ଟିପିଏସ୍ଓଡିଏଲକୁ ‘ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୩’ ସମ୍ମାନ

ଲଗାତାର ଭାବେ ତୃତୀୟ ଥର ପାଇଁ ବିଦ୍ୟୁତ ସୁରକ୍ଷା ପୁରସ୍କାର ଗ୍ରହଣ

ବ୍ରହ୍ମପୁର, ୨୦୨୩ ଜୁଲାଇ ୧: ବ୍ରହ୍ମପୁର ସର୍କଲ୍ ଅଧୀନସ୍ଥ ୩୩/୧୧ ଖଣ୍ଡଦେଉଳି ପ୍ରାଥମିକ ସବ୍-ଷ୍ଟେସନରେ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ବିଦ୍ୟୁତ ସୁରକ୍ଷା ବ୍ୟବସ୍ଥା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ)କୁ ‘ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୩’ରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟ ଯନ୍ତ୍ରୀ (ବିଦ୍ୟୁତ) ତଥା ପ୍ରଧାନ ମୁଖ୍ୟ ବିଦ୍ୟୁତ ନିରୀକ୍ଷକ (ପିସିଇଆଇ)ଙ୍କ ପକ୍ଷରୁ ଆୟୋଜିତ ଚତୁର୍ଥ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୩ ଅବସରରେ ଓଡ଼ିଶାର ମାନ୍ୟବର ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ଘୋଷଣା କରାଯାଇଛି ।

ଶ୍ରେଷ୍ଠ ସୁରକ୍ଷା ପ୍ରଥା ଲାଗି ଟିପିଏସ୍ଓଡିଏଲକୁ ଲଗାତାର ଭାବେ ତୃତୀୟ ଥର ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ‘ମିସନ ଜିରୋ ହାର୍ମ’ (ଶୂନ୍ୟ ଆଘାତ ଲକ୍ଷ୍ୟ) କାର୍ଯ୍ୟକ୍ରମ ପାଇଁ ୨୦୨୧ରେ ଏବଂ ବ୍ରହ୍ମପୁର ସର୍କଲ୍ ଅଧୀନସ୍ଥ ୩୩/୧୧କେଭି ବାଲୁଗାଁ ପ୍ରାଥମିକ ସବ୍-ଷ୍ଟେସନ ପାଇଁ ୨୦୨୨ରେ କଂପାନିକୁ ବିଜେତା ଘୋଷଣା କରାଯାଇଥିଲା ।

ବ୍ରହ୍ମପୁର ସର୍କଲ୍ ଅଧୀନସ୍ଥ ୩୩/୧୧ କେଭି ଖଣ୍ଡଦେଉଳି ପ୍ରାଥମିକ ସବ୍-ଷ୍ଟେସନରେ କାର୍ଯ୍ୟକାରୀ କରାଯାଇଥିବା ଉଲ୍ଲେଖନୀୟ ବିଦ୍ୟୁତ ସୁରକ୍ଷା ବ୍ୟବସ୍ଥା ପାଇଁ ଟିପିଏସ୍ଓଡିଏଲକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ସ୍କାଡା କାର୍ଯ୍ୟକାରୀତା, ବିଦ୍ୟୁତ ଉପକରଣର ସୁରକ୍ଷା ବ୍ୟବସ୍ଥା, ଉନ୍ନତ ସୁରକ୍ଷା ପିପିଇ ଓ ଟୁଲର ଉପଯୋଗ, ପିଟିଡବ୍ଲୁ (କାର୍ଯ୍ୟ ପାଇଁ ପରମିଟ୍) ବ୍ୟବସ୍ଥା, ବ୍ୟାପକ ସୁରକ୍ଷା ତାଲିମ ଓ ସୁରକ୍ଷା ବିଧି ଓ ଶିଳ୍ପ ମାନକକୁ ପାଳନ ଭଳି ଉଦାହରଣ ସୃଷ୍ଟିକାରୀ ବିଦ୍ୟୁତ ବ୍ୟବସ୍ଥା ପାଇଁ ପିଏସ୍ଏସକୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଆଜି ପର୍ଯ୍ୟନ୍ତ ସୁରକ୍ଷା ସମ୍ପର୍କିତ ଶୂନ୍ୟ ଘଟଣାର ଚମତ୍କାର ରେକର୍ଡ ଏହି ସବ୍-ଷ୍ଟେସନ ନାମରେ ରହିଛି ।

“ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର-୨୦୨୩ ଗ୍ରହଣ କରି ଆମେ ଅତ୍ୟନ୍ତ ଗର୍ବିତ । ବିଦ୍ୟୁତ ସୁରକ୍ଷାକୁ ପ୍ରାଥମିକତା ଓ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପ୍ରତି ଆମର ରହିଥିବା ଅତୁଟ ପ୍ରତିବଦ୍ଧତାକୁ ଏହି ମାନ୍ୟତା ପ୍ରତିଫଳିତ କରୁଛି । ଆମେ ଆମ ଗ୍ରାହକ ଓ ସମାଜକୁ ସେବା ପ୍ରଦାନ ଜାରି ରଖିଥିବା ବେଳେ ବିଦ୍ୟୁତ ସୁରକ୍ଷାର ଉଚ୍ଚତର ମାନକକୁ ବଜାୟ ରଖିବା ସୁନିଶ୍ଚିତ କରିବୁ ବୋଲି ଟିପିଏସ୍ଓଡିଏଲର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ।’’

ଟିପିଏସ୍ଓଡିଏଲ ପକ୍ଷରୁ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ପ୍ରଦାନ କରାଯାଉଛି ଏବଂ ଦକ୍ଷିଣ ଓଡ଼ିଶାରେ ଥିବା ଏହାର ସମସ୍ତ କାର୍ଯ୍ୟାଳୟ ଓ ୧୯ଟି ଡିଭିଜନ (ମଣ୍ଡଳ)ରେ ୨୦୨୩ ଜୁନ୍ ୨୬ରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ‘ବିଦ୍ୟୁତ ସୁରକ୍ଷା, ବୁଝାମଣା କରନ୍ତୁ ନାହିଁ, ବିଜ୍ଞତାର ପରିଚୟ ଦିଅନ୍ତୁ’ ବିଷୟବସ୍ତୁକୁ ନେଇ ପାଳନ କରାଯାଉଥିବା ଜାତୀୟ ସୁରକ୍ଷା ସପ୍ତାହର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏକ ସୁରକ୍ଷା ସଚେତନତ ସଂସ୍କୃତିକୁ ସୁଦୃଢ଼ କରିବା ଏବଂ ଶୂନ୍ୟ ଆଘାତର ପ୍ରସାର କରିବା । କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ବିଜନେସ୍ ଆସୋସିଏଟଙ୍କ ସମେତ ସମସ୍ତ କର୍ମଚାରୀମାନଙ୍କୁ ଆବଶ୍ୟକ ସୁରକ୍ଷା ପଦକ୍ଷେପ ବିଷୟରେ ସଚେତନତ କରିବା ଲାଗି କଂପାନି ପକ୍ଷରୁ ସୁରକ୍ଷା କାର୍ଯ୍ୟକ୍ରମ ଓ ତାଲିମ ଆୟୋଜନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

5 × 2 =