ଅର୍ନ୍ତଜାତୀୟ କ୍ରିକେଟରୁ ବିଦାୟ ନେଲେ ମିସେଲ ଜନସନ୍

ଅଷ୍ଟ୍ରେଲିଆ: ଅର୍ନ୍ତଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିସେଲ ଜନସନ୍ । ଅଷ୍ଟ୍ରେଲିଆ କ୍ରିକେଟର ୱେବସାଇଟରୁ ତାଙ୍କ ଅବସର ନେଇ ରବିବାର ସୂଚନା ମିଳିଛି । ୩୬ ବର୍ଷୀୟ ଜନସନ୍ ଗତ ମାସ ବିଗ୍ ବେସ୍ ଲିଗ୍ ସମୟରେ ଅବସର ଘୋଷଣା କରିଥିଲେ । କିନ୍ତୁ ଆଇପିଏଲ୍ ଏବଂ ଅନ୍ୟ ଘରୋଇ ଟି ଟ୍ୱେଣ୍ଟି ଲିଗରେ ସେ ଖେଳି ଆସୁଥିଲେ । ରବିବାର ଘୋଷଣାରେ ସେ ସବୁ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଜଣାପଡିଛି ।ଏକ ୱେବସାଇଟରେ ଜାରି କରାଯାଇଥିବା ମନ୍ତବ୍ୟରେ ଜନସନ୍ କହିଛନ୍ତି ଯେ, “ ଆଜି ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରୁଛି । ମୁଁ ଆହୁରି ଅନେକ ଟି-୨୦ ପ୍ରତିଯୋଗିତାରେ ଖେଳିବା ପାଇଁ ଆଶା ରଖିଥିଲି, କିନ୍ତୁ ମୋ ଶରୀର ଏବେ ମୋତେ ଉତ୍ତର ଦେବା ଆରମ୍ଭ କରିଛି । ଏବେ ମୁଁ ମୋ ଜୀବନର ଏକ ନୂଆ ଇନିଂସ ଖେଳିବା ପାଇଁ ଯାଉଛି ।” ଜନସନ୍ ୨୦୧୫ ମସିହା ନଭେମ୍ବରରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ମୋଟ ୭୩ଟି ଟେଷ୍ଟ ଖେଳି ୩୧୩ଟି ଓି୍ୱକେଟ ଅକ୍ତିଆର କରିଛନ୍ତି । ସେହିପରି ମୋଟ ୧୫୩ଟି ଅର୍ନ୍ତଜାତୀୟ ଦିନିକିଆ ମ୍ୟାଚ ଖେଳି ୨୩୯ଟି ଓି୍ୱକେଟ ନେଇଛନ୍ତି ଏବଂ ୩୦ଟି ଟି-୨୦ ମ୍ୟାଚ ଖେଳି ୩୮ଟି ଓି୍ୱକେଟ ଅକ୍ତିଆର କରିଛନ୍ତି । ତେବେ ଆଇପିଏଲରେ ଜନସନ୍ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳ ପକ୍ଷରୁ ଖେଳିସାରିଛନ୍ତି । ତାଙ୍କର ଅବସର ଘୋଷଣା ଅନେକ ଫ୍ୟାନ୍ସଙ୍କୁ ଏବଂ କ୍ରିକେଟପ୍ରେମୀଙ୍କୁ ମର୍ମାହତ କରିଛି ।

 

Share

Leave a Reply

Your email address will not be published. Required fields are marked *

four + eight =