ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ, ବାପୁଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର () ମହିଳାଙ୍କ ପାଇଁ ସଂସଦରେ ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ସଂସଦରେ ଏକ ବିଲ ଆଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ନାରୀ ସଶକ୍ତିକରଣର ନେତୃତ୍ବ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାତ୍ମା ଗାନ୍ଧୀ ସବୁ ବେଳେ ଲିଙ୍ଗଗତ ସମାନତା ଏବଂ ସମାଜରେ ନାରୀ ସଶକ୍ତିକରଣର ନାରା ଦେଉଥିଲେ । ନାରୀ ସଶକ୍ତିକରଣ ଦିଗରେ ରାଜନୀତିରେ ମହିଳାଙ୍କୁ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସାମିଲ କରାଗଲେ ଏହା ହିଁ ଜାତୀର ପିତାଙ୍କୁ ତାଙ୍କ 150ତମ ଜନ୍ମ ଜୟନ୍ତୀରେ ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ଏଦିଗରେ ସଂସଦରେ ବିଲ ଆଗତ କରି ତାହାକୁ ସଂସଦର ଅନୁମୋଦନ ଦେବାକୁ ବ୍ୟବସ୍ଥା କରାଗଲେ ରାଜ୍ୟ ସରକାର ମହିଳାଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ପାଇଁ ସବୁ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନବୀନ କହିଛନ୍ତି ଯେ, ମହିଳାଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ରାଜନୈତିକ କ୍ଷମତା ପ୍ରଦାନରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ । 90 ଦଶକରେ ସ୍ବର୍ଗତ ବିଜୁ ପଟ୍ଟନାୟକ ପ୍ରଥମେ ମହିଳାଙ୍କୁ ରାଜନୈତିକ କ୍ଷମତା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥିପାଇଁ ସେ ପୌର ପରିଷଦ ଏବଂ ପଂଚାୟତରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ଏଥିସହିତ ସେ ମହିଳା ଓ ପୁରୁଷଙ୍କ ପାଇଁ ସମାନ ମଜୁରୀ ବ୍ୟବସ୍ଥା ଲାଗୁ କରିଥିଲେ ।

ବିଜୁ ବାବୁଙ୍କ ନାରୀ ସଶକ୍ତିକରଣ ସ୍ବପ୍ନକୁ ଆଉ ପାଦେ ଆଗେଇ ନେଇ ରାଜ୍ୟ ସରକାର 2011ରେ ପଂଚାୟତ ଓ ପୌର ପରିଷଦରେ ମହିଳାଙ୍କ ପାଇଁ ସଂରକ୍ଷଣ ହାର 50 ପ୍ରତିଶତକୁ ବୃଦ୍ଧି କରିଥିଲେ । ମହିଳାଙ୍କ ରାଜନୈତିକ ସଶକ୍ତିକରଣର ଏହି ନିଷ୍ପତ୍ତି ଯୋଗୁଁ ବହୁ ସଂଖ୍ୟାରେ ମହିଳା ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି । ନିକଟରେ ଓଡିଶା ବିଧାନସବାରେ ମହିଳାଙ୍କ ପାଇଁ ସଂସଦ ଓ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଛି ।

ନାରୀ ସଶକ୍ତିକରଣ ବିନା କୌଣସି ପରିବାର କି ସମାଜ ଆଗେଇ ପାରିବ ନାହିଁ । ଏବଂ ନାରୀ ସଶକ୍ତିକରଣ ହିଁ ଦେଶର ବିକାଶ । ଆମ ସମ୍ବିଧାନ ମଧ୍ୟ ଲିଙ୍ଗଗତ ସମାନତାକୁ ଗୁରୁତ୍ବ ଦେଉଛି । ଆମର ମା, ଭଉଣୀ ଓ ଝିଅମାନେ ଦେଶ ଓ ରାଜ୍ୟର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇପାରିଲେ ଯାଇଁ ଦେଶର ପ୍ରକୃତ ବିକାଶ ସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 + 1 =