶ ପ୍ରୋତ୍ସାହନ ନୀତିରେ ପ୍ରତିଯୋଗିତାମୂଳକ ମୂଲ୍ୟରେ ଜମି ଯୋଗାଇ ଦେଉଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ବର୍ଷଗୁଡ଼ିକ ନିମନ୍ତେ ଭାଏବିଲିଟି ଗ୍ୟାପ୍ ଫଣ୍ଡ୍‍ ଯୋଗାଣ ସମେତ ବିଭିନ୍ନ ପ୍ରକାର ସୁବିଦା ଦେଉଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ରାଜ୍ୟର ଆଭ୍ୟନ୍ତରୀଣ ଇଲାକାରେ ବାସ କରୁଥିବା ନିମ୍ନ ଆୟକାରୀ ବର୍ଗର ଲୋକମାନେ ଅଧିକ ଦୂରକୁ ନ ଯାଇ ସ୍ଥାପନ ହେବାକୁ ଥିବା ହସ୍‍ପିଟାଲରେ ବିନାମୂଲ୍ୟରେ ଚିକିତ୍ସା ସୁବିଧା ପାଇବେ ।

ଏହି ଅବସରରେ ନିବେଶକମାନଙ୍କୁ ପିପିପି ମୋଡ୍ରେ ଝାରସୁଗୁଡ଼ାରେ ପ୍ରସ୍ତାବିତ କ୍ୟାନ୍ସର ହସ୍‍ପିଟାଲର ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଥିବା ନିବେଶ ସୁଯୋଗକୁ ପ୍ରଦର୍ଶନ କରାଯାଇଥିଲା । ପ୍ରସ୍ତାବିତ କ୍ୟାନ୍ସର୍ ହସ୍ପିଟାଲ୍ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକର ୮୩ ଲକ୍ଷ ଲୋକଙ୍କୁ ଉତମ ମାନର କ୍ୟାନ୍ସର୍ ଚିକିତ୍ସା ସୁବିଧା ଯୋଗାଇବ ।

ଓଡ଼ିଶା ସରକାର ଏହି ହସ୍‍ପିଟାଲର ଡିଜାଇନ୍, ଫାଇନାନ୍ସ, ଭିତିଭୂମି ନିର୍ମାଣ ଓ ମେଡିକାଲ୍ ଉପକରଣ କ୍ରୟ କରିବା ବେଳେ ଘରୋଇ ସହଯୋଗୀ ସଂସ୍ଥା ରକ୍ଷଣାବେକ୍ଷଣ ଓ ହସ୍ପିଟାଲ ପରିଚାଳନା ଦାୟିତ୍ୱ ତୁଲାଇବ । ଫଳରେ ଲୋକମାନେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ପ୍ରମୁଖ ଜାତୀୟ କମ୍ପାନିି ମଧ୍ୟରେ ଆପୋଲୋ ହସ୍ପିଟାଲ୍ସ, କେୟାର ହସ୍ପିଟାଲ୍ସ, ଆମ୍ରି ହସ୍ପିଟାଲ୍ସ, ଏଲ୍ଭି ପ୍ରସସାଦ ଆଇ ଇନ୍ଷ୍ଟିଚ୍ୟ୍ୟୁଟ୍, ସନ୍‍ସାଇନ୍‍ ହସ୍ପିଟାଲ୍ସ ପ୍ରମୁଖ ରହିଛନ୍ତି ।

ଏହି ରୋଡ୍ ସୋ’ ଅବସରରେ ପିପିପି ଏବଂ ପିଏମ୍, ପ୍ଲାନିଂ ଓ କନ୍ଭର୍ଜେନ୍ସ ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା, ଓଡ଼ିଶା ରାଜ୍ୟ ମେଡିକାଲ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ

Share

Leave a Reply

Your email address will not be published. Required fields are marked *

4 × 3 =