ଦ୍ଵିଜଦାସ ବସକ ହେଲେ ଟିପିଏନଓଡିଏଲର ନୂଆ ସିଇଓ

ବାଲେଶ୍ଵର : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଦ୍ଵିଜଦାସ ବସକ ଫେବୃଆରୀ ୨୪ ତାରିଖରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଦ୍ୟୁତ ବିତରଣ କ୍ଷେତ୍ରରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟର ଅଭିଜ୍ଞତା ରଖିଥିବା ଶ୍ରୀ ବସକ ଦେଶ ବିଦେଶର ବହୁ ନାମିଦାମୀ ବିଦ୍ୟୁତ ବିତରଣ କମ୍ପାନୀରେ ଉଚ୍ଚ ପଦବୀରେ ଗୁରୁ ଦାୟିତ୍ଵ ବହନ କରିଛନ୍ତି। ସେ ପଶ୍ଚିମବଙ୍ଗ ସ୍ଥିତ ‘ଆଇଆଇଇଏସଟି’ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବାବେଳେ ଆଇଆଇଏମ ବେଙ୍ଗାଲୁରୁ ଓ ଆଇଆଇଏମ ଅହମ୍ମଦାବାଦରୁ ପରିଚାଳନା କ୍ଷେତ୍ରରେ ଡିଗ୍ରୀ ହାସଲ କରିଛନ୍ତି। ବିଦ୍ୟୁତ ବିତରଣ ଓ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ନିଜର ଅଭିମତ ରଖି ଶ୍ରୀ ବସକ କହିଛନ୍ତି ଯେ, “ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରତିଶୃତିବଦ୍ଧ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଅଭିନବ ପରିଚାଳନା ପଦ୍ଧତି ଦ୍ଵାରା ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଲାଗି ସର୍ବଦା ପ୍ରୟାସ ଜାରି ରହିବ”। ଏଥି ସହ ତାଙ୍କ ଉପରେ ଆସ୍ଥା ରଖି ତାଙ୍କୁ ସିଇଓ ଭାବେ ନିଯୁକ୍ତି ଦେଇଥିବା ଟିପିଏନଓଡିଏଲ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି। ଟିପିଏନଓଡିଏଲର ସିଇଓ ଭାବେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଶ୍ରୀ ବସକ ଭୁବନେଶ୍ବରରେ ଟିପିସିଓଡିଏଲର ସିଓଓ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ। ଏହା ପୂର୍ବରୁ ସେ ଟିପିଡିଡିଏଲରେ କମର୍ସିଆଲ ଓ ସୋସିଆଲ ଇମ୍ପାକ୍ଟ ଗୃପ୍ ମୁଖ୍ୟ ଭାବେ ନିଯୁକ୍ତ ଥିଲେ।
ସୂଚନାଥାଉକି ଟିପିଏନଓଡିଏଲ ରାଜ୍ୟର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ଦାୟିତ୍ଵ ତୁଲାଇ ଆସୁଛି। ପ୍ରାୟ ୨୦ଲକ୍ଷରୁ ଅଧିକ ଉପଭୋକ୍ତା ପଞ୍ଜୀକୃତ ହୋଇଥିବାବେଳେ ୯୭ଲକ୍ଷ ଲୋକଙ୍କୁ ବିଜୁଳି ସେବା ଯୋଗାଉଛି। ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୨୭ହଜାର ୯୨୦ ବର୍ଗ କିଲୋମିଟର ଅଞ୍ଚଳକୁ ଟିପିଏନଓଡିଏଲ ବିଦ୍ୟୁତ ବିତରଣ କରୁଛି।

Share

Leave a Reply

Your email address will not be published. Required fields are marked *

four × two =