ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ବ କରିବେ ଅରୁଣ

ଭୁବନେଶ୍ବର (): ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଗଠିତ ମୁଖ୍ୟମନ୍ତ୍ରୀମାନଙ୍କ ଉଚ୍ଚକ୍ଷମତା ସମ୍ପନ କମିଟିର ବୈଠକ ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଚାଷୀଙ୍କ ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ସଂସ୍କାର ନେଇ ମତାମତ ନିଆଯିବ । ଦେଶରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। କୃଷି ଉତ୍ପାଦନ ବୃଦ୍ଧି ଓ ପଶୁସମ୍ପଦର ବିକାଶ ଏବଂ ବିପଣନ ପାଇଁ ଏପି.ଏଲ.ଏମ ଆଇନ-୨୦୧୭ର କାର୍ଯ୍ୟକାରିତା ନେଇ ଆଲୋଚନା କରାଯିବ। ସେହିପରି ୨୦୧୮ରେ ପ୍ରଣୟନ କରାଯାଇଥିବା ଠିକାଭିତ୍ତିକ କୃଷି ଓ ଆନୁସଙ୍ଗିକ ସେବା କ୍ଷେତ୍ରରେ ରାଜ୍ୟମାନେ କେତେ ସଫଳତା ପାଇଛନ୍ତି ତାର ମଧ୍ୟ ସମୀକ୍ଷା କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିରେ ନୀତି ଆୟୋଗର ପୁନର୍ଗଠନ ପରେ ଏହା ହେଉଛି ଦ୍ବିତୀୟ ଉଚ୍ଚସ୍ତରୀୟ ବୈଠକ। ୧୦ ଜଣ ସଦସ୍ୟ ବିଶିଷ୍ଟ ନୀତି ଆୟୋଗ କମିଟିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କେନ୍ଦ୍ର କୃଷି, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍ ଓ ପ୍ରଫେସର ରମେଶ ଚାନ୍ଦ ସଦସ୍ୟ ଅଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦନାଭିସଙ୍କ ଆବାହକତ୍ବରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ସଂସ୍କାର ଆଣିବା ସହ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ୭ଟି ଏଜେଣ୍ଡା ଉପରେ ଆଲୋଚନା କରାଯିବ।

ତେବେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରିବେନି। ତାଙ୍କ ସ୍ଥାନରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ।

ଏହି ବୈଠକରେ ଅନ୍ୟାନ ପ୍ରସଙ୍ଗ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ। ଏହାସହିତ ଉନ୍ନତ କୃଷି ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ କରିବା ସହ କୃଷି ଉତ୍ପାଦନର ବଜାର ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜିନିବେଶ ଉପରେ ରାଜ୍ୟମାନଙ୍କ ମତ ନିଆଯିବ। କୃଷି ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଯୋଜନା, ଯେପରିକି ଇ-ନାମ ଓ ଗ୍ରାମ ପରି ଯୋଜନାରେ ସଂସ୍କାର ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ। ଏହାସହିତ ଆନୁସଙ୍ଗିକ ଭାବେ କୃଷି ଉତ୍ପାଦନର ରପ୍ତାନୀ, ଖାଦ୍ୟ ପ୍ରକ୍ରିୟାକରଣ, ଭଣ୍ଡାରଘର, ବଜାର ଭିତ୍ତିଭୂମି ନେଇ ବୈଠକରେ ବ୍ୟାପନ ଆଲୋଚନା ପାଇଁ କାର୍ଯ୍ୟକ୍ରମ ରହିଛି।

କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ଉପଯୋଗ ସହ ଚାଷୀମାନଙ୍କୁ ଗୁଣାତ୍ମକ ବିହନ ଯୋଗାଇବା ପାଇଁ ବୈଠକରେ ଗୁରୁତ୍ବ ଦିଆଯିବ। ଏଥିପାଇଁ କୃଷି କ୍ଷେତ୍ରରେ ବିକଶିତ ଦେଶମାନଙ୍କ ଆପଣାଇଥିବା ବୈଷୟିକ ଜ୍ଞାନ କୌଶଳ ଉପରେ ଆଲୋଚନା ହେବ। ସାମଗ୍ରୀକ ଭାବେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ରାଜ୍ୟମାନେ ଯାହା ମତ ଦେବେ ତାକୁ ମଧ୍ୟ ନୀତି ଆୟୋଗ ବୈଠକରେ ତର୍ଜମା କରାଯାଇ ୨ ମାସ ଭିତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

Share

Leave a Reply

Your email address will not be published. Required fields are marked *

twenty − eight =