ଭେକ୍ଟର ବାହିତ ରୋଗ ଆଲୋଚନା, ଯୋଗଦେବେ ୫୦୦ ବିଶେଷଜ୍ଞ

ଭୁବନେଶ୍ବର () ଆସନ୍ତା ୯ ତାରିଖରୁ ତିନି ଦିନ ଧରି ରାଜଧାନୀରେ ଅନୁଷ୍ଠିତ ହେବ ଆର୍ନ୍ତଜାତୀୟ ଭେକ୍ଟର ଓ ଭେକ୍ଟର ବାହିତ ରୋଗ ଉପରେ ଆର୍ନ୍ତଜାତୀୟ ସମ୍ମିଳନୀ । ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୫୦୦ ବିଶେଷଜ୍ଞ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଭେଷଣ ଗବେଷଣା ସଂସ୍ଥା (ଆସିଏମ୍‍ଆର) ପକ୍ଷରୁ ଏଠାରେ ଥିବା ଆରଏମ୍‍ଆରସି ଓ ନେସନାଲ ଏକାଡେମୀ ଫର୍‍ ଭେକ୍ଟର ବର୍ଣ୍ଣ ଡିଜିଜ୍‍ (ଏନ୍‍ଏଭିବିଡି) ପକ୍ଷରୁ ମିଳିତ ଭାବେ ଏହି ୧୪ତମ ଆର୍ନ୍ତଜାତୀୟ ସମ୍ମିଳନୀ ଅୟୋଜନ ହୋଇଛି । ଜାତୀୟ ଆୟୋଜନ କମିଟି ସଭାପତି ପ୍ରଫେସର ଏ.ପି.ଦାସ, ଉପସଭାପତି ଡାକ୍ତର ନୀନା ଭାଲେଚା, ସ୍ଥାନୀୟ ଆୟୋଜନ କମିଟିର  ଅଧ୍ୟକ୍ଷ ଡାକ୍ତର ସଂଘମିତ୍ରା ପତି ମିଳିତ ଭାବେ ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି ‘ଭେକ୍ଟର ବାହିତ ରୋଗ : ଉତ୍ସରୁ ନିରାକରଣ’, ଯାହାକି ଆଗାମୀ ଦିନରେ ବିଭିନ୍ନ ପ୍ରକାର ରୋଗ, ଔଷଧର ରୋଗପ୍ରତିରୋଧତା ଏବଂ ନୂତନ ଔଷଧ ଉଦ୍ଭାବନ, ଆଧୁନିିକ ଜୀବବିଜ୍ଞାନ, ଜେନୋମିକ୍ସ, ପ୍ରୋଟିଓମିକ୍ସ, ଜେନିଟିକ୍ସ ଏବଂ ରୋଗ ପ୍ରତିରୋଧଶକ୍ତି କ୍ଷେତ୍ରରେ ସହାୟକ ହେବ । ଏଥି ସହିତ ଭେକ୍ଟର ବାହିତ ରୋଗ, ଏହାର ପରିଚାଳନା, ନିରାକରଣ ଆଦି ଉପରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହେବ । ଭେକ୍ଟର ବାହିତ ବିଭିନ୍ନ ରୋଗ କେବଳ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେନାହିଁ, ଏହା କିଭଳି ଆମର ଆର୍ଥିକ ଓ ସାମାଜିକ କ୍ଷେତ୍ର ଉପରେ ଗୁରୁତର ପ୍ରଭାବ ପକାଇଥାଏ ତାହା ମଧ୍ୟ ଏହି ଆର୍ନ୍ତଜାତୀୟ ସମ୍ମିଳନୀରେ ସ୍ଥାନ ପାଇବ । କେତେକ ରୋଗ ଅଛି ଯାହାର କି ଚିକିତ୍ସା ସମ୍ଭବ ନୁହେଁ ଏବଂ ଆଉ କିଛି ରୋଗ ଅଛି ଯାହା ରୋଗୀକୁ ବିକୃତ ଏବଂ ବିକଳାଙ୍ଗ କରିଥାଏ । ଏମାନେ ବିଭିନ୍ନ ସଂକ୍ରାମକ ରୋଗର ପ୍ରାୟ ୧୭ ପ୍ରତିଶତ ହୋଇଥାନ୍ତି । ତେଣୁ ଏହି ସମ୍ମିଳନୀରେ ସମସ୍ତ ପ୍ରକାର ଭେକ୍ଟର ବାହିତ ରୋଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।

ଏହି ସମ୍ମିଳନୀ ଛାତ୍ର, ଶିକ୍ଷକ ବୈଜ୍ଞାନିକ, ପେଶାଦାର, ଔଷଧ ଶିଳ୍ପ ପାଇଁ ଏକ ପ୍ଲାଟଫର୍ମ ହେବ । ଭେକ୍ଟର ବାହିତ ରୋଗ ବିରୁଦ୍ଧରେ ଏମାନେ ମିଳିତ ଭାବେ କାର୍ଯ୍ୟ କରିପାରିବେ । ଏହି ସମ୍ମିଳନୀରେ ଗବେଷକମାନଙ୍କୁ ୬ଟି ବର୍ଗରେ ଆର୍ନ୍ତଜାତୀୟ ପୁରସ୍କାର ପ୍ରଦାନ କରିଯିବ । ଏଥି ମଧ୍ୟରେ ନେସ୍‍ନାଲ ଏକାଡେମୀ ଅଫ୍‍ ଭେକ୍ଟର ବର୍ଣ୍ଣ ଡିଜିଜ୍‍ ପୁରସ୍କାର, ଭେକ୍ଟର ନିୟନ୍ତ୍ରଣ ପାଇଁ ଭେଷ୍ଟରଗାର୍ଡ ଫ୍ରାଣ୍ଡସେନ୍‍ ପୁରସ୍କାର, ବାୟର ପରିବେଶ ବିଜ୍ଞାନ ପୁରସ୍କାର, ଶ୍ରୀ ଭିଭ୍‍କେ ସିଂଘଲ ବାୟୋଟେକ୍ନୋଲୋଜି ପୁରସ୍କାର, ନନ୍ଦ ଲାଲ କଲରା ଏବଂ ଡକ୍ଟର ହର ଗୋପାଲ ଶର୍ମା ପୁରସ୍କାର ଆଦି ରହିଛି ।

Share

Leave a Reply

Your email address will not be published. Required fields are marked *

19 + four =