ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଶାଳିଜଙ୍ଗାରେ ସାମୂହିକ ସ୍ୱଚ୍ଛତା ଅଭିଯାନ, ସାମିଲ ହେଲେ ସ୍ଥାନୀୟ ବାସିନ୍ଦା

କଳିଙ୍ଗନଗର, ନଭେମ୍ବର ୨୭,୨୦୨୬: ନୀଳାଚଳ ଇସ୍ପାତ ନିଗମ (ଏନ୍ଆଇଏନ୍ଏଲ୍) ପକ୍ଷରୁ ଶୁକ୍ରବାର ଶାଳିଜଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାଘୁଆପାଳ ହାଟଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ଏକ ବୃହତ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଏନ୍ଆଇଏନ୍ଏଲ୍ର ସମସ୍ତ ବିଭାଗୀୟ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ। ଏଥିରେ ୧୧୦ ଜଣ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ସ୍ଥାନୀୟ ବଜାର ପରିସର ଏବଂ ଆଖପାଖ ସ୍ଥାନଗୁଡ଼ିକୁ ସଫା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଏନ୍ଆଇଏନ୍ଏଲ୍ର ଅପରେସନ୍ସ ଆଣ୍ଡ୍ ମେଣ୍ଟେନାନ୍ସ ଚିଫ୍ ବିନୀତ ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।
ବିଭିନ୍ନ ବିଭାଗର ପ୍ରତିନିଧି, ସ୍ୱେଚ୍ଛାସେବୀ, ବିସ୍ଥାପିତ କମିଟି ର ୨୦ ଜଣ ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ପରସ୍ପର ସହ ସମନ୍ୱୟ ରକ୍ଷା କରି ଏହି ବ୍ୟସ୍ତବହୁଳ ଗ୍ରାମୀଣ ବଜାରରୁ ଅଳିଆ ଆବର୍ଜନା ସଫା କରିବା ସହ ପରିବେଶକୁ ସ୍ୱଚ୍ଛ କରିଥିଲେ।
ଏହି ଅଭିଯାନ କେବଳ ସଫେଇ ମଧ୍ୟରେ ସୀମିତ ନଥିଲା, ବରଂ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନଙ୍କୁ ସଚେତନ କରିବାର ଏକ ମାଧ୍ୟମ ପାଲଟିଥିଲା। ସବୁଦିନ ନିଜ ଆଖପାଖ ସଫା ରଖିବା, ଅଳିଆ ଆବର୍ଜନାକୁ ଉପଯୁକ୍ତ ଜାଗାରେ ପକାଇବା ଏବଂ ପରିମଳ ରକ୍ଷା କରିବାର ଗୁରୁତ୍ୱ ବିଷୟରେ ଏଠାରେ ବୁଝାଯାଇଥିଲା। ସମସ୍ତଙ୍କ ମିଳିତ ଉଦ୍ୟମ ଏବଂ ଦାୟିତ୍ୱବୋଧ କିପରି ସମାଜର ସ୍ୱାସ୍ଥ୍ୟରେ ସୁଧାର ଆଣିପାରିବ, ତାହା ସ୍ୱେଚ୍ଛାସେବୀମାନେ ପ୍ରତ୍ୟକ୍ଷ ଭାବେ ଜଣାଇଥିଲେ।
ଏହି ଅଭିଯାନର ସଫଳ ଆୟୋଜନ ଏନ୍ଆଇଏନ୍ଏଲ୍ କର୍ମଚାରୀମାନଙ୍କ ସେବା ମନୋଭାବ ଏବଂ ପାରିପାର୍ଶ୍ୱିକ ଅଞ୍ଚଳରେ ଏକ ସ୍ୱଚ୍ଛ, ସବୁଜ ତଥା ସୁସ୍ଥ ପରିବେଶ ଗଠନ ପାଇଁ କମ୍ପାନୀର ନିରନ୍ତର ପ୍ରୟାସକୁ ଦର୍ଶାଉଛି ।

