ବିଜେପି ନେତାଙ୍କ ସ୍ବାର୍ଥ ପାଇଁ ଓଡିଶା ତାର ହକରୁ ବଂଚିତ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଘନଘନ ପ୍ରଚାର କରିଛନ୍ତି । ଅନୁଗୁଳ, ହିନ୍ଦୋଳ, ବାଙ୍କି, ଖୋର୍ଦ୍ଧା ଓ ବେଗୁନିଆରେ ପ୍ରଚାର କରିବା ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବାକୁ ଆହ୍ବାନ ଦେଇଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଟାଳଟୁଳ ନୀତି ଯୋଗୁଁ କିଭଳି ଓଡିଶାବାସୀ ଓ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ସେନେଇ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, କାଳିଆ ଯୋଜନାରେ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି । ବିଜୁ ଜନତା ଦଳ ସରକାରକୁ ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତିରେ 10 ହଜାର ଟଙ୍କା ପ୍ରଦାନ କରିବ । ବିଜେଡି ମହିଳାମାନଙ୍କୁ ତାର ହକ୍ ଦେଇଛି । କେନ୍ଦ୍ର ଯୋଜନାରେ ମହିଳାମାନଙ୍କ ସ୍ବାସ୍ଥ୍ୟ ସୁବିଧା ପାଇଁ 5 ଲକ୍ଷ ଟଙ୍କା ଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଦୁଇ ଗୁଣା ହିସାବରେ 10 ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ । ମିଶନ ଶକ୍ତିର ମା ମାନଙ୍କ ପାଇଁ 5ହଜାର କୋଟି ଟଙ୍କାର ବିଜନେସ ଦିଆଯିବ । ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜୀନ । ବୋଲି ସେ କହିଛନ୍ତି ।

ନିର୍ବାଚନ ହେଲେ ବିଜେପିର ବଡ ବଡ ନେତାମାନେ ଓଡିଶା ଆସୁଛନ୍ତି । ଭୋଟ ମାଗୁଛନ୍ତି । ସେମାନଙ୍କୁ ଆପଣମାନେ ପଚାରନ୍ତୁ କୋଇଲା ରୟାଲଟି ସଂଶୋଧନ ହୋଇନି କାହିଁକି । ପାଂଚ ମିନିଟର କାମ ପାଂଚ ବର୍ଷ ପରେ ବି ହୋଇପାରିଲା ନାହିଁ । କୋଇଲା ରୟାଲିଟିରୁ କେନ୍ଦ୍ର ପାଉଛି ହଜାର ହଜାର କୋଟି ଟଙ୍କା । ଢେଙ୍କାନାଳ-ଅନୁଗୁଳ ପାଉଛି ପ୍ରଦୂଷଣ ଆଉ ଧୂଳି । ଓଡିଶା ବିଜେପିର ବଡ ବଡ ନେତାାନେ ବେଆଇନ କୋଇଲା କାରବାର କରୁଛନ୍ତି କି । ତାଙ୍କୁ ସହଯୋଗ କରିବା ପାଇଁ ଓଡିଶାକୁ ତାର ହକରୁ ବଂଚିତ କରାଯାଉଛି କି । ଏମସିଏଲ, ଏନଟିପିସି ହଜାର ହଜାର କୋଟି ଟଙ୍କା ଲାଭ କରୁଛନ୍ତି । କିନ୍ତୁ ସ୍ଥାନୀୟ ଅଂଚଳର ବିକାଶ ପାଇଁ କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜେପି ନେତାମାନଙ୍କର କଣ୍ଟ୍ରାକ୍ଟର ବନ୍ଧୁମାନଙ୍କ ପାଇଁ କାମ କରୁଛନ୍ତି କି । ଏହା ଓଡିଶା ଯୁବକମାନଙ୍କୁ ଅଣଦେଖା ନୁହେଁ କି । ଜମି ହରାଉଥିବା ଲୋକଙ୍କୁ ନ୍ୟାୟ ମିଳୁନି । କିନ୍ତୁ ଓଡିଆ କେନ୍ଦ୍ରମନ୍ତ୍ରୀମାନେ ଚୁପ କାହିଁକି । ଢେଙ୍କାନାଳ ଓ ଅନୁଗୁଳବାସୀ ଆସନ୍ତା ନିର୍ବାଚନରେ ଏହାର ଉଚିତ ଜବାବ ଦେବେ । ଚାଷୀ, ମହିଳା, ଯୁବକ, ଶ୍ରମିକ, ସାଧାରଣ ଲୋକ ସମସ୍ତେ ବିଜେଡି ସାଥିରେ ଅଛନ୍ତି । ସମସ୍ତେ ମୋର ପରିବାର । ସାଢେ ଚାରି କୋଟି ଲୋକ ମୋର ପରିବାର । ମୁଁ ଓଡିଶାବାସୀଙ୍କ ସାଙ୍ଗରେ ଅଛି । ତେଣୁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନବୀନ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + 9 =