Uncategorized

ବନ ମହୋତ୍ସବ ସପ୍ତାହ ଅବସରରେ ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ୪,୩୦୦ରୁ ଅଧିକ ବୃକ୍ଷରୋପଣ

ପରିବେଶ ସୁରକ୍ଷା ଓ ନିରନ୍ତର ବିକାଶ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତା ପୂର୍ବକ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବନ ମହୋତ୍ସବ ସପ୍ତାହ-୨୦୨୬ ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଡବ୍ଲୁଓଡିଏଲ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ଅଧୀନରେ ଏହି କାର୍ଯ୍ୟକ୍ରମ ସହଯୋଗୀ ସଂସ୍ଥା ଆଲୋକଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । “ଆଜି ଗୋଟିଏ ଗଛ, ଆସନ୍ତାକାଲି ହଜାର ହସ” ବନ ମହୋତ୍ସବର ମୂଳ ବାର୍ତ୍ତାକୁ ସାକାର କରି କମ୍ପାନୀ ପଶ୍ଚିମ ଓଡ଼ିଶାର ନଅଟି ଜିଲ୍ଲାରେ ୪,୩୦୦ରୁ ଅଧିକ ଚାରାରୋପଣ କରାଯାଇଛି ।

ଏହି ଅଭିଯାନର ଅଧିନରେ ଗତ ଜୁଲାଇ ୫ ତାରିଖ ଦିନ ସ୍ଥାନୀୟ ସମ୍ବଲପୁର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଠାରେ ଛାତ୍ର, ଅଧ୍ୟାପକ, ବନ ବିଭାଗ ଅଧିକାରୀ ଏବଂ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ୧,୦୦୦ ବୃକ୍ଷ ଚାରା ରୋପଣ କରିବାକୁ ଏକାଠି ହୋଇଥିଲେ । ଏହି ଅଭିଯାନର ନେତୃତ୍ୱ ନେଇଥିଲେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରବୀଣ ବର୍ମା, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର ଏବଂ ବୁର୍ଲାର ଫରେଷ୍ଟର ଶ୍ରୀମତୀ ରୋଶନି ନାୟକ । ପରିବେଶ ସଂରକ୍ଷଣ ପ୍ରତି ଏକ ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ୨୫୦ ରୁ ଅଧିକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଶେଷ କରି ଶିଶୁ ଓ ଯୁବପିଢ଼ିଙ୍କ ଉତ୍ସାହପୂର୍ଣ୍ଣ ସହଭାଗିତା କାର୍ଯ୍ୟକ୍ରମକୁ ଅଧିକ ପ୍ରେରଣାଦାୟକ କରିଥିଲା ଏବଂ ପରିବେଶ ସୁରକ୍ଷା ପ୍ରତି ଆଗାମୀ ପିଢ଼ିର ଦାୟିତ୍ୱବୋଧକୁ ପ୍ରତିଫଳିତ କରିଥିଲା ।

ବୁର୍ଲାରେ ଅନୁଷ୍ଠିତ ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ୟତୀତ କମ୍ପାନୀ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୧,୦୦୦, କଳାହାଣ୍ଡିରେ ୭୦୦ ଏବଂ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ସାମୁଦାୟିକ ସ୍ଥାନରେ ୧,୫୦୦ରୁ ଅଧିକ ବୃକ୍ଷ ଚାରାରୋପଣ କରାଯାଇଥିଲା । ଏହିପରି ସମୁଦାୟ ପଶ୍ଚିମ ଓଡ଼ିଶାରେ ୪,୩୦୦ରୁ ଅଧିକ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ଅଭିଯାନକୁ ଆହୁରି ସୁଦୃଢ଼ କରାଯାଇଛି ।

ଏହି ଅବସରରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରବୀଣ ବର୍ମା କହିଥିଲେ, “ଟିପିଡବ୍ଲୁଓଡିଏଲ୍ ପାଇଁ ନିରନ୍ତର ବିକାଶ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମ କାର୍ଯ୍ୟସଂସ୍କୃତିର ଏକ ଅଭିନ୍ନ ଅଂଶ । ଆଜି ରୋପଣ କରାଯାଉଥିବା ପ୍ରତ୍ୟେକ ବୃକ୍ଷ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସବୁଜ ଓ ସୁରକ୍ଷିତ ପରିବେଶର ମୂଳଦୁଆ । ସମାଜ, ଶିକ୍ଷାନୁଷ୍ଠାନ ଏବଂ ଯୁବପିଢ଼ିଙ୍କ ସହଭାଗିତାରେ ଆମେ ପରିବେଶ ସୁରକ୍ଷାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ପ୍ରୟାସରତ । ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସହିତ ଏକ ସବୁଜ, ସ୍ୱଚ୍ଛ ଓ ନିରନ୍ତର ବିକାଶଶୀଳ ପଶ୍ଚିମ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ।”

ଟିପିଡବ୍ଲୁଓଡିଏଲ୍ ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରୋପଣ, ଜୈବ ବିବିଧତାର ସୁରକ୍ଷା, ପରିବେଶ ସଚେତନତା ଏବଂ ସମୁଦାୟର ସକ୍ରିୟ ସହଭାଗିତାକୁ ପ୍ରୋତ୍ସାହିତ କରିଆସୁଛି । ଆଗାମୀ ଦିନରେ ମଧ୍ୟ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ ଲକ୍ଷ୍ୟକୁ ସାକାର କରିବା ପାଇଁ କମ୍ପାନୀ ଏଭଳି ଜନହିତକର ପଦକ୍ଷେପ ଜାରି ରଖିବ ।

ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି । କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

5 − two =