Power Sector

ଟିପିସିଓଡିଏଲ୍ ପକ୍ଷରୁ ‘ସେବା ସେତୁ’ ଶିବିର ମାଧ୍ୟମରେ ୯ଟି ଜିଲ୍ଲାରେ ରୁଫଟପ୍ ସୋଲାର ସଚେତନତା

ଭୁବନେଶ୍ୱର: ପିଏମ୍ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା’ର ସଫଳ ରୂପାୟନ ତଥା ଏହାର ପ୍ରଚାର ପ୍ରସାର ଲକ୍ଷ୍ୟରେ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଟିପିସିଓଡିଏଲ୍ ପକ୍ଷରୁ ୯ଟି ଜିଲ୍ଲାରେ ‘ସେବା ସେତୁ’ ଶିବିର ଆୟୋଜନ କରି ଉପଭୋକ୍ତାମାନଙ୍କୁ ରୁଫଟପ୍ ସୋଲାର ସମ୍ପର୍କରେ ତୃଣମୂଳ ସ୍ତରରୁ ସଚେତନ କରାଯାଉଛି।

ଅକ୍ଟୋବର ୬ ତାରିଖରେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଶିଷ୍ଟ ଅଭିନେତା ତଥା ରାଜନେତା ଅରିନ୍ଦମ ରାୟ, ଟାଙ୍ଗୀ-ଚୌଦ୍ୱାର ବିଡିଓ ଏନ୍. ଏନ୍. ରାଜଲକ୍ଷ୍ମୀ ଓଝାଙ୍କ ସମେତ ଆର୍‌ଇସି ଇଣ୍ଡିଆ ଓ ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଗତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ଅକ୍ଟୋବର ୧୭ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବ୍ଲକ ସ୍ତରରେ ଜାରି ରହିବ। ଟିପିସିଓଡିଏଲ୍ ଅଧୀନସ୍ଥ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭,୦୦୦ ରୁ ଅଧିକ ରୁଫଟପ୍ ସୋଲାର ସଂଯୋଗ ସ୍ଥାପନ ହୋଇସାରିଛି। ଉପଭୋକ୍ତାମାନଙ୍କୁ ସୂଚନା, ପରାମର୍ଶ ଏବଂ ଆବେଦନ ସହାୟତା ସହଜରେ ଯୋଗାଇ ଏହାର ବ୍ୟବହାରକୁ ଆହୁରି ବ୍ୟାପକ କରିବା ଏହି ଅଭିଯାନର ଲକ୍ଷ୍ୟ।

ଏହି ଶିବିରଗୁଡ଼ିକ ମାଧ୍ୟମରେ ଉପଭୋକ୍ତାମାନଙ୍କୁ  ତ୍ୱରିତ ପଞ୍ଜୀକରଣ ସୁବିଧା, ‘ପିଏମ୍ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା’ର ସବ୍‌ସିଡି ସମ୍ପର୍କିତ ସୂଚନା, ବ୍ୟାଙ୍କ ଋଣ ଏବଂ ଆର୍ଥିକ ସହାୟତାର ବିକଳ୍ପ ସହିତ ଭେଣ୍ଡର ଚୟନରେ ସହାୟତା ପ୍ରଦାନ କରାଯାଉଛି। ସିଧାସଳଖ ଲୋକଙ୍କ ପାଖରେ ଏହି ସେବା ପହଞ୍ଚାଇ ଉପଭୋକ୍ତାମାନଙ୍କ ପ୍ରଶ୍ନର ସମାଧାନ, ଆବେଦନ ପ୍ରକ୍ରିୟାକୁ ସରଳ କରିବା ତଥା ଅଧିକରୁ ଅଧିକ ରୁଫଟପ୍ ସୋଲାର ସ୍ଥାପନ ପାଇଁ ଉତ୍ସାହିତ କରାଯାଉଛି।

ଏହି ପଦକ୍ଷେପ ସମ୍ପର୍କରେ ଚି଼ଫ ଓଡିଶା ଡିଷ୍ଟ୍ରିବ୍ୟୁସନ ବିଜନେସ ତଥା ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ ଏସ୍. କାଲେ କହିଛନ୍ତି, “ ଟିପିସିଓଡିଏଲ୍‌ ଅଧୀନରେ ୭୭,୦୦୦ରୁ ଅଧିକ ରୁଫଟପ୍ ସୋଲାର ପ୍ରତିଷ୍ଠା ହେବା ସ୍ୱଚ୍ଛ ଶକ୍ତି ଆଡ଼କୁ ଏକ ଦୃଢ଼ ପଦକ୍ଷେପ। ‘ସେବା ସେତୁ’ ଶିବିର ଜରିଆରେ ଆମେ ସଚେତନତା, ମାର୍ଗଦର୍ଶନ ଓ ଆବେଦନ ସହାୟତାକୁ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚାଉଛୁ, ଯାହାଦ୍ୱାରା ଯୋଗ୍ୟ ପରିବାରଗୁଡ଼ିକ ସହଜରେ ରୁଫଟପ୍ ସୋଲାର ବ୍ୟବହାର କରିପାରିବେ। ଆଶା କରୁଛୁ, ଓଡ଼ିଶାର ଏହି ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଯାତ୍ରାରେ ଆହୁରି ଅଧିକ ଉପଭୋକ୍ତା ସାମିଲ ହେବେ।”

ଏହି ଶିବିରଗୁଡ଼ିକ କେନ୍ଦ୍ରୀୟ ଓଡ଼ିଶାରେ ‘ପିଏମ୍ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା’କୁ ତ୍ୱରାନ୍ୱିତ କରିବା ସହ ରୁଫଟପ୍ ସୋଲାରର ପ୍ରସାର ଦିଗରେ ଟିପିସିଓଡିଏଲ୍‌‌ର ପ୍ରତିବଦ୍ଧତାକୁ ଦର୍ଶାଉଛି।

Share

Leave a Reply

Your email address will not be published. Required fields are marked *

seventeen − 16 =