ଜାତୀୟ

ମଝି ସମୁଦ୍ରରେ ଚାଲିଗଲା ୧୪ ପ୍ରବାସୀଙ୍କ ଜୀବନ

ମଝି ସମୁଦ୍ରରେ ମୃତ୍ୟୁର ତାଣ୍ଡବ । ପ୍ରବାସୀଙ୍କୁ ନେଇ ସ୍ପେନ୍ ଆସୁଥିବା ଏକ ଡଙ୍ଗାରେ ବଡ଼ ଅଘଟଣ। ଡଙ୍ଗାରେ ଥିବା ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୯୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଆଫ୍ରିକୀୟ ଦେଶ ଗାମ୍ବିଆରୁ ସ୍ପେନ୍ ଆସୁଥିବା ବେଳେ ଏହି ଅଘଟଣ ଘଟିଛି । ଶୁକ୍ରବାର ସ୍ପେନ୍‌ର ଏଲ୍ ହିଏରୋ ଦ୍ୱୀପଠାରୁ ପ୍ରାୟ ୭୨ କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ ଡଙ୍ଗାଟି ଭାସୁଥିବା ଅବସ୍ଥାରେ ଠାବ ହୋଇଥିଲା ।

ସୂଚନା ଅନୁଯାୟୀ, ଡଙ୍ଗାଟି ୧୦ ଦିନ ପୂର୍ବରୁ ଗାମ୍ବିଆର ରାଜଧାନୀ ବାଞ୍ଜୁଲରୁ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ମଝି ସମୁଦ୍ରରେ ଇଞ୍ଜିନ୍ ଖରାପ ହୋଇଯିବାରୁ ଡଙ୍ଗାଟି ଅଟକି ଯାଇଥିଲା। ଇଞ୍ଜିନ୍ ଖରାପ ହେବାର ତିନି ଦିନ ପରେ ଡଙ୍ଗାଟିକୁ ଠାବ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଫଳରେ ଦୀର୍ଘ ସମୟ ଧରି ସମୁଦ୍ର ମଝିରେ ଖାଦ୍ୟ ଓ ସହାୟତା ବିନା ଫସି ରହିଥିଲେ ଯାତ୍ରୀ । ଖବର ପାଇବା ପରେ ସ୍ପେନ୍‌ର ସାମୁଦ୍ରିକ ଉଦ୍ଧାରକାରୀ ସଂସ୍ଥା ପକ୍ଷରୁ ବଡ଼ଧରଣର ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା । ଏଥିରେ ମ୍ୟାରିଟାଇମ୍ ରେସ୍କ୍ୟୁ ସର୍ଭିସ୍ ଏବଂ ସିଭିଲ୍ ଗାର୍ଡର ଜାହାଜ ସହ ଏକ ହେଲିକପ୍ଟର ନିୟୋଜିତ ହୋଇଥିଲା । ଗୁରୁତର ଅବସ୍ଥାରେ ଥିବା ୬ ଜଣଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । ଅନ୍ୟ ୮୪ ଜଣଙ୍କୁ ଜାହାଜ ଯୋଗେ ଲା ରେଷ୍ଟିଙ୍ଗା ବନ୍ଦରରେ ପହଞ୍ଚାଯାଇଥିଲା ।

ଅନ୍ୟପଟେ କାନାରି ଦ୍ୱୀପପୁଞ୍ଜ ଏବେ ଆଫ୍ରିକୀୟ ପ୍ରବାସୀଙ୍କ ପାଇଁ ୟୁରୋପର ପ୍ରବେଶ ପଥ ପାଲଟିଛି । ଦାରିଦ୍ର୍ୟ, ଯୁଦ୍ଧ ଓ ଅସ୍ଥିରତାରୁ ମୁକ୍ତି ପାଇବା ଆଶାରେ ହଜାର ହଜାର ଲୋକ ବିପଜ୍ଜନକ ସାମୁଦ୍ରିକ ଯାତ୍ରା କରୁଛନ୍ତି । ନଭେମ୍ବର ୨୪ରେ ମଧ୍ୟ ୨,୧୦୦ରୁ ଅଧିକ ପ୍ରବାସୀ ଏଲ୍ ହିଏରୋରେ ପହଞ୍ଚିଥିଲେ । ସ୍ପେନ୍ ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ସମୁଦ୍ର ପଥରେ ୨୮ ହଜାର ୧୫୫ ଜଣ ପ୍ରବାସୀ ସ୍ପେନ୍‌ରେ ପହଞ୍ଚିଛନ୍ତି । ଯାହା ଗତବର୍ଷର ସମାନ ଅବଧି ତୁଳନାରେ ୪.୩ ପ୍ରତିଶତ ଅଧିକ । ଏଥିମଧ୍ୟରୁ ୧୩ ହଜାର ୩୨୭ ଜଣ କେବଳ କାନାରି ଦ୍ୱୀପପୁଞ୍ଜରେ ପହଞ୍ଚିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + ten =