ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ବଡ଼ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଆଶାୟୀଙ୍କଠାରୁ ୬.୬ କୋଟି ଟଙ୍କା ଠକେଇ କରିଥିବା ମାଷ୍ଟରମାଇଣ୍ଡଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିହାର ଗୋପାଳଗଞ୍ଜ ଜିଲାର ଧରମପାଲ ସିଂ। ଗିରଫ ପରେ ଇଓଡବ୍ଲ୍ୟୁ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରି ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣୁଛି। ତେବେ ଏହି ଠକେଇ ରାକେଟ୍‌ ଦିଲ୍ଲୀରୁ ଅପରେଟ୍‌ ହେଉଥିବାବେଳେ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଇଓଡବ୍ଲ୍ୟୁ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଅଭିଯୁକ୍ତ ଧରମପାଲ ଉକ୍ତ ଠକେଇ ଟଙ୍କାକୁ ୬ଟି କମ୍ପାନୀରେ ବିନିଯୋଗ କରିବା ସହ ମୁମ୍ବାଇର ଏକ ଚଳଚ୍ଚିତ୍ର ପ୍ରଡକ୍ସନ କମ୍ପାନୀ ସୁମିତ୍ରା ପ୍ରଡକ୍ସନରେ ମଧ୍ୟ ଲଗାଇଥିବା ତଦନ୍ତବେଳେ ଜଣାପଡ଼ିଛି ବୋଲି ଆଇଜି ସୂଚନା ଦେଇଛନ୍ତି।
ତାଙ୍କ ସୂଚନାନୁସାରେ, ଅଭିଯୁକ୍ତ ଧରମପାଲ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଏକ ନକଲି ସରକାରୀ ୱେବ୍‌ସାଇଟ୍‌ www.grks.org ଖୋଲିଥିଲେ। ଦିଲ୍ଲୀରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ଥିବାବେଳେ ମୁମ୍ବାଇ, ଭୋପାଳ ଓ ଡେରାଡୁନ୍‌ରେ ମଧ୍ୟ ଶାଖା ଖୋଲିଥିଲେ। ଧରମପାଲ ଏହି ସଂସ୍ଥାନର ସମ୍ପାଦକ ରହିଥିବାବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, ତେଲଙ୍ଗାନା, ଆସାମ, ହିମାଚଳପ୍ରଦେଶ, ପଞ୍ଜାବ ଆଦି ୧୭ଟି ରାଜ୍ୟରେ ନିଜର ନେଟ୍‌ଓ୍ବର୍କ ତିଆରି କରିଥିଲେ। ପରେ ଉକ୍ତ ୱେବ୍‌ସାଇଟ୍‌ରେ ସରକାରୀ ବିଜ୍ଞାପନ ଢାଞ୍ଚାରେ ବିଜ୍ଞାପନ ଦେଇ ବେକାର ଯୁବତୀଯୁବକ ଓ ଚାକିରି ଆଶାୟୀଙ୍କୁ ଫସାଇବାକୁ ଜାଲ ବିଛାଇଥିଲେ। ଏପରି କି ବିଶ୍ୱାସ ଜନ୍ମାଇବା ଲାଗି କିଛି ଖବରକାଗଜ ଜରିଆରେ ବିଜ୍ଞାପନ ଦେଉଥିଲେ। ଏଥିରେ ଜିଲା ଓ ବ୍ଲକ୍‌ କୋଅର୍ଡିନେଟର, କମ୍ପ୍ୟୁଟର ଅପରେଟର ଆଦି ବହୁ ପଦବୀ ପାଇଁ ନିଯୁକ୍ତି ବାହାର କରୁଥିଲେ। ୱେବ୍‌ସାଇଟ ମାଧ୍ୟମରେ ଆଶାୟୀମାନେ କେବଳ ଆବେଦନ କରିପାରିବେ ବୋଲି ସେଥିରେ ଉଲ୍ଲେଖ ଥିଲା। ଅନ୍‌ଲାଇନ୍‌ ଫି’ ବାବଦକୁ ଜେନେରାଲ ଏବଂ ଓବିସି ବର୍ଗ ପାଇଁ ୩୭୦ ଟଙ୍କା ଥିବାବେଳେ ଜନଜାତି ପିଲାଙ୍କ ଲାଗି ୧୭୦ ଟଙ୍କା ରହିଥିଲା। ଯେଉଁ ଆଶାୟୀମାନେ ଅନ୍‌ଲାଇନରେ ଫି’ ଦାଖଲ ସହ ଆବେଦନ କରୁଥିଲେ ସେମାନଙ୍କୁ ଅନ୍‌ଲାଇନ ଜରିଆରେ ପରୀକ୍ଷା ଓ ସାକ୍ଷାତ୍‌କାର ନେବାକୁ ଅଭିଯୁକ୍ତମାନେ କହୁଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଆଶାୟୀଙ୍କୁ ଅଯୋଗ୍ୟ କହି କାଟିଦେବା ସହ କୌଣସି ଚାକିରି ଦେଉ ନ ଥିଲେ। ତେବେ ଆବେଦନ ଫି’ ବାବଦକୁ ଏପରି ଭାବେ ସେ ବହୁ କୋଟି ଟଙ୍କା ଠକି ନେଉଥିଲେ।

Share

Leave a Reply

Your email address will not be published. Required fields are marked *

one × 3 =