ପଙ୍କଜ କପୁରଙ୍କ ଏକକ ଅଭିନୟ “ଦୋପହେରି” ସହ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ସାହିତ୍ୟରୁ ପ୍ରଯୁକ୍ତି, ଚଳଚିତ୍ରରୁ ସଙ୍ଗୀତ ଓ ଆହୁରି ବହୁତ କିଛି ବିଷୟକୁ ନେଇ ତିନିଦିନର ସାରଗର୍ଭକ ଆଲୋଚନା, ବାର୍ତାଳାପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବର ସପ୍ତମ ସଂସ୍କରଣର ସମାପନ ହୋଇଛି ।
ଏହି ସାହିତ୍ୟ ଉତ୍ସବର ଶେଷ ଦିବସରେ ଭାରତର ଖାଦ୍ୟାଭ୍ୟାସ ଉପରେ ଉଲ୍ଲେଖନୀୟ ଜ୍ଞାନର ଅଧିକାରୀ ଥିବା ଚିତ୍ରିତା ବାନାର୍ଜୀ ଓ ରୋଶ୍‌ନି ବଜାଜ ଚିତ୍ରିତାଙ୍କ ନୂଆ ପୁସ୍ତକ ଉପରେ ଆଲୋଚନା କରିଥିଲେ । ବିଂଶ ଶତାବ୍ଦୀର ମଧ୍ୟବର୍ତୀ କାଳରେ ବିଶିଷ୍ଟ ଓଡ଼ିଆ ଲେଖକ ତଥା ପ୍ରଥମ ଜାତୀୟ ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ଗୋପୀନାଥ ମହାନ୍ତିଙ୍କ ଉପରେ ଅନୁବାଦିକା ସୁଦେଶ୍ନା ମହାନ୍ତି ଓ ସୁଧାଂଶ ମହାନ୍ତି ବିସ୍ତୃତ ଆଲୋଚନା କରିଥିଲେ ।
ଆଙ୍ଗଲୋ-ଇଣ୍ଡିଆନଙ୍କ ଇତିହାସ ଓ ଭାରତରେ ଏହି ଗୋଷ୍ଠୀର ଯାତ୍ରା ଉପରେ ବେରି ଓ’ବ୍ରିଏନ ଓ ସାଶ୍ମି ନାୟକଙ୍କ ମଧ୍ୟରେ ଐତିହାସିକ ଆଲୋଚନା ବେଶ ରୋଚକ ହୋଇଥିଲା । ସାହିତ୍ୟ ଏକାଡେମି ପୁରସ୍କାର ବିଜୟିନୀ ମୋନା ଲିସା ଜେନା ଓ ଓଡ଼ିଆ ସାହିତ୍ୟ ଆଲୋଚକ ପାରମିତା ଶତପଥୀ ଓଡ଼ିଆ ଭାଷାର ସଂସ୍କୃତି ଐତିହ୍ୟ ଏବଂ ବର୍ତମାନ ସମୟରେ ତାହା କିଭଳି ରହିଛି ସେ ଉପରେ ଆଲୋଚନା କରିଥିଲେ । ‘ଦି ଅଟର ମ୍ୟାଜିକ୍ ଅଫ୍ ଅଟର ନନ୍‌ସେନ୍‌ସ’ ଶୀର୍ଷକ ଅଧିବେଶନରେ ସୁମନ୍ୟୁ ଶତପଥୀ କହିଥିଲେ ଯାହା ଦର୍ଶକମାନଙ୍କୁ ରୋମାଂଚିତ କରିଥିଲା । ଜୀବନୀ ରଚନା ଏକ ଲକ୍ଷ୍ୟ ହେବା ଉଚିତ କି ବୋଲି ଶୀର୍ଷକ ଉପରେ ବିଶିଷ୍ଟ ସ୍ତମ୍ଭକାର ବଚି କରକରିଆ, ଯତିନ୍ଦ୍ର କୁମାର ନାୟକ, ଖୁସୱନ୍ତ ସିଂହ ଓ ସାଶ୍ମି ନାୟକ ଆଲୋଚନା କରିଥିଲେ ।
ରେଳ ଅଡଟୋରିୟମ୍‌ରେ ପଙ୍କଜ କପୁରଙ୍କ ଦ୍ୱାରା ଲିଖିତ ତଥା ଅଭିନୀତ ଏବଂ ସୁପ୍ରିୟା ପାଠକ୍ କପୁରଙ୍କ ଦ୍ୱାରା ପ୍ରଯୋଜିତ ଏକକ ଅଭିନୟ କାର୍ଯ୍ୟକ୍ରମ ଦୋପହେରି ସହ ସପ୍ତମ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବ ସମାପନ ହୋଇଛି ।
ସାହିତ୍ୟ ଉତ୍ସବର ନିର୍ଦେଶିକା ମାଳବିକା ବାନାର୍ଜୀ କହିଛନ୍ତି ଯେ, “ଭୁବନେଶ୍ୱରର ସଂସ୍କୃତି ସମୃଦ୍ଧ ଲୋକମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ଏବଂ କଳା ଓ ସଂସ୍କୃତି ପ୍ରତି ସେମାନଙ୍କ ଭଲ ପାଇବାକୁ ଦେଖି ଆମେ ବାସ୍ତବରେ ବହୁତ ଖୁସି । ଏହି ସହରର ଚମତ୍କାର ଦର୍ଶକମାନଙ୍କୁ ମନୋରଂଜନ ପ୍ରଦାନ କରିବା ଏବଂ ରୋମାଂଚିତ କରିବା ଲାଗି ଅଧିକ ଭବ୍ୟ ଓ ପ୍ରତିଶ୍ରୁତି ସହ ଆମେ ଆସନ୍ତା ବର୍ଷ ପୁଣି ଫେରିବୁ ବୋଲି ଆଶା ରଖିଛୁ ।’’

Share

Leave a Reply

Your email address will not be published. Required fields are marked *

three × 3 =