ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ ଗିରଫ

ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଘସିପୁରା ଭାଜପା ଯୁବ ସଭାପତି ଆଶିଷ ବେହେରାଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ଆନନ୍ଦପୁର ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁକୁ ଗିରଫ କରିଛି। ଶନିବାର ପୂର୍ବାହ୍ନରେ ସୁରେଶଙ୍କୁ ଆନନ୍ଦପୁର ମାଳିସାହିରୁ ଗିରଫ କରାଯାଇଛି। ସୁରେଶଙ୍କ ନାମରେ ଘସିପୁରା ଥାନାରେ କେସ୍ ନଂ. ୧୮୦/୧୮ ଏବଂ ୧୯୦/୧୮ରେ ୨ଟି ମାମଲା ରହିଛି।

ପ୍ରକାଶ ଯେ, ଘସିପୁରା ଥାନା ବେଲବାହାଳି ବଜାରରେ ଗତ ସେପ୍ଟେମ୍ବର ୧୬ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଉପରକୁ ହୋଇଥିବା ଆକ୍ରମଣ ମାମଲାରେ ସୁରେଶ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି। ପୋଲିସ ସୁରେଶ ସାହୁଙ୍କ ସମେତ ଘସିପୁରାର ପରିଆ ପାତ୍ର, ଆନନ୍ଦପୁରର ସୁଦର୍ଶନ ରଣା ଏବଂ ଦୀପକ ଜେନାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୯ ତାରିଖରେ ସୁରେଶ ସହଯୋଗୀଙ୍କ ସହ ଖପରାଖାଇ ବସଷ୍ଟାଣ୍ଡଠାରେ ଘସିପୁରା ଭାଜପା ଯୁବ ସଭାପତି ଆଶିଷ ବେହେରାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଶନିବାର ଆନନ୍ଦପୁର ଭାରପ୍ରାପ୍ତ ଏସ୍ଡିପିଓ ଦିଲ୍ଲୀପ ବାଗ୍ଙ୍କ ନିର୍ଦ୍ଦେଶକ୍ରମେ ସୁରେଶଙ୍କୁ ଗିରଫ କରାଯାଇଛି।

ଘସିପୁରା ପୋଲିସ ସୁରେଶ ସାହୁଙ୍କ ପାଲଟା ଅଭିଯୋଗରେ ଯଥା କେସ୍ ନଂ. ୧୮୧/୧୮ ରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଗିରଫ କରିବା ଏବଂ ଅକ୍ଷୟ ସାହୁ, ନିରଞ୍ଜନ ସାହୁ, ଆଶିଷ ବେହେରା, ଅଜୟ ସାହୁ ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ଉପରେ ଚାପ ବଢ଼ି ଯାଇଥିଲା।

Share

Leave a Reply

Your email address will not be published. Required fields are marked *

20 − 8 =