ସିଦ୍ଧରମୈୟାଙ୍କ ପାଦ ଛୁଇଁଲେ ଶିବକୁମାର
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ସିଦ୍ଧରମୈୟା ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ବାସଭବନରେ ସମସ୍ତ ମନ୍ତ୍ରୀଙ୍କ ସହିତ ଏକ ବ୍ରେକଫାଷ୍ଟ ବୈଠକ କରିଥିଲେ । ଏହି ବୈଠକ ସରିବା ପରେ ସିଦ୍ଧରମୈୟାଙ୍କ ପାଦ ଛୁଇଁଲେ ଶିବକୁମାର । ପାଦ ଛୁଇଁ ନେଲେ ଆଶୀର୍ବାଦ । ସିଦ୍ଧରମୈୟାଙ୍କ ସରକାରୀ ବାସଭବନରେ ହାଇ-ପ୍ରୋଫାଇଲ୍ ବ୍ରେକଫାଷ୍ଟ ବୈଠକରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବରିଷ୍ଠ ନେତା ସିଦ୍ଧାରମୈୟାଙ୍କ ପାଦ ଛୁଇଁ ସମ୍ମାନର ସହ ଆଶୀର୍ବାଦ ନେଇଥିଲେ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର । ଏବଂ ପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ ।
୭୭ ବର୍ଷୀୟ ସିଦ୍ଧରମୈୟା ଆଜି ଦିନ ୩ଟାରେ ନିଜ ପଦରୁ ଇସ୍ତଫା ଦେବେ । ଏହାପରେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ସିଦ୍ଧରମୈୟାଙ୍କୁ ରାଜ୍ୟସଭାକୁ ପଠାଇବାକୁ ହାଇକମାଣ୍ଡ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । .
ସିଦ୍ଧରମୈୟା କହିଛନ୍ତି, ଆମେ ୨୦୨୮ ବିଧାନସଭା ନିର୍ବାଚନରେ ମିଶିକି କାମ କରିବୁ । ୨୦୨୩ରେ ହୋଇଥିବା ରୋଟେସନାଲ୍ ଫର୍ମୁଲା ଅନୁସାରେ ପ୍ରଥମ ଅଢ଼େଇ ବର୍ଷ ସିଦ୍ଧରମୈୟା ଶାସନ କରିବାର ଥିଲା । ଯାହା ଏବେ ପୂରଣ ହେବାକୁ ଯାଉଛି । ୨୦୨୮ ନିର୍ବାଚନ ପୂର୍ବରୁ ବୋକାଲିଗା ସମୁଦାୟର ସମର୍ଥନକୁ ମଜବୁତ କରିବା ପାଇଁ ଦିଲ୍ଲୀ ଦରବାର ଶିବକୁମାରଙ୍କ ନାଁରେ ମୋହର ମାରିଛି । ଖୁବ୍ ଶୀଘ୍ର କଂଗ୍ରେସ ବିଧାୟକ ଦଳର ବୈଠକ ବସିବ ।
ତେବେ ଗଭର୍ଣ୍ଣର ଥାୱରଚାନ୍ଦ ଗେହଲଟ୍ ପାରିବାରିକ ସମସ୍ୟା ପାଇଁ ବାହାରେ ଥିବାରୁ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହେଉଛି । ଘୋଷଣା ପୂର୍ବରୁ ହିଁ ବେଙ୍ଗାଲୁରୁ ସ୍ଥିତ ଡି.କେ. ଶିବକୁମାରଙ୍କ ବାସଭବନ ଆଗରେ ସମର୍ଥକମାନେ ଏକାଠି ହେବା ଆରମ୍ଭ କଲେଣି ।

