ସ୍ପାଇସଜେଟ୍ ଏୟାରଲାଇନ୍ ଉପରୁ ହଟିଲା କଟକଣା

ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ଜେଟ୍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି କେନ୍ଦ୍ର ସରକାର । ତ୍ରୁଟିପୂର୍ଣ୍ଣ ପରିଚାଳନା ତଥା ବାରମ୍ବାର ବିମାନରେ ସମସ୍ୟା ଦେଖାଦେବା କାରଣରୁ କମ୍ପାନୀ ଉପରେ ବିଭିନ୍ନ କଟକଣା ଲଗାଯାଇଥିଲା । ଏପରିକି ଗାଇଡଲାଇନ୍ ପାଳନ କରୁନଥିବାରୁ ୫୦ପ୍ରତିଶତ ଯାତ୍ରୀଙ୍କୁ ନେଇ ବିମାନ ଚଳାଚଳ କରିବା ନିର୍ଦ୍ଦେଶ ଦେଇଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ତେବେ ଶୁକ୍ରବାର ସ୍ପାଇସଜେଟ୍ ଉପରୁ କଟକଣା ହଟାଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଡିଜିସିଏ)। ସ୍ପାଇସଜେଟ୍ ଉପରୁ କଟକଣା ହଟିବା ପରେ ଆସନ୍ତା ଅକ୍ଟୋବର ୩୦ରୁ କମ୍ପାନୀର ସମସ୍ତ ବିମାନ ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ । ଗତ ଜୁଲାଇ ମାସ ଠାରୁ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସ୍ପାଇସଜେଟ୍ ଏୟାର ଲାଇନ୍ସ ଉପରେ କଟକଣା ଲାଗୁ କରାଯାଇଥିଲା । ଯାତ୍ରୀଙ୍କ ସୁରକ୍ଷାରେ ବାରମ୍ବାର ତ୍ରୁଟି ଏବଂ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ୍ରେ ବାରମ୍ବାର ବିଚ୍ୟୁତି କାରଣରୁ ଏଭଳି କାର‌୍ୟ୍ୟାନୁଷ୍ଠାନ ନିଆଯାଇଥିଲା ।ସ୍ପାଇସଜେଟ୍ ଏୟାରଲାଇନ୍ସ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିବା ସହ ୫୦ ପ୍ରତିଶତ କ୍ଷମତାରେ ଯାତ୍ରୀ ପରିବହନ କରିବାକୁ ଅନୁମତି ମିଳିଥିଲା । ସେପ୍ଟେମ୍ବର ୩୧ ଯାଏଁ ଏହି ଗାଇଡଲାଇନ୍ ଅନୁଯାୟୀ ବିମାନ ଚଳାଚଳ କରିବାକୁ ନୋଟିସରେ ଉଲ୍ଲେଖ ରହିଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଅବଧିକୁ ଅକ୍ଟୋବର ୨୯ ଯାଏଁ ବୃଦ୍ଧି କରିଥିଲା ବିମାନ ଚଳାଚଳ ମନ୍ତ୍ରାଳୟ।

Share

Leave a Reply

Your email address will not be published. Required fields are marked *

four + 20 =