ବିଜେପିରେ ଅସନ୍ତୁଷ୍ଟ ତୁଷ୍ଟିକରଣ

ଭୁବନେଶ୍ବର, (ନିପ୍ର): ଆଗାମୀ ନିର୍ବାଚନ ଯେ କୌଣସି ମୂହୁର୍ତ୍ତରେ ହୋଇପାରେ । ତେଣୁ ରାଜ୍ୟରେ କ୍ଷମତା ଦଖଲର ସ୍ବପ୍ନ ଦେଖୁଥିବା ବିଜେପି ନେତୃତ୍ବ ଦଳର ଅସନ୍ତୁଷ୍ଟ ତଥା ବରିଷ୍ଠ ନେତାମାନଙ୍କ ମନାଇବା କାମ ଆରମ୍ଭ କରିଛନ୍ତି । ବରିଷ୍ଠ ନେତାମାନଙ୍କୁ ଅସନ୍ତୁଷ୍ଟ କରି କ୍ଷମତା ହାସଲ ସ୍ବପ୍ନ ଆଦୌ ସଫଳ ହେବ ନାହିଁ ବୋଲି ବିଜେପିର କେନ୍‍୍ରୀୟ ନେତା ହୃଦୟଙ୍ଗମ କରିସାରିଛନ୍ତି । ଏହି ଅସନ୍ତୁଷ୍ଟ ନେତାମାନଙ୍କୁ ବୁଝାଇବା ସହିତ ଦଳୀୟ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ନିଜେ ଉଦ୍ୟମ ଆରମ୍ଭ କରିଛନ୍ତି ।

ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ଇତି ମଧ୍ୟରେ ଓଡିଶାର ଦୁଇ ଜଣ ଅସନ୍ତୁଷ୍ଟ ତଥା ଟାଣୁଆ ନେତାଙ୍କୁ ଭେଟିଲେଣି । ଗତ ସପ୍ତାହରେ ଶ୍ରୀ ଶାହା ବିଜେପିର ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀଙ୍କୁ ଭେଟି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ବାହାନାରେ ରାଜ୍ୟ ସଂଗଠନ ପ୍ରତି ତାଙ୍କ ମନରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଉଦ୍ୟମ କରିଥିଲେ । ଏପରିକି ତାଙ୍କୁ ରାଜ୍ୟ ସଭାପତି ହେବାକୁ ଅମିତ୍‍ ଶାହା ପ୍ରସ୍ତାବ ଦେଇଥିଲେ ହେଁ ସେ ଏହାକୁ ଏଡାଇ ଦେଇଥିଲେ ।

ଏହା ପରେ ପାଳି ପଡିଛି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କର । ଶ୍ରୀ ମହାପାତ୍ର ଗତକାଲିଠାରୁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ଆଜି ଅମିତ୍‍ ଶାହା ତାଙ୍କୁ ଭେଟି ମାନ ଭଞ୍ଜନ କରିଥିବା ବିଜେପି ସୂତ୍ରରୁ ଜଣାପଡିଛି । ବସନ୍ତ ପଣ୍ଡା ରାଜ୍ୟ ସଭାପତି ହେବା ପରଠାରୁ ବିଜୟ ମହାପାତ୍ର ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରହିବା ଫଳରେ ସେ ଅଲୋଡା ହୋଇପଡିଥିଲେ । ଏପରିକି ଓଡିଶାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ସେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଏହାକୁ ନେଇ ଦଳ ମଧ୍ୟରେ ବହୁ ଚର୍ଚ୍ଚା ହୋଇଥିଲା । ଏପରିକି ଦଳର କିଛି ଯୁବ ନେତା ବିଜୟ ମହାପାତ୍ରଙ୍କୁ ଅତି କଡା ଭାଷାରେ ସମାଲୋଚନା କରିବାକୁ ପଛାଇନଥିଲେ ।

ବିଗତ ଦିନରେ ବିଜେପିରେ ଅନ୍ୟ ଦଳରୁ ନେତାମାନେ ଆସି ଯୋଗ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ମଧ୍ୟ ବିଜୟ ମହାପାତ୍ରଙ୍କ ଭଳି ଅଲୋଡା ହୋଇପଡିବା ଦେଖିବାକୁ ମିଳିଲା । ଫଳରେ ଆଉ ଯେଉଁମାନେ ବିଜେପିରେ ଯୋଗ ଦେବାକୁ ଚାହୁଁଥିଲେ ସେମାନେ ଏବେ ନୀରବ ହୋଇଯାଇଛନ୍ତି । ନୟାଗଡ, ଯାଜପୁର ଆଦି ଜିଲ୍ଲାରେ ଏବେ ନୂଆ-ପୁରୁଣା ବିଜେପି ନେତାମାନଙ୍କ ମଧ୍ୟରେ ବିବାଦ ତୀବ୍ର ଆକାର ଧାରଣ କରିଛି । ଯାହାକି ବିଜେପିର ଅଭିବୃଦ୍ଧିରେ ବାଧା ସୃଷ୍ଟି କରିଛି । ଏସବୁ କଥା ଅମିତ୍‍ ଶାହା ଗତ ଥର ଗସ୍ତ ସମୟରେ ଆରଏସଏସ ପଦାଧିକାରୀମାନଙ୍କ ସହିତ ଆଲୋଚନା କାଳରେ ଅବଗତ ହୋଇଥିଲେ । ଯେଉଁନେତାମାନେ ଅସ୍ତୁଷ୍ଟ ହେଉଛନ୍ତି, ତାର ନରାକରଣ କରି ସେମାନଙ୍କୁ ପୁଣି ଥରେ ଦଳର ମୁଖ୍ୟ ସ୍ରୋତରେ ସାମିଲ କରାଗଲେ ବିଜେପି ଦେଖୁଥିବା ସ୍ବପ୍ନ ସାକାର ହୋଇପାରିବ ବୋଲି ଆରଏସଏସ ପଦାଧିକାରୀମାନେ ଅମିତ୍‍ ଶାହାଙ୍କ ସହିତ ହୋଇଥିବା ବୈଠକରେ ମତଦେଇଥିଲେ ।

ଆରଏସଏସର ମତାମତ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ଏବେ ଓଡିଶାର ଅସନ୍ତୁଷ୍ଟ ନେତାମାନଙ୍କ ବ୍ୟକ୍ତିଗଥ ଆଲୋଚନା କରି ସେଥିରୁ କିପରି ସମାଧାନର ରାସ୍ତା ବାହାରିବ ସେଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।

Share

Leave a Reply

Your email address will not be published. Required fields are marked *

4 + seven =