ଦିଲ୍ଲୀପଙ୍କ ହାତ ଛାଡି ବିଜେପି ଫେରିବେ ବିଜୟ !

 ଭୁବନେଶ୍ୱର : ହାତ ଧରାଧରି ହୋଇ ବିଜେପିକୁ ଗୁଡ୍‍ବାଏ କହିଥିଲେ ବିଧାୟକ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର । ବର୍ତ୍ତମାନ ସୁଦ୍ଧା ଦୁଇ ନେତା କୌଣସି ଦଳରେ ଯୋଗ ଦେଇନଥିବାବେଳେ ଖୁବ୍‍ଶୀଘ୍ର ଦିଲ୍ଲୀପଙ୍କ ହାତ ଛାଡି ବିଜୟ ପୁଣି ବିଜେପିକୁ ଫେରିଯିବେ ବୋଲି ସୂଚନା ମିଳୁଛି ।
ଯଦିଓ ଦିଲ୍ଲୀପଙ୍କୁ ନେବାପାଇଁ ବିଜେଡିର ଗୋଟିଏ ଗୋଷ୍ଠି ମତ ଦେଇଥିଲେ କିନ୍ତୁ ବିଜୟଙ୍କ ହାତ ନଛାଡିବାରୁ ଦିଲ୍ଲୀପ ବିଜେଡି ଯାଇ ପାରିଲେ ନାହିଁ । ହେଲେ ଏବେ ବିଜୟ ପୁଣି ବିଜେପି ମୁହାଁ ହୋଇଛନ୍ତି । ବିଶେଷକରି ବୈଜୟନ୍ତଙ୍କ ବିଜେପିରେ ଯୋଗଦାନ ପରେ ବିଜୟ ବିଜେପି ଆଡକୁ ଢଳୁଛନ୍ତି ।
ଉଭୟ ବୈଜୟନ୍ତ ଓ ବିଜୟଙ୍କ ମଧ୍ୟରେ ଘନ ଘନ ବୈଠକ ହେବାରେ ଲାଗିଛି । ବିଜୟ ବିଜେପିକୁ ଫେରିଲେ ଦଳ ତାଙ୍କୁ ପୁଣିଥରେ ଗ୍ରହଣ କରିବା ସହିତ ମହାକାଳପଡା କିନ୍ତୁ ପାଟକୁରା ଯେଉଁଠାରୁ ସିଏ ଚାହିଁବେ ସେଠାରୁ ବିଧାୟକ ଟିକଟ ଦେବ ବୋଲି ପ୍ରତିଶ୍ରୁତି ମିଳିଛି । ଏପରିକି ବୈଜୟନ୍ତ ଯଦି ଅନ୍ୟ ଲୋକସଭା ଆସନକୁ ଯିବେ ତେବେ ବିଜୟଙ୍କୁ କେନ୍ଦ୍ରାପଡା ଲୋକସଭା ଆନରେ ଲଢିବାପାଇଁ ବିଜେପି ସୁଯୋଗ ଦେଇପାରେ । ବିଜୟ ପୁଣିଥରେ ବିଜେପି ଆଡକୁ ଢଳୁଥିବାବେଳେ ଦିଲ୍ଲୀପ କିନ୍ତୁ ନିଜ ନିଷ୍ପତ୍ତିରେ ଅଟଳ ଥିବା ସୂଚନା ମିଳୁଛି । ସେ ପୁଣିଥରେ ବିଜେପିକୁ ଫେରିଲେ ରାଉରକେଲାରେ ଯେଉଁ ପ୍ରସଙ୍ଗକୁ ଇସ୍ୟୁକରି ଦଳ ଛାଡିଥିଲେ ସେ ସଂକ୍ରାନ୍ତରେ ଲୋକଙ୍କୁ କଣ କହିବେ ବୋଲି ଭାବିପାରୁ ନାହାନ୍ତି । ଫଳରେ ଦିଲ୍ଲୀପ ଅଟଳ ଥିବାରୁ ବିଜୟ ତାଙ୍କ ହାତ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିଜେପି ମଧ୍ୟ ଦିଲ୍ଲୀପ-ବିଜୟଙ୍କୁ ପୁଣିଥରେ ଆପଣେଇବା ଉଦ୍ୟମରେ ରହିଛି । କାରଣ ବୈଜୟନ୍ତ ଦଳକୁ ଆସିବାପରେ ଉପକୂଳ ଓଡିଶାରେ ବିଜେପି ତାହାର ଶକ୍ତିବୃଦ୍ଧିରେ ଲାଗି ପଡିଛି । ଏବେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଓ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଜେପିକୁ ଆଣିବାପାଇଁ ଆଲୋଚନା ଚାଲିଥିବାବେଳେ ଦିଲ୍ଲୀପ-ବିଜୟଙ୍କର ଯଦି ଘରବାହୁଡା ହୁଏ ତେବେ ଦଳ ଉପକୂଳରେ ବିଜେଡିକୁ ଟକ୍କର ଦେଇପାରିବ ବୋଲି ବିଜେପିର ବରିଷ୍ଠ ନେତାମାନେ ବିଚାରୁଛନ୍ତି । ଦଳର ଓଡିଶା ପ୍ରଭାରୀ ଅରୁଣ ସିଂହ ମଧ୍ୟ ଆଜି ଏହି ମର୍ମରେ ସୂଚନା ଦେଇଛନ୍ତି ।
Share

Leave a Reply

Your email address will not be published. Required fields are marked *

4 × one =