ଚାଷୀ ହେବେ କୃଷି ଉଦ୍ୟୋଗୀ

‘ପ୍ରଦାନ’ ଓ ଜନସେବା କେନ୍ଦ୍ର ସହ ଆପିକଲର ଚୁକ୍ତିପତ୍ର ସ୍ବାକ୍ଷରିତ

ଭୁବନେଶ୍ବର () ରାଜ୍ୟରେ ଅଧିକ ସଂଖ୍ୟକ କୃଷି ଉଦ୍ୟୋଗ ସ୍ଥାପନ ତଥା ତୃଣମୂଳ ସ୍ତରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସଫଳ ରୂପାୟନର ଲକ୍ଷ୍ୟ ନେଇ କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା-୨୦୧୮ ପ୍ରଚଳନ ନିମନ୍ତେ ‘ପ୍ରଦାନ’ ଓ ଆପିକଲ ମଧ୍ୟରେ ଆଜି ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ରାଜ୍ୟର ୧୨ଟି ଜିଲ୍ଲାର ୪୦ଟି ଆଦିବାସୀ ଅଧ୍ୟୁଷିତ ବ୍ଳକ୍‌ରେ ୧୦୦୦ ଜଣ କୃଷି ଉଦ୍ୟୋଗୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ ନିମନ୍ତେ ଚୟନ କରାଯାଇ ସଶକ୍ତିକରଣ କରାଯିବ ଯେପରିକି ପ୍ରତି ଉଦ୍ୟୋଗୀ ୨୦୦ରୁ ଊର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରି ସେମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବେ । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ ଏବଂ ଅତିକମ୍‌ରେ ୨ ଲକ୍ଷ ଚାଷୀଙ୍କୁ କୃଷି, ଉଦ୍ୟାନକୃଷି, ମତ୍ସ୍ୟ ଓ ପଶୁପାଳନ ତଥା କୃଷି ଯାନ୍ତ୍ରିକୀକରଣ ମାଧ୍ୟମରେ ଉତ୍ପାଦନ ବୃଦ୍ଧିକରି ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସହାୟକ ହେବେ । ପ୍ରତି କୃଷି ଉଦ୍ୟୋଗୀ ସଂପୃକ୍ତ ଅଞ୍ଚଳରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଏକକ ସେବା ପ୍ରଦାନକାରୀ ରୂପେ କାର୍ଯ୍ୟ କରିବେ । କୃଷକ ଉକ୍ସଊାଦନ ସଂଘ ଓ ଆଗ୍ରହୀ କୃଷକ ଗୋଷ୍ଠୀମାନଙ୍କୁ ନେଇ ଉଦ୍ୟୋଗୀ ଜଣଙ୍କ ନିଜ ଅଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ବିଭିନ୍ନ ଯୋଜନାରେ ଉପଲବ୍ଧ ସୁବିଧା ସମ୍ବନ୍ଧରେ ଅବଗତ କରାଇବେ ଓ କୃଷି ଉପକରଣ ଯୋଗାଇବାରେ ସାହାଯ୍ୟ କରିବା ସହିତ କୃଷିଜାତ ସାମଗ୍ରୀର ବିପଣନରେ ସହାୟକ ହେବେ ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ ।

ସେହିପରି ୨୦୧୮ ଜୁନରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା(ଏମ୍‌କେୟୁୱାଇ)ରେ ଅଧିକରୁ ଅଧିକ ସଂଖ୍ୟକ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଆଜି ଆପିକଲ ଓ ଜନସେବା କେନ୍ଦ୍ର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତିପତ୍ର ଅନୁଯାୟୀ ଜନସେବା କେନ୍ଦ୍ର ଗାଁଗହଳିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ ନିମନ୍ତେ ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ଏମ୍‌କେୟୁୱାଇର ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ ଆବଶ୍ୟକୀୟ ପରାମର୍ଶ ଓ ସାହାଯ୍ୟ ଯୋଗାଇଦେବେ । ଏହା ଫଳରେ ଉତ୍ସାହୀ ଉଦ୍ୟୋଗୀ ଏହି ଯୋଜନାରେ ଉପଲବ୍ଧ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତିର ସୁଯୋଗ ପାଇପାରିବେ । ଯୋଜନାରେ ମୁଖ୍ୟତଃ ଅନୁସୂଚିତ ଜାତି, ଜନଜାତି ଓ ମହିଳା ଉଦ୍ୟୋଗୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।

ଜନସେବା କେନ୍ଦ୍ର ସହିତ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବା ଫଳରେ ଗ୍ରାମାଞ୍ଚଳରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ, ପଶୁପାଳନ ତଥା ଖାଦ୍ୟପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ତ୍ବରାନ୍ବିତ ହୋଇପାରିବ । ଜନସେବା କେନ୍ଦ୍ର ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ପଞ୍ଜୀକରଣ ସୁଯୋଗ ଯୋଗାଇଦେବ ଓ ରାଜ୍ୟରେ ଅଧିକ ସଂଖ୍ୟକ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ହୋଇପାରିବ । ଏତଦ୍‌ବ୍ୟତୀତ ଜନସେବା କେନ୍ଦ୍ର ମାଧ୍ୟମରେ ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ଅନ୍‌ଲାଇନ୍‌ ପ୍ରକ୍ରିୟା ସମ୍ବନ୍ଧରେ ପ୍ରଶିକ୍ଷଣ ଯୋଗାଇ ଦିଆଯିବ ।

ରାଜ୍ୟ କୃଷିନୀତିର ସଫଳ ରୂପାୟନ ପାଇଁ ୧୯୯୬ ମସିହାରେ ଆପିକଲ ଗଠନ ହେବା ଦିନଠାରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ଉଦ୍ୟୋଗୀମାନଙ୍କୁ ପରାମର୍ଶ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଦେଇଆସୁଛି । ଏହି ଅବସରରେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ଓଡ଼ିଶାରେ କୃଷି ଉଦ୍ୟୋଗୀକରଣର ବିକାଶ ଓ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ବାରୋପ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

sixteen + nine =