ଇଣ୍ଡିଆନ ସୁପର ଲିଗ ଦଳ ମୁମ୍ବାଇ ସିଟି ଏଫସିରେ ୬୫% ଅଂଶ କିଣିଲା ସିଟି ଫୁଟବଲ ଗୃପ

ମୁମ୍ବାଇ () କ୍ରୀଡା କ୍ଷେତ୍ରରେ ଏକ ଐତିହାସିକ ଘଟଣାକ୍ରମରେ ଇଂଲିଶ ପ୍ରିମିୟର ଲିଗ ଚାମ୍ପିୟନ ମାଞ୍ଚେଷ୍ଟର ସିଟି ଦଳର ମୂଳ କମ୍ପାନୀ ସିଟି ଫୁଟବଲ ଗୃପ ଆଜି ଇଣ୍ଡିଆନ ସୁପର ଲିଗ ର ଫ୍ରାଞ୍ଚାଇଜ଼ ମୁମ୍ବାଇ ସିଟି ଏଫସି ରେ ୬୫ ପ୍ରତିଶତ ଅଂଶଧନ କ୍ରୟ କରିଥିବା ଘୋଷଣା କରିଛି । ଏଥିସହିତ ମୁମ୍ବାଇ ସିଟି ଏଫସି ସିଟି ଫୁଟବଲ ଗୃପ ନେଟୱର୍କର ଅଷ୍ଟମ କ୍ଲବ ହେବ । ସିଟି ଫୁଟବଲ ଗୃପ ଏବେ ମୁମ୍ବାଇ ସିଟି ଏଫସି ଦଳରେ ୬୫ ପ୍ରତିଶତ ଅଂଶର ମାଲିକାନା ହାସଲ କରିବା ସହିତ ବର୍ତମାନର ସେୟାରହୋଲଡ଼ର ଅଭିନେତା ରଣବୀର କପୁର ଓ ବିମଲ ପାରେଖଙ୍କ ପାଖରେ ବଳକା ୩୫ ପ୍ରତିଶତ ଅଂଶଧନ ରହିବ ।

ଦଳର ପ୍ରଶଂସକମାନଙ୍କ ଗହଣରେ ଆଜି ମୁମ୍ବାଇ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଫୁଟବଲ ସ୍ପୋର୍ଟ୍ସ ଡେଭେଲପମେଣ୍ଟ ଲିମିଟେଡ଼ (FSDL ) ଏବଂ ରିଲାଏନ୍ସ ଫାଉଂଡେସନର ପ୍ରତିଷ୍ଠାତ୍ରୀ ଅଧ୍ୟକ୍ଷା ନୀତା ଅମ୍ବାନୀ ଏବଂ ସିଟି ଫୁଟବଲ ଗୃପର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଫେରାନ ସୋରିୟାନୋ ଏହି ଘୋଷଣା କରିଛନ୍ତି ।

ଏହି ଘୋଷଣା ଅବସରରେ ଶ୍ରୀମତୀ ଅମ୍ବାନୀ କହିଛନ୍ତି ଯେ “ଆଜି ଆମେ ବିଶ୍ୱର ଫୁଟବଲ ଶକ୍ତିକେନ୍ଦ୍ରକୁ ଭାରତକୁ, ଇଣ୍ଡିଆନ ସୁପର ଲିଗକୁ ଏବଂ ଭାରତୀୟ ଫୁଟବଲକୁ ସ୍ୱାଗତ ଜଣାଉଛୁ । ଏହା ଏକ ଐତିହାସିକ କ୍ଷଣ କାରଣ ପ୍ରଥମ ଥର ପାଇଁ ଏକ ଇଉରୋପିଆନ କ୍ଲବ କୌଣସି ଭାରତୀୟ କ୍ଲବରେ ବହୁସଂଖ୍ୟକ ଅଂଶଧନ କ୍ରୟ କରିଛି । ଏହା ଭାରତୀୟ ଫୁଟବଲ ହାସଲ କରିଥିବା ଉତ୍କର୍ଷ ଓ ଭାରତୀୟ ଫୁଟବଲକୁ ନେଇ ଆମର ପ୍ରତିବଦ୍ଧତା ତଥା ଦୁରଦୃଷ୍ଟି କୁ ପ୍ରମାଣିତ କରିବା ସହ ଭାରତରେ ଫୁଟବଲର ବଢୁଥିବା ଲୋକପ୍ରିୟତା ଓ ଜନସମର୍ଥନର ପରିଚାୟକ ।

ଭାରତରେ ସିଟି ଫୁଟବଲ ଗୃପ କୁ ସ୍ୱାଗତ ଜଣାଇବା ସହିତ ଏହି ଐତିହାସିକ ସହବନ୍ଧନ ଦ୍ୱାରା ମୁମ୍ବାଇ ସିଟି ଏଫସି ଦଳ ଓ ଭାରତୀୟ ଫୁଟବଲ ବେଶ ଲାଭାନ୍ବିତ ହେବ ବୋଲି ଶ୍ରୀମତୀ ଅମ୍ବାନୀ ଆଶା ପ୍ରକାଶ କରିଥିଲେ ।

ଏହି ଅଧିଗ୍ରହଣ ଘୋଷଣା ଅବସରରେ ସିଟି ଫୁଟବଲ ଗୃପର ଅଧ୍ୟକ୍ଷ୍ୟ ଖଲଦୂନ ଅଲ ମୁବାରକ କହିଛନ୍ତି ଏହି ଅଧିଗ୍ରହଣ ଓ ପୁଞ୍ଜିନିବେଶ ମୁମ୍ବାଇ ସିଟି ଏଫସି, ସିଟି ଫୁଟବଲ ଗୃପ ଓ ଭାରତୀୟ ଫୁଟବଲ ଜଗତରେ ଏକ ବଡ଼ ପରିଵର୍ତନ ଆଣିବ ବୋଲି ଆମର ବିଶ୍ୱାସ ରହିଛି । ଭାରତରେ ଫୁଟବଲର ଭବିଷ୍ୟତ ଓ ମୁମ୍ବାଇ ସିଟି ଏଫସି ପାଇଁ ସିଟି ଫୁଟବଲ ଗୃପ ପ୍ରତିବଦ୍ଧ । ଆମେ ମୁମ୍ବାଇ ସିଟି ଏଫସିର ପ୍ରଶଂସକ ଓ ସ୍ଥାନୀୟ ସମୁଦାୟରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ବେଶ ଉତ୍ସୁକ ଏବଂ ଆମର ସହ-ମାଲିକ ମାନଙ୍କ ସହିତ ଏକାଠି କାର୍ୟ୍ୟ କରି କ୍ଲବର ତ୍ୱରିତ ବିକାଶ ଦିଗରେ ଆମେ ପ୍ରଚେଷ୍ଟା କରିବୁ ।

ସିଟି ଫୁଟବଲ ଗୃପ ପକ୍ଷରୁ ସିଟି ଫୁଟବଲ ଗୃପ ଇଣ୍ଡିଆର ମୁଖ୍ୟ ଭାବେ ବରିଷ୍ଠ ଉପସଭାପତି ଡେମିୟନ ବିଲୋବୀଙ୍କ ନାମ ଘୋଷଣା କରାଯାଇଛି, ଯିଏ ଆଗାମୀ ସପ୍ତାହରେ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ ହେବେ । ଉଲ୍ଲେଖଯୋଗ୍ୟ ଯେ ସିଟି ଫୁଟବଲ ଗୃପ ବିଶ୍ୱର ଅଗ୍ରଣୀ ଫୁଟବଲ କ୍ଲବସମୂହର ସଂଚାଳକ ଏବଂ ଏହାର ମାଲିକାନାରେ ରହିଥିବା କ୍ଲବଗୁଡିକ ମଧ୍ୟରେ ରହିଛି ଇଂଲିଶ ପ୍ରିମିୟର ଲିଗ ଚମ୍ପିୟାନ ମଞ୍ଚେଷ୍ଟର ସିଟି ଏଫସି ସମେତ ଆମେରିକାର ନ୍ୟୁୟର୍କ ସିଟି, ଅଷ୍ଟ୍ରେଲିଆର ମେଲବର୍ନ ସିଟି ଏଫସି, ଜାପାନର ୟୋକହାମା ଏଫ ମଇରିନୋ, ଉରୁଗୁଏର କ୍ଲବ ଏଟଲେଟିକୋ ଟର୍କ, ସ୍ପେନର ଗିରୋନା ଏଫସି ଏବଂ ଚୀନର ସିଚୁଆନ ଜିଉନିଉ ଏଫସି ।

Share

Leave a Reply

Your email address will not be published. Required fields are marked *

two + six =