କେବେ ହେବ ପଞ୍ଚାୟତ ନିର୍ବାଚନ?

ଭୁବନେଶ୍ୱର: ୨୦୨୧ରେ ଶେଷ ହେବାକୁ ଯାଉଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ । ତେବେ ନିର୍ବାଚନ କେବେ ହେବ ତାକୁ ନେଇ ଏବେ ଗାଁଠୁ ସହର ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ନିଜ ନିଜ ପଞ୍ଚାୟତରେ ପ୍ରତିନିଧିମାନେ ଶେଷ ପର୍ଯ୍ୟାୟରେ କାମ ଜୋରସୋରରେ କରୁଛନ୍ତି । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ସହ ବିଲ କରାଇବାରେ ବ୍ୟସ୍ତ ରହିଛନ୍ତି । ଅପରପକ୍ଷରେ କିଛି ନେତା ଏବେ ପଞ୍ଚାୟତରେ ବୁଲି ଲୋକଙ୍କ ସେବା କରିବା ସହ ଆଗୁଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବଡ଼ ବଡ଼ ନେତା ତଥା ବିଧାୟକ ଏବଂ ମନ୍ତ୍ରୀମାନେ ମଧ୍ୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଫିଲ୍ଡ ସଜାଡ଼ିବା ଆରମ୍ଭ କରି ଦେଲେଣି । ଗାଁ ଗାଁ ବୁଲି ସଭା ସମିତି କରିବା ସହ ଲୋକଙ୍କ ମିଶୁଥିବା ମଧ୍ୟ ନଜରକୁ ଆସୁଛି । ଏଭଳିକି ଏବେଠାରୁ କିଛି ବିଧାୟକମାନେ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କୁ ମଧ୍ୟ ସହଯୋଗ କରିବା ଲାଗି ପ୍ରତିଶ୍ରୃତି ଦେଇଥିବା ଚର୍ଚ୍ଚା ହେଉଛି ।

କିଛି ପଞ୍ଚାୟତର ପ୍ରତିନିଧି ଜୋରଦାରରେ କାମ କରିବା ପଛରେ କାରଣ ରହିଛି କି ଆଗକୁ ସେମାନେ ପୁଣି ଥରେ ଜିତିବେ କି ନାହିଁ ତାହାର କିଛି ଗ୍ୟାରେଷ୍ଟି ନାହିଁ । କିନ୍ତୁ ଶେଷ ପର୍ଯ୍ୟାୟରେ କାମ କରି କିଛି ଟଙ୍କା କମେଇବା ସେମାନଙ୍କ ଲକ୍ଷ୍ୟ । ଯେଉଁ କାରଣରୁ ୫ବର୍ଷ ଧରି ଯେଉଁସବୁ କାମ ପଡ଼ି ରହିଥିଲା ଏବେ ତାକୁ କରୁଛନ୍ତି । ଏପରିକି ଆବାସ ଯୋଜନାରେ ଘର ଏବଂ ଭତ୍ତା ଭଳି କିଛି ସରକାରୀ ସହାୟତା ଯୋଗାଇ ଦେବା ନାଁରେ ପ୍ରତିନିଧିମାନେ ଟଙ୍କା ଆଦାୟ କରୁଥିବା ତୃଣମୂଳ ସ୍ତରରୁ ଅଭିଯୋଗ ହେଉଛି ।

ସେପଟେ କିଛି କାମିକା ନେତା ଏବେ ନଜରକୁ ଆସିଛନ୍ତି । ଯେଉଁମାନେ ପୂର୍ବଥର ହାରିବା ପରେ ଦର୍ଶନ ମିଳିନଥିଲା । ଆଉ ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଲୋକଙ୍କ ପାଖରେ ଯାଇ ପହଞ୍ଚୁଛନ୍ତି । ପୂର୍ବବର୍ଷ କରୋନା ମହାମାରୀ ସମୟରେ ଦେଖା ମିଳିନଥିବା ବେଳେ ଏବେ ଘରକୁ ଘର ଯାଇ ମାସ୍କ ଏବଂ ସାନିଟାଇଜର ବାଣ୍ଟୁଛନ୍ତି । ତେବେ ଏବେଠାରୁ ମଧ୍ୟ କିଛି ସ୍ଥାନରେ ଭୋଜି ଭାତର ଆସର ମଧ୍ୟ ଆରମ୍ଭ ହୋଇ ସାରିଲାଣି । ବିଧାୟକଙ୍କ ପାଖରେ ମଧ୍ୟ କିଛି ନେତାମାନେ ଯାଇ ଭିଡ଼ ଜମାଉଛନ୍ତି । ନିର୍ବାଚନରେ ସହଯୋଗ କରିବା ଲାଗି ଲବି ମଧ୍ୟ କରୁଛନ୍ତି । ତେବେ ଏଭଳି ସ୍ଥିତିକୁ ଦେଖି ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା କେବେ ହେବ ପଞ୍ଚାୟତ ନିର୍ବାଚନ ।

Share

Leave a Reply

Your email address will not be published. Required fields are marked *

twelve + 3 =