ଓକିଲ ଆନ୍ଦୋଳନ ପଛରେ ବିଜେପି

ଭୁବନେଶ୍ବର () : ଗୋଟେପଟେ ଆଇନଜୀବୀ ଆନ୍ଦୋଳନ ଥମୁନି କି ଏନେଇ ରାଜନୀତି ବି ଥମୁନି । ଆଜି କଟକ ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ ଏହି ଆନ୍ଦୋଳନକୁ ନେଇ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି ଯେ, ଆଇନଜୀବୀ ଆନ୍ଦୋଳନକୁ ନେଇ ବିଜେପି ରାଜନୀତି କରୁଛି ଆଉ ଆନ୍ଦୋଳନ ନିଆଁରେ ଘିଅ ଢାଛୁଳି ।

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଦୁଇ ମାସରୁ ଅଧିକ ସମୟ ଧରି ହାଇକୋର୍ଟ ଅଚଳ । ହଜାର ହଜାର ମାମଲାର ଶୁଣାଣୀ ହୋଇପାରୁନି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅପିଲ ପରେ ବି ଆନ୍ଦୋଳନ ଥମୁନି । ଦୁଇ ଦିନ ତଳେ ହାଇକୋର୍ଟ ମୁଖ୍ୟ ବିଚାରପତି ଏହି ଘଟଣାର ତଦନ୍ତ ନିଜେ ହାଇକୋର୍ଟର ଜଣେ ବିଚାରପତି କରିବେ ବୋଲି ଘୋଷଣା କଲା ପରେ ମଧ୍ୟ ଆନ୍ଦୋଳନରତ ଆଇନଜୀବୀଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନି । ସରକାର ବିରୋଧରେ ଆଇନଜୀବୀ ଆନ୍ଦୋଳନ ନାଁରେ ରାଜନୀତି କରୁଛନ୍ତି କିଛି ରାଜନୈତିକ ଦଳ ବୋଲି ସେ କହିଛନ୍ତି ।

ବିଜେଡି ଆଇନଜୀବୀ ସାମୁଖ୍ୟ ହାଇକୋର୍ଟ ଚଳାଇବାକୁ ଉଦ୍ୟମ କରିଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଇନ ମନ୍ତ୍ରୀ ଆନ୍ଦୋଳରତ ଆଇନଜୀବୀଙ୍କ ସହ ଆଲୋଚନା କରିଛନ୍ତି । ଆନ୍ଦୋଳନରେ ସାମିଲ ହୋଇଥିବା 162ଟି ବାର ମଧ୍ୟରୁ କିଛି ବାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ପୋଡିଛନ୍ତି । ଆଇନଜୀବୀ ଆନ୍ଦୋଳନ ପଛରେ କିଛି ରାଜନୈତିକ ଦଳ ରାଜନୀତି କରୁଥିବା ପୂର୍ବରୁ ବିଜେଡି ଅଭିଯୋଗ କରୁଥିବା ବେଳେ ଆଜି ବିଜେଡି ବିଧାୟକ ଦେବାଶୀଷ ସାମନ୍ତରାୟ ସିଧାସଳଖ ବିଜେପି ଆଡେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ବିଜେଡିର ଏହି ଅଭିଯୋଗ ଉପରେ ବିଜେପି ଉପସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସରକାର ଦୁଇ ମାସ ଧରି ଚାଲିଥିବା ଆନ୍ଦୋଳନକୁ ସମାଧାନ କରିନପାରି ହତାସ ହୋଇ ବିଜେପି ଉପରେ ଅଙ୍ଗୁଳି ଉଠାଉଛନ୍ତି । ହାଇକୋର୍ଟ ସମ୍ମୁଖରେ 25 ପ୍ଲାଟୁନ ଫୋର୍ସ ଛିଡା କରାଇ ବିଜୁ ଯୁବ ବାହିନିକୁ ନିୟୋଜିତ କରି ଗୁଣ୍ଡାଗିରି କରିବାକୁ ଚେଷ୍ଟା କରିଥିଲେ । ଜନପ୍ରତିନିଧ ଭାବେ ଦାୟିତ୍ବ ସମ୍ପାଦନ କରିନପାରି ବିଜୁ ଆଇନ ସାମୁଖ୍ୟ ଜରିଆରେ ବଳପୂର୍ବକ ପ୍ରବେଶ ଉଦ୍ୟମ ତାଙ୍କ ଚରିତ୍ର ପ୍ରକାଶ କରିଛି । ଏବେ ତୃତୀୟ ମହଲାରୁ ଗାଳି ଶୁଣିବା ପରେ ବିଜେପି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ବୋଲି ସେ ପାଲଟା ଆକ୍ଷେପ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + one =