ବିଜେଡି ସରକାରକୁ ଆସିଲେ ପ୍ରଥମ ଦିନରେ ମିଳିବ କାଳିଆର ଦୁଇଟି କିସ୍ତି

ଭୁବନେଶ୍ବର () ଜୟପୁର ନିର୍ବାଚନୀ ସଭାରେ ବିରୋଧୀଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହାସହ ବିଜେଡି ଇସ୍ତାହାର ପତ୍ରର ପ୍ରଥମ କାର୍ଡ ଖୋଲିଛନ୍ତି ନବୀନ । ବିଜେଡି ନିଜ ଇସ୍ତାହାରରେ ଚାଷୀ କଲ୍ୟାଣକୁ ଏକ ନମ୍ବରରେ ରଖିଥିବା ସେ କହିଛନ୍ତି । ବିଜେଡି ସରକାର ଗଠନ କରିବାର ପ୍ରଥମ ଦିନରେ ହିଁ ବାକି ଥିବା 25 ଲକ୍ଷ ଚାଷୀ କାଳିଆ ଯୋଜନାର ଦୁଇଟି କିସ୍ତି 10 ହଜାର ଟଙ୍କା ଏକା ଥରକେ ପାଇବେ । କେହି ଜଣେ ହେଲେ ବି ଚାଷୀ ଏଥିରୁ ବଂଚିତ ହେବେ ନାହିଁ, ଏବେ ନୁହେଁ କି କେବେ ନୁହେଁ ବୋଲି ଦୃଢତାର ସହ ଘୋଷଣା କରିଛନ୍ତି ନବୀନ ।

ନିକଟରେ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିବା ବେଳେ ଏପ୍ରିଲ ପହିଲାରେ 25 ଲକ୍ଷ ଚାଷୀଙ୍କୁ ରବି ଫସଲ ପାଇଁ କାଳିଆ ସହାୟତା ମିଳିବା କଥା । କିନ୍ତୁ ବିରୋଧୀ ଦଳର ଅଭିଯୋଗ ଆଧାରରେ ଏହି ଯୋଜନାରେ ସହାୟତା ପ୍ରଦାନ ଉପରେ ଅଙ୍କୁଶ ଲଗାଯାଇଛି । ଯଦିଓ ଏହି ଯୋଜନା ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ବହୁ ପୂର୍ବରୁ କାର୍ଯ୍ୟକାରୀ ହୋଇଛି ଏବଂ ହିତାଧିକାରୀ ବି ପୂର୍ବରୁ ଚିହ୍ନଟ ହୋଇଛନ୍ତି ତଥାପି ଏହା ଉପରେ ଅଙ୍କୁଶ ଲାଗିଛି । ଏହି ପୃଷ୍ଠଭୂମୀରେ ଆଜି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

କାଳିଆ ଯୋଜନାରେ ବର୍ତ୍ତମାନ  ସୁଦ୍ଧା 40 ଲକ୍ଷ ଚାଷୀ ଉପକାର ପାଇଲେଣି । ଆଉ 25 ଲକ୍ଷ ଚାଷୀଙ୍କ ତାଲିକା ତିଆରି ହୋଇଛି । ତାଲିକାରେ ଥିବା ସବୁ ଚାଷୀ ଏହି ଯୋଜନାର ଲାଭ ପାଇବେ ।

ଏଥିସହିତ ସେ କେନ୍ଦ୍ରର ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, ଫାଇଲିନ ହେଲା ଆସିଲେନି, ହୁଡ ହୁଡ ହେଲା ଆସିଲେନି । ପୋଲାଭରମ କାହା ସ୍ବାର୍ଥରେ? ଗରିବ ଆଦିବାସୀଙ୍କ କଥା ମନେ ପଡିଲାନି, କେବିକେ ଯୋଜନା କାହିଁକି ବନ୍ଦ କଲ ? ଆଦିବାସୀଙ୍କ ପ୍ରତି, ପଛୁଆ ଅଂଚଳ ପ୍ରତି ଦରଦ ଏମିତି ? ଗରିବ ଅନୁସୂଚିତ ଜାତି ଜନଜାତି ପିଲାଙ୍କ ବୃତ୍ତି କାହିଁକି ବନ୍ଦ କଲ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଜଳସେଚନ ପାଇଁ ଓଡିଶା ଖର୍ଚ୍ଚ କରିଛି 20ହଜାର କୋଟି ଟଙ୍କା । କେନ୍ଦ୍ର ଦେଇଛି ମାତ୍ର 250 କୋଟି । ଚାଷୀ ଭାଇମାନଙ୍କ ପାଇଁ ଦରଦ ଏମିତି କି ବୋଲି ସେ ପ୍ରଶ୍ନ କରିଛନ୍ତି । କାହିଁକି ବନ୍ୟାରେ, ବାତ୍ୟାରେ ଓଡିଶାକୁ ସହଯୋଗ ମିଳୁନାହିଁ ବୋଲି ସେ ପ୍ରଶ୍ନ କରିବା ସହ ଆକ୍ଷେପ କରିଛନ୍ତି ଯେ, ନିର୍ବାଚନ ବେଳ ବିଜେପିର ବଡ ବଡ ନେତାମାନେ ଆସିବେ ଆଉ ବଡ ବଡ କଥା କହିବେ । ତାପରେ ଦେଖା ମିଳିବ ନାହିଁ, ସେମାନେ ଖାଲି ଓଡିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ହେଲେ ରାଜ୍ୟର ସାଢେ 4 କୋଟି ଓଡିଶାବାସୀ ମୋ ପରିବାର ଓ ମୁଁ ସବୁବେଳେ ଆପଣଙ୍କ ପାଖରେ ଅଛି ଓ ରହିବ ବୋଲି କହିଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

17 − five =