ଚାଷୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି : କାଳିଆ ଯୋଜନା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷ କାର୍ଯ୍ୟରେ ସହାୟତା ଓ ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ  ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ 21.40 ଲକ୍ଷ ଛୋଟ ଚାଷୀଙ୍କ ତାଲିକା ପ୍ରକାଶ କରିଛନ୍ତି । ଏଥିସହିତ ଏକ ଲକ୍ଷରୁ ଅଧିକ ପ୍ରକୃତ ଚାଷୀଙ୍କ ତାଲିକା ମଧ୍ୟ ପ୍ରକାଶ କରିଥିଲେ ।

ଏହି ଚାଷୀମାନେ ଜାନୁଆରୀ 25 ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର 5ହଜାର ଟଙ୍କା ଲେଖାଏଁ ସହାୟତା ପାଇବେ । ଫେବୃଆରୀରେ ସବୁ ଯୋଗ୍ୟ ହିତାଧିକାରୀ ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଲୋଗ ଓ ୱେବସାଇଟ ମଧ୍ୟ ଉନ୍ମୋଚନ କରିଥିଲେ ।

ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି । ଏହି ଯୋଜନା ରାଜ୍ୟ ସରକାରଙ୍କ ସବୁଠୁ ବଡ ଯୋଜନା । କାଳିଆ ଯୋଜନାରେ ରାଜ୍ୟର 92 ପ୍ରତିଶତ ଚାଷୀ ଉପକୃତ ହେବେ । ଏହି ଯୋଜନାରେ ଋଣ କରିଥିବା ଓ ଋଣ କରିନଥିବା ସବୁ ଚାଷୀ ସାହାଯ୍ୟ ପାଇବେ । ପ୍ରକୃତ ଚାଷୀ ଓ କୃଷି ଶ୍ରମିକ ସମସ୍ତେ ସାହାଯ୍ୟ ପାଇବେ । ଚାଷୀଙ୍କୁ ବିନା ସୁଧରେ 50 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ।

ସେହିପରି 5ଟି ଫସଲ ଋତୁ ପାଇଁ ଚାଷୀମାନେ 5ହଜାର ଟଙ୍କା ଲେଖାଏଁ ସାହାଯ୍ୟ ପାଇବେ । ଏହିଭଳି ଆମର ଛୋଟ ଚାଷୀ 25ହଜାର ଟଙ୍କା ସାହାଯ୍ୟ ପାଇପାରିବେ । ଆଜି ପ୍ରଥମ ପର୍ଯ୍ୟାୟରେ 21 ଲକ୍ଷ 40ହଜାର ଛୋଟ ଚାଷୀ ଓ ଏକ ଲକ୍ଷରୁ ଅଧିକ ପ୍ରକୃତ ଚାଷୀଙ୍କ ତାଲିକା ପ୍ରକାଶ ପାଇଛି । ପରବର୍ତ୍ତି ପର୍ଯ୍ୟାୟରେ ସବୁ ଯୋଗ୍ୟ ଚାଷୀ ଓ ପ୍ରକୃତ ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ଏହି ସୁବିଧାରୁ ଯେପରି ଜଣେ ବି ପ୍ରକୃତ ଚାଷୀ ବଂଚିତ ନହେବେ ସେଥିପ୍ରତି ଦୃଷ୍ଟି ଦେଇ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷି, ସମବାୟ ଓ ପଂଚାୟତିରାଜ ବିଭାଗ ଏଥିପାଇଁ ମିଶନ ମୋଡରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏଥିପାଇଁ ମିଶନ ମୋଡରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାରା ଦେଶରେ ଦାରିଦ୍ର୍ୟ ହାରରେ ସର୍ବାଧିକ ହ୍ରାସ ଓଡିଶାରେ ହିଁ ଘଟିଛି । ପ୍ରାୟ ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି । ଆମ ଜନସଂଖ୍ୟାର ୬୦ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ। ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଫଳରେ ଓଡିଶା ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣ କ୍ଷେତ୍ରରେ ତୃତୀୟ ସର୍ବାଧିକ ଅବଦାନକାରୀ ହୋଇପାରିଛି । ଓଡିଶା କୃଷିକର୍ମଣ ପୁରସ୍କାର ୫ ଥର ହାସଲ ପାଇ ରେକର୍ଡ କରିଛି । ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯିଏ କି ଚାଷୀଙ୍କ ରୋଜଗାରକୁ ଦୁଇ ଗୁଣ କରିବାରେ ସଫଳ ହୋଇଛି। ୨୦୧୪ରେ ଆମେ ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ପ୍ରତିଶ୍ରୃତି ଦେଇଥିଲୁ। ଆମେ ବର୍ତ୍ତମାନ ଏହି ଲକ୍ଷ୍ୟର ନିକଟତର ହୋଇପାରିଛୁ। ମାର୍ଚ୍ଚ ୨୦୧୯ ସୁଦ୍ଧା ଆମେ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୃତି ପୂରଣ କରିବୁ।

ଉଚ୍ଚାଞ୍ଚଳରେ ରହୁଥିବା ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ମିଲେଟ ମିଶନ ଆରମ୍ଭ କରିଛୁ । ଏହି କାର୍ଯ୍ୟକ୍ରମ ହେଉଛି ବିକାଶ କାମରେ ସମସ୍ତଙ୍କୁ ସମ ଭାବରେ ସାମିଲ କରିବାର ଏକ ସଫଳ ଉଦାହରଣ । ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ରାଜ୍ୟ କ୍ୟାବିନେଟ ଆଜି ଐତିହାସିକ କାଳିଆ ଯୋଜନାକୁ ଅନୁମୋଦନ କରିଛି ।  KALIA (Krushak Assistance for Livelihood and Income Augmentation) ଏହି ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କାଳିଆ ଯୋଜନା ନିମ୍ନ ୫ ଗୋଟି ବିଷୟ ଉପରେ  ପର୍ଯ୍ୟବେସିତ।

(୧)ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ସହାୟତା : ରାଜ୍ୟର ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି କାର୍ଯ୍ୟକ୍ରମ ଦ୍ବାରା ଉପକୃତ ହେବେ। ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ। ଚାଷୀ ପରିବାରକୁ ଉଭୟ ଖରିଫ  ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଭାବରେ ଯୋଗାଇ ଦିଆଯିବ। ଚାଷୀମାନେ କୃଷି ପାଇଁ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ସହାୟତା ଅର୍ଥକୁ ଖର୍ଚ୍ଚ କରିପାରିବେ। ଏହାଦ୍ବାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ସୁବିଧା ପାଇବେ। ଚାଷୀର କେତେ ଜମି ଅଛି, ତା ସହିତ ଏ ସହାୟତାର କୌଣସି ସମ୍ବନ୍ଧ ରହିବ ନାହିଁ । ଏହା ଏକ ପ୍ରଗତିଶୀଳ ପଦକ୍ଷେପ ଏବଂ ଏହାଦ୍ବାରା ଆମର ପ୍ରକୃତ ଚାଷୀ/ଭାଗ ଚାଷୀ ଯେଉଁମାନଙ୍କର କି ଜମି ପରିମାଣ ବହୁତ କମ୍‌, ସେମାନେ ହିଁ ଉପକୃତ ହେବେ। ଏହି ସହାୟତା ୨୦୧୮-୧୯ ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ ବର୍ଷରେ ୫ ଗୋଟି ଫସଲ ଋତୁ ପାଇଁ ଲାଗୁ ହେବ।

(୨) ଭୂମିହୀନ ପରିବାର ପାଇଁ ଜୀବିକା ସହାୟତା : ଆମର ଅଧିକାଂଶ କୃଷି ବିକାଶ ଯୋଜନାରେ ଭୂମିହୀନ ଚାଷୀ ପରିବାର ପାଇଁ ବିଶେଷ କିଛି କାର୍ଯ୍ୟକ୍ରମ ନ ଥିଲା। ଏହି କାଳିଆ ଯୋଜନା ଦ୍ବାରା ୧୦ ଲକ୍ଷ ଭୂମିହୀନ ପରିବାର ଉପକାର ପାଇପାରିବେ। ଛେଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ଚାଷ, ମାଛ ଚାଷ, ଛତୁ ଚାଷ ଏବଂ ମହୁ ଚାଷ ପରି ଆନୁସଙ୍ଗିକ କୃଷି କାର୍ଯ୍ୟ ପାଇଁ ପ୍ରତି ପରିବାରକୁ ୧୨,୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହି ଭୂମିହୀନ ପରିବାରମାନେ ଉପରୋକ୍ତ ୭ ଗୋଟି ଆନୁସଙ୍ଗିକ କୃଷି କାର୍ଯ୍ୟ ମଧ୍ୟରୁ ଯେ କୌଣସି ଗୋଟିକୁ ସେମାନଙ୍କ ଜୀବିକା ଭାବରେ ପସନ୍ଦ କରିପାରିବେ। ଏଥିପାଇଁ ଆଗାମୀ ୩ ବର୍ଷରେ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

(୩) ଭୂମିହୀନ ଶ୍ରମିକ ଏବଂ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାର : ଅନେକ ସମୟରେ ବୃଦ୍ଧାବସ୍ଥା, ଅକ୍ଷମତା, ରୋଗ ତଥା ବିଭିନ୍ନ କାରଣରୁ ଚାଷୀ ଚାଷ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରେ ନାହିଁ। ସେହିପରି ଉପରୋକ୍ତ କାରଣରୁ ମଧ୍ୟ ଭୂମିହୀନ କୃଷି ଶ୍ରମିକ ରୋଜଗାର ହରାଇଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହିଭଳି ପରିବାରକୁ ସେମାନଙ୍କର ଚାଷ କାର୍ଯ୍ୟ ଓ ଜୀବିକା ଜାରି ରଖିବା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତ୍ତି କରିଛନ୍ତି। ଏହି ସହାୟତା ପାଇଁ ଯୋଗ୍ୟ ହିତାଧିକାରୀ ଗ୍ରାମପଞ୍ଚାୟତ ଦ୍ବାରା ହିଁ ମନୋନୀତ କରାଯିବ। ସାରା ରାଜ୍ୟରେ ଏହିପରି ୧୦ ଲକ୍ଷ ପରିବାର ପାଇଁ କାଳିଆ ଯୋଜନାରେ  ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

(୪) ବୀମା ସୁରକ୍ଷା : ଉଭୟ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ । ଏହାଦ୍ବାରା ୫୭ ଲକ୍ଷ ପରିବାର ଉପକାର ପାଇବେ।

(୫) ବିନା ସୁଧରେ ଫସଲ ଋଣ : ଚାଷୀଙ୍କୁ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ   ଯୋଗାଇ ଦିଆଯିବ। ଏଥିପାଇଁ ଆଗାମୀ ୩ ବର୍ଷରେ (୨୦୨୦-୨୧) ୧୦,୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୧ରେ ଏହି ଯୋଜନାର ସମୀକ୍ଷା କରାଯାଇ ଆବଶ୍ୟକ ପରିବର୍ତ୍ତନ କରାଯିବ।

Share

Leave a Reply

Your email address will not be published. Required fields are marked *

1 × 1 =