ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା, ଏବେ ଓଡିଶାବାସୀଙ୍କ ସେବାରେ

ଭୁବନେଶ୍ବର () ପୁରୀ ସ୍ବର୍ଗଦ୍ବାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ 5 କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଫୋଏନିକ୍ସ ଫାଉଣ୍ଡେସନ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ ।

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଫନି ପରେ ସ୍ବର୍ଗଦ୍ବାରର ବହୁତ କ୍ଷତି ହୋଇଥିଲା । ତେଣୁ ଏହାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର କାମ ହାତକୁ ନେଇଛନ୍ତି । ଏତିରେ ଶବଦାହଠାରୁ ଆରମ୍ଭ କରି ଶବ ବାହକମାନଙ୍କ ସୁବିଧା ପାଇଁ ଆତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ଏଠାରେ ବ୍ୟବସ୍ଥା କରାଯିବ । ଶବବାହକ ମାନଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷଠାରୁ ଆରମ୍ଭ କରି ବ୍ୟାପକ ବୃକ୍ଷରୋପଣ କରାଯିବ । ଅସ୍ଥି ସଂଗ୍ରହ ଏବଂ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏହି କାମ ଆରମ୍ଭରୁ 6 ମାସ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜୁବାବୁ କୋଟି କୋଟି ଓଡିଆଙ୍କ ହୃଦୟରେ ଅଛନ୍ତି । ସ୍ବର୍ଗଦ୍ବାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା, ସେସବୁ ଏବେ ଓଡିଶାବାସୀଙ୍କ ସେବାରେ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ବର୍ଗଦ୍ବାରକୁ ବିଶ୍ବାସର ପବିତ୍ର ଭୂମି ଭାବରେ ବର୍ଣ୍ଣନା କରି ଏହାର ବିକାଶରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏହି ବୈଠକରେ ପଂଚାୟତିରାଜ ମନ୍ତ୍ରୀ, କ୍ରୀଡା ମନ୍ତ୍ରୀ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ, ପୁରୀ ଜିଲ୍ଲାପାଳ, ଫୋଏନିକ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲ ।

Share

Leave a Reply

Your email address will not be published. Required fields are marked *

20 + 14 =