ଭାରତୀୟ ପୁରୁଷ ହକି ଟିମକୁ ମୋଦିଙ୍କ ଶୁଭେଚ୍ଛା

ଭୁବନେଶ୍ବର (): ପ୍ରଧାନମନ୍ତ୍ରୀ ତାଙ୍କର ‘ମନ କି ବାତ’ କାର୍ଯ୍ୟକ୍ରମରେ ଓଡ଼ିଶାର ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତିଚଳିତ ବର୍ଷ ଭାରତକୁ ପୁରୁଷ ହକି ବିଶ୍ୱକପ ୨୦୧୮ ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜନ କରିବାର ସୌଭାଗ୍ୟ ମିଳିଛି। ହକି ବିଶ୍ବକପ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ୱର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଭାରତୀୟ, ସେ ଯେକୌଣସି ଖେଳ ଖେଳୁଥାନ୍ତୁ ନା କାହିଁକି କିମ୍ବା ଯେ କୌଣସି ଖେଳ ପ୍ରତି ତାଙ୍କର ରୁଚି ଥାଉ, ହକି ସହ ସମସ୍ତଙ୍କ ମନରେ ଗୋଟିଏ ସମ୍ପର୍କ ନିଶ୍ଚୟ ରହିଥାଏ। ହକିରେ ଭାରତର ସ୍ବର୍ଣ୍ଣିମ ଇତିହାସ ରହିଛି।

ଅତୀତରେ ଭାରତକୁ ଅନେକ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ମିଳିଛି ଏବଂ ଥରେ ବିଶ୍ବକପ ବିଜେତା ମଧ୍ୟ ହୋଇପାରିଛି। ଭାରତ ଅନେକ ମହାନ ହକି ଖେଳାଳି ସୃଷ୍ଟି କରିଛି। ବିଶ୍ବରେ ହକିର ଚର୍ଚ୍ଚା ହେଉଥିବା ବେଳେ ଭାରତର ଏହି ମହାନ ଖେଳାଳିମାନଙ୍କ କଥା ବିନା କାହାଣୀ ଅସମ୍ପୂର୍ଣ୍ଣ ରହେ। ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ନାମ ସହ ସାରା ବିଶ୍ୱ ପରିଚିତ। ତାଙ୍କପରେ ବଲୱିନ୍ଦର ସିଂ ସିନିୟର, ଲେସ‌୍‍ଲି କ୍ଲାଉଡିୟସ‌୍‍, ମହମ୍ମଦ ଶାହିଦ‌୍‍, ଉଧମ ସିଂଙ୍କଠାରୁ ଆରମ୍ଭ କରି ଧନରାଜ ପିଲ୍ଲାଇ ପର୍ଯ୍ୟନ୍ତ ଏମାନେ ହକିରେ ଗୋଟିଏ ଦୀର୍ଘ ପଥ ଅତିକ୍ରମ କରିଛନ୍ତି।

ଆଜି ମଧ୍ୟ ଭାରତୀୟ ଦଳର ଖେଳାଳି ନିଜ ପରିଶ୍ରମ ଏବଂ ନିଷ୍ଠା ବଳରେ ମିଳୁଥିବା ସଫଳତା ଦ୍ୱାରା ହକିର ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛନ୍ତି। କ୍ରୀଡ଼ାପ୍ରେମୀଙ୍କ ପାଇଁ ରୋମାଂଚକର ମ୍ୟାଚ ଦେଖିବାର ଏହା ଗୋଟିଏ ଭଲ ସୁଯୋଗ। ଭୁବନେଶ୍ବର ଯାଆନ୍ତୁ ଏବଂ କେବଳ ଭାରତୀୟ ଦଳ ନୁହେଁ ସବୁ ଦଳକୁ ଉତ୍ସାହିତ କରନ୍ତୁ।

ଓଡ଼ିଶା ଏଭଳି ଏକ ରାଜ୍ୟ, ଯାହାର ନିଜସ୍ବ ଗୌରବପୂର୍ଣ୍ଣ ଇତିହାସ ତଥା ସମୃଦ୍ଧ ସାଂସ୍କୃତିକ ପରମ୍ପରା ରହିଛି ସେଠାକାର ଲୋକେ ମଧ୍ୟ ଖୁବ‌୍‍ ଉତ୍ସାହୀ। କ୍ରୀଡ଼ାପ୍ରେମୀମାନଙ୍କ ପାଇଁ ଓଡ଼ିଶା ଦର୍ଶନର ମଧ୍ୟ ଏହା ଅପୂର୍ବ ସୁଯୋଗ। ଏହି ସମୟରେ ଖେଳକୁ ଉପଭୋଗ କରିବା ସହିତ ଆପଣ କୋଣାର୍କର ସୂର୍ଯ୍ୟମନ୍ଦିର, ପୁରୀରେ ଭଗବାନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ଚିଲିକା ହ୍ରଦ ସମେତ ଅନେକ ବିଶ୍ବପ୍ରସିଦ୍ଧ ଦର୍ଶନୀୟ ଓ ପବିତ୍ର ସ୍ଥଳ ମଧ୍ୟ ଦେଖିପାରିବେ। ଏହି ପ୍ରତିଯୋଗିତା ପାଇଁ ମୁଁ ଭାରତୀୟ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଉଛି ଏବଂ ସେମାନଙ୍କୁ ବିଶ୍ୱାସ ଦେଉଛି ଯେ, ୧୨୫ କୋଟି ଭାରତୀୟ ସେମାନଙ୍କ ସହିତ ସେମାନଙ୍କ ସମର୍ଥନରେ ଠିଆ ହୋଇଛନ୍ତି। ଏହା ସଙ୍ଗେସଙ୍ଗେ ଭାରତକୁ ଆସୁଥିବା ବିଶ୍ୱର ସମସ୍ତ ଦଳଗୁଡ଼ିକୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଜଣାଉଛି।

Share

Leave a Reply

Your email address will not be published. Required fields are marked *

2 × one =