ବିଜୁଙ୍କୁ ଆୟୁଧ କରିବେ ଦାମ, ବୈଜୟନ୍ତ

ବିଜେପିର ମିଶନ 120 ପୂରଣ ହେବନି : ଦାମ

ଭୁବନେଶ୍ବର () : ଅକ୍ଟୋବର ସରି ନଭେମ୍ବର ଚାଲିଛି । ବିଜେଡିରୁ ବହିସ୍କୃତ ନେତା ଡାକ୍ତର ଦାମୋଦର ରାଉତ ଆଣ୍ଡ କୋ’ଙ୍କ ନୂଆ ଦଳ ଗଠନ ହୋଇପାରିଲାନି । ଏହି ପ୍ରସଙ୍ଗରେ ଆଜି ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ଖୁବଶୀଘ୍ର ନୂଆ ଦଳ ଗଢିବେ  । ତେବେ କିଏ କିଏ ନୂଆ ଦଳରେ ସାମିଲ ହେବେ ସେ ନେଇ ଚୁପ୍ ରହିଛନ୍ତି । ବିଜୁ ବାବୁଙ୍କ ନାଁରେ ଦଳ ନାମିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ବିଜେପି ସହ ଦାମ ରାଉତ ପରୋକ୍ଷରେ ରାଜନୈତିକ ସାଲିସ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି, ସେହି ଦଳର ମିଶନ 120 ଏକ ପ୍ରହେଳିକା ବୋଲି ସେ କହିଛନ୍ତି । ବିଜେପି ଓଡିଶାରେ 120 ଆସନ ଦଖଲ କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । କଂଗ୍ରେସ ମଧ୍ୟ ନୂଆ ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଦାମ ରାଉତଙ୍କ ମଧ୍ୟରେ କଂଗ୍ରେସ ଏପର୍ଯ୍ୟନ୍ତ କନ୍ଦଳମୁକ୍ତ ହୋଇନି ।

ଚର୍ଚ୍ଚା ହେଉଛି ଯେ, ଦାମ ରାଉତ ଓ ବୈଜୟନ୍ତ ପଣ୍ଡା ମିଳିତ ଭାବେ ଏକ ଆଂଚଳିକ ଦଳ ଗଠନ କରିବାକୁ ଯାଉଛନ୍ତି । ଦଳ ଗଠନର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଦଳର ପଂଜିକରଣ ଏବଂ ଚିହ୍ନ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଆବେଦନ କରାଯାଇଛି । କିନ୍ତୁ ଏହି ଦଳରେ ଦାମ, ବୈଜୟନ୍ତଙ୍କ ବ୍ୟତିତ ଅନ୍ୟ କେଉଁମାନେ ସାମିଲ ହେବେ ସେ ସଂପର୍କରେ ଉଭୟ ନିରବତା ଅବଲମ୍ବନ କରୁଛନ୍ତି । ସୁରେନ୍ଦ୍ର ନାଥ ନାୟକ, ପ୍ରଫୁଲ୍ଲ ଘଡେଇ, ପଂଚାନନ କାନୁନଗୋ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଆଦିଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେବଳ ପଂଚାଚନଙ୍କୁ ବାଦ ଦେଲେ ଅନ୍ୟମାନେ ଏଭଳି ଚର୍ଚ୍ଚାକୁ ଅସ୍ବୀକାର କରିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one + seventeen =