ନବୀନ କାହିଁକି ଓଡିଶାବାସୀଙ୍କ ଫେବରାଇଟ … ପଢନ୍ତୁ

ଭୁବନେଶ୍ବର () 1997ରୁ ଓଡିଶା ରାଜନୀତିରେ ପାଦ ଥାପିଥିବା ନବୀନ ପଟ୍ଟନାୟକ ଆଜି ବି ରାଜ୍ୟରେ ଭୋଟରଙ୍କ ପ୍ରଥମ ଚଏସ । ପ୍ରତି ନିର୍ବାଚନରେ ବଢୁଛି ଭୋଟ ହାର । 2000ରୁ ରାଜ୍ୟର ଶାସନ ଭାର ସମ୍ଭାଳିଥିବା ବିଜେଡି 2019ରେ ପୁଣ ଥରେ ପଂଚମ ଥର ପାଇଁ ନବୀନ ଓଡିଶାରେ ସରକାର ଗଠନ କରିଛନ୍ତି । ସବୁଠି ସବୁ ସମୟରେ ଏହି ଚର୍ଚ୍ଚା ହେଉଛି । କାହିଁକି ଓ କେମିତି ନବୀନ ଏ ସଫଳତା ପାଉଛନ୍ତି । ସାରା ଦେଶ 2014 ଓ 2019 ନିର୍ବାଚନରେ ପ୍ରଚଣ୍ଡ ମୋଦି ହାୱାରେ କବଳିତ ହୋଇଥିବା ବେଳେ ଓଡିଶାକୁ କାହିଁକି ଗୈରିକ କରିପାରିପାରୁନାହାଁନ୍ତି । ରାଜନୈତିକ ସମୀକ୍ଷକ ଓ ବିରୋଧୀଙ୍କ ଅକଲ ବି ଗୁଡୁମ ।

1997ରେ ବିଜେଡି ଗଠନ ଆଉ 2019 ପଞ୍ଚମ ପାଳିର ବିଜେଡି ସରକାର ଗଠନ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ କାର୍ଯ୍ୟକୁ ଟିକେ ନିରିଖେଇ ଦେଖିଲେ ନବୀନଙ୍କ ସଫଳତାର ରହସ୍ୟ ସ୍ପଷ୍ଟ ଦୃଶ୍ୟମାନ ହେବ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଆବର୍ତ୍ତମାନରେ ଓଡିଶାରେ ବିଜୁ ଜନତା ଦଳ ନାଁରେ ଏକ ଆଞ୍ଚଳିକ ଦଳ ଗଠନ କରି ନୂଆ ରାଜନୀତିର ସୂତ୍ରପାତ କରିଥିବା ନବୀନ ସେତେବେଳେ ବି ଯେମିତି ଆଜି ବି ସେମିତି । ଅନ୍ୟ ନେତାଙ୍କ ପରି ସମୟ ଚକ୍ରରେ ନା ତାଙ୍କ ବେଶଭୂଷା, ଚାଲିଚଳନ, ଆଚାର ବ୍ୟବହାର, ପ୍ରଶାସନିକ କାର୍ଯ୍ୟରେ କିଛି ବି ପରିବର୍ତ୍ତନ ହୋଇନି ।

କୁର୍ତ୍ତା, ପାଇଜାମା ଓ କୋହ୍ଲାପୁରୀ ଚପଲ ଏଇ ବେଶରେ ସେ 1997ରେ ଓଡିଶା ରାଜନୀତିରେ ପାଦ ଥାପିଥିଲେ, ଆଜି ବି ସେୟା ପିନ୍ଧୁଛନ୍ତି । ରାଜନୈତିକ ସଫଳତାର ଶୀର୍ଷରେ ପହଁଚିଲେ ବି ତାଙ୍କ ବେଶଭୂଷାରେ ସାମାନ୍ୟତମ ପରିବର୍ତ୍ତନର ଛାପ ନାହିଁ । ଠିକ ସେମିତି ତାଙ୍କ କଥା କହିବା ଶୈଳୀରେ ବି ପରିବର୍ତ୍ତନ ଆସିନି । ତାଙ୍କ କାର୍ଯ୍ୟଶୈଳୀ ବି ପୂର୍ବପରି ସ୍ବଚ୍ଛ ଓ କଠୋର । ପଂଚମ ପାଳିର ସରକାର ଗଠନ କରିଥିବା ନବୀନଙ୍କୁ ଆଜି ପର୍ଯ୍ୟନ୍ତ ଦୁର୍ନୀତିର ଛିଟା ଲାଗିନି । ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରି ଫେଲ ମାରିଛନ୍ତି । ନିଜ ମନ୍ତ୍ରୀମଣ୍ଡଳ ଓ ପ୍ରଶାସନରେ ମଧ୍ୟ ସେ ଦୁର୍ନୀତି ଓ ଆଇନ ବର୍ହିଭୂତ କାର୍ଯ୍ୟକୁ ସୁରକ୍ଷା ଦେଇନାହାଁନ୍ତି । ଆଜି ବି ଦୁର୍ନୀତିର ଛାୟା ପଡୁଥିବା ନେତାଙ୍କୁ କ୍ଷମା ନାହିଁ । କମଳା ଦାସ, ନଳିନି ମହାନ୍ତିଙ୍କ ଠାରୁ ଆରମ୍ଭ କରି ପ୍ରଦୀପ ମହାରଥୀଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଦୁର୍ନୀତି ଓ ଆଇନ ଉଲଂଘନର ଦଣ୍ଡ ଭୋଗିବାକୁ ପଡିଛି ।

ତାଙ୍କ ସଫଳତାର ଆଉ ଏକ ସବୁଠାରୁ ବଡ ରହସ୍ୟ ହେଲା ଲୋକାଭିମୁଖୀ ଯୋଜନା ଓ ବିକାଶ ଏଜେଣ୍ଡା । ସବୁ ସରକାରରେ ସେ ବିକାଶକୁ ପ୍ରଧାନ୍ୟ ଦେବା ସହ ନୂଆ ନୂଆ ଜନକଲ୍ୟାଣକାରୀ ଯୋଜନା ଜରିଆରେ ଦାରିଦ୍ର୍ୟ, ନିରକ୍ଷରତା, କ୍ଷୁଧା ଦୂର କରିବାକୁ ଚେଷ୍ଟା କରିଥାନ୍ତି । କେତେବେଳେ ଟଙ୍କିକିଆ ଚାଉଳ ତ କେତେବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ସାର୍ବଜନିନ ସ୍ବାସ୍ଥ୍ୟ ସେବା ତ କେତେବେଳେ ମିଶନ ଶକ୍ତି ଜରିଆରେ ମହିଳାଙ୍କ ଆର୍ଥିକ ଓ ସମାଜିକ ବିକାଶ ତ କେତେବେଳେ ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ ଏବଂ ସର୍ବୋପରି କାଳିଆ ଯୋଜନା ଓ ଆହାର ଯୋଜନା । ଏସବୁ ଯୋଜନା ଓଡିଶା ପରି ପଛୁଆ ଓ ଅନଗ୍ରସର ରାଜ୍ୟରେ ବିକାଶର ଧାରାକୁ ଆଗାକୁ ନେବା ସହ ସାମାଜିକ ଭିତ୍ତିଭୂମୀକୁ ମଜବୁତ କରିଛି । ପ୍ରଥମ ପାଳିର ସରକାରରେ ରାଜ୍ୟରେ ଶିଳ୍ପ ବିକାଶକୁ ଗୁରୁତ୍ବ ଦେଇଥିବା ନବୀନ ଦ୍ବିତୀୟ ପାଳିରେ ଟଙ୍କିକିଆ ଚାଉଳ ଯୋଜନାରେ କ୍ଷୁଧାମୁକ୍ତ ଓଡିଶା ଗଠନ କରିଥିଲେ । ପରବର୍ତ୍ତି ସମୟରେ ଚାଷୀ, ମହିଳା, ଯୁବକ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଯୋଜନା ପରେ ଯୋଜନା ହୋଇଛି ।

କେତେବେଳେ ଏସବୁ ଯୋଜନା ପାଇଁ କେନ୍ଦ୍ରର ସହଯୋଗ ମିଳୁନି ତ କେତେବେଳେ ରାଜ୍ୟର ବିକାଶ ଧାରାରେ ବାଧକ ହେଉଛି ଅର୍ଥ । ତାହା କିନ୍ତୁ ନବୀନଙ୍କ ଦୃଢ ମନୋବଳ ଓ କଠୋର ଚିନ୍ତାଧାରାକୁ ପ୍ରତିହତ କରିପାରିନି । ବରଂ ନବୀନ ଅଧିକ ଦୃଢ ହୋଇ ଏସବୁ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଯେତିକି ଆଗଉଛି, ପ୍ରକୃତିର ତାଣ୍ଡବ ସେତିକି ପଛକୁ ଠେଲି ଦେଉଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର 2000 ମସିହାରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରୁଛନ୍ତି । କିନ୍ତୁ କେନ୍ଦ୍ରରେ କଂଗ୍ରେସ ହେଉ କି ବିଜେପି ନେତୃତ୍ବାଧୀନ ସରକାର କେହି ବି ଓଡିଶାର ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି । ଫାଇଲିନ, ହୁଡହୁଡ କି ଫନି ବିପର୍ଯ୍ୟୟ ପୂର୍ବରୁ ରେକର୍ଡ ସଂଖ୍ୟକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଜୀବନହାନୀକୁ ରୋକି ବିଶ୍ବଦରବାରରେ ନବୀନ ପ୍ରଶଂସିତ ହୋଇଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ରାଜନୀତିକୁ ଲୋକଙ୍କ ସେବାର ଏକ ମାଧ୍ୟମ ଭାବେ ବାଛିଥିବାରୁ ନବୀନ ଆଜି ବି ରାଜ୍ୟବାସୀଙ୍କ ଚଏସ ନମ୍ବର ୱାନ ।

Share

Leave a Reply

Your email address will not be published. Required fields are marked *

six + nineteen =