“ମିଶନ ଆସନ” ଧୂଆଁବାଣ

ଭୁବନେଶ୍ବର () ବିଭିନ୍ନ ରାଜ୍ୟରେ ବିଧାନସଭା ଆସନ ଦଖଲ କରିବା ପାଇଁ ବିଜେପି ଯେଉଁ “ମିଶନ ଆସନ”ର ଲକ୍ଷ୍ୟ ରଖୁଛି ତାହା ଏକ ଧୂଆଁବାଣରେ ପରିଣତ ହୋଇଛି । ଯେଉଁଥିପାଇଁ ବିଜେପି ଓଡିଶା କ୍ଷେତ୍ରରେ ମିଶନ 120ର ଟାର୍ଗେଟ ଦେଇଥିବା ବେଳେ ଆସନ୍ତା ଜାନୁଆରୀରେ ହେବାକୁ ଥିବା ଚାରୋଟି ରାଜ୍ୟ ପାଇଁ କୌଣସି ମିଶନ ନେଇ ପାରୁନି । ଏପରିକି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବି ଦଳ କେତେ ସିଟ ଜିତିବ ତାର ଆକଳନ କରିପାରୁନି ।

ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ନିର୍ବାଚନରେ ବିଜେପି ମିଶନ 150ର ଟାର୍ଗେଟ ନେଇଥିଲା । ପାଇଲା 104 । ସେହିଭଳି ଗୁଜୁରାଟରେ ମଧ୍ୟ ବିଜେପିର ଟାର୍ଗେଟ କାମ ଦେଲନି । ଫଳରେ ଆସନ୍ତା ଜାନୁଆରୀ ମାସରେ ଚାରୋଟି ରାଜ୍ୟ ରାଜସ୍ଥାନ, ମିଜୋରାମ, ଛତିଶଗଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି ଏସବୁ ରାଜ୍ୟ ପାଇଁ କୌଣସି ଆସନ ଦଖଲର ମିଶନ ନେଇ ପାରୁନି । ଏହାର କାରଣ ବୋଧହୁଏ ଦଳ ଏହିସବୁ ରାଜ୍ୟରେ ନିଜର ପ୍ରଦର୍ଶନକୁ ନେଇ ସନ୍ଦିହାନ ରହିଛି ।

କେବଳ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ନୁହେଁ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମଧ୍ୟ ବିଜେପି କେତେ ଆସନ ଦଖଲ କରିବାର ଲକ୍ଷ ନେଇଛି ସେନେଇ ଅମିତ ଶାହାଙ୍କ ପରି ମଙ୍ଗୁଆଳମାନେ କୌଣସି ସଂଖ୍ୟା କହୁନାହାଁନ୍ତି । କିଛି ଜାତୀୟ ଗଣମାଧ୍ୟମକୁ ଦେଇଥିବା ବିବୃତିରେ ବିଭିନ୍ନ ସମୟରେ ଅମିତ ଶାହା କହିଛନ୍ତି ଯେ, ଲୋକସଭାରେ ବିଜେପି ଯେଉଁ ଆସନରୁ ହାରିଛି ତାକୁ ଫୋକସରେ ରଖି ନିର୍ବାଚନ ଲଢିବ । କିନ୍ତୁ 2014ରେ ଲୋକସଭାରେ 282ଟି ଆସନ ଜିତିଥିବା ଦଳ 2019ରେ କେତେ ଆସନ ଦଖଲ କରିବ ସେନେଇ ବିଜେପିର ବରିଷ୍ଠ ନେତାମାନେ କୌଣସି ଆକଳନ କରିପାରୁନାହାଁନ୍ତି । ସେହିପରି ଓଡିଶା କ୍ଷେତ୍ରରେ ମଧ୍ୟ ଲୋକସଭାରେ କେତେ ଆସନ ଜିତିବେ ସେନେଇ ଶାହା କୌଣସି ସଂଖ୍ୟା କହିନାହାଁନ୍ତି । କେବଳ ଓଡିଶାରେ 2014 ତୁଳନାରେ 2019ରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । ତେବେ ନାମ ଗୋପନ ରଖି କିଛି ବରିଷ୍ଠ ନେତା ବିଭିନ୍ନ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଦଳ 2014ରେ ପାଇଥିବା ସଫଳତା 2019ରେ ପାଇବା ନେଇ ସନ୍ଦେହ ରହିଛି । ଯେଉଁଥିପାଇଁ ସୁତ୍ରଧରମାନେ କୌଣସି ଆକଳନ କରୁନାହାଁନ୍ତି । ଏମିତି ବି ଗୁଜୁରାଟ ଓ କର୍ଣ୍ଣାଟକରେ ତାଙ୍କ ଗଣିତ ଫେଲ ମାରିଛି ।

2014ର ଫଳାଫଳକୁ ତର୍ଜମା କଲେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବିଜେପି 11ଟି ହିନ୍ଦି ଭାଷାଭାଷି ରାଜ୍ୟରେ 303ଟି ଲୋକସଭା କ୍ଷେତ୍ରରୁ 232ଟି ଅର୍ଥାତ ପ୍ରାୟ 77 ପ୍ରତିଶତ ଆସନ ଦଖଲ କରିଥିଲା । ଅନ୍ୟ 8ଟି ଅଣ ହିନ୍ଦି ଭାଷାଭାଷି ରାଜ୍ୟରେ 206ଟି ଆସନରୁ ମାତ୍ର 31ଟିରେ ଅର୍ଥାତ 15 ପ୍ରତିଶତ ସଫଳତା ପାଇଥିଲା । ଛତିଶଗଡ, ରାଜସ୍ଥାନ, ମହାରାଷ୍ଟ୍ର ଓ ଛତିଶଗଡ ଆଦି ରାଜ୍ୟ ଯେଉଁଠୁ ବିଜେପି 90 ପ୍ରତିଶତ ସଫଳତା ପାଇଥିଲା, 2019ରେ ତାର ପ୍ରତିଫଳନ ହେବନି । ତେଣୁ ବିଜେପି ନେତାମାନେ ଆଉ ଆକଳନ କରିବା ବନ୍ଦ କରିଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 6 =