Business

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ନୂତନ ଡିଟିଆର୍ ପ୍ରକଳ୍ପ ସହ ବଲାଙ୍ଗିର ଜିଲ୍ଲାର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଗଲା, ୧୧ ହଜାର ଉପଭୋକ୍ତା ହେବେ ଉପକୃତ

ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବଲାଙ୍ଗିର ଜିଲ୍ଲାରେ ୨୮ଟି ନୂତନ ଡିଟିଆର୍ (ବିତରଣ ଟ୍ରାନ୍ସଫର୍ମର୍) ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଅଛି । ପ୍ରାୟ ୪.୧୫ କୋଟି ଟଙ୍କାରୁ ଅଧିକ ବିନିଯୋଗରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୬,୮୦୦ କେଭିଏ ଅତିରିକ୍ତ ଟ୍ରାନ୍ସଫର୍ମେସନ୍ କ୍ଷମତା ଯୋଡ଼ାଯାଇଛି । ଏହା ଫଳରେ ଜିଲ୍ଲାର ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପ୍ରାୟ ୧୧,୦୦୦ ଉପଭୋକ୍ତାଙ୍କୁ ଉନ୍ନତମାନର ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ମିଳିପାରିବ ।

୨୫ କେଭିଏରୁ ୫୦୦ କେଭିଏ କ୍ଷମତା ବିଶିଷ୍ଟ ଏହି ନୂତନ ଟ୍ରାନ୍ସଫର୍ମରଗୁଡ଼ିକୁ ସିଆଇଡି ଅଫିସ୍, ଡମ୍ପିଂ ୟାର୍ଡ, ତାଲପାଲିପଡ଼ା, ଜୁନାଡିହି, ରାଜୀବନଗର, ରୁଗୁଡିପଡ଼ା, ରାମପୁର, ସାହାରାପଡ଼ା, ସୋନପୁର ରୋଡ୍, ଜାମୁନାପାଲି, ମହୁଲପାଟି, ପାଲସାପଡ଼ା, ଡାଙ୍ଗିଆ, ଜାମକି, ଲକ୍ଷ୍ମୀନଗର, ଫୁଗୁଡ଼ା, ପୁଞ୍ଜିପଥର, ସାନବାଙ୍କି, ଗୈନ୍ତଲା, ବିବିଏମ୍ଏଚ୍ ଛକ, ସୂର୍ଯ୍ୟନଗର, ତୁଳସୀନଗର, ସାଲେପାଲି, ଚିଲଡ୍ରେନ୍ସ ପାର୍କ, ଇନ୍ଦ୍ରନଗର, ବରପାଲିପଡ଼ା ଆଦି ଅଞ୍ଚଳରେ ସ୍ଥାପନ କରାଯାଇଛି । ବଢ଼ୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କରିବା, ନିମ୍ନ ଭୋଲଟେଜ୍ ସମସ୍ୟାର ସମାଧାନ ଏବଂ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଅଧିକ ସକ୍ଷମ ଓ ସ୍ଥିର କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି ।

ଏହି ଉପଲବ୍ଧି ସମ୍ପର୍କରେ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ଯେ, “ଉପଭୋକ୍ତାଙ୍କ ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିପାରୁଥିବା ଏକ ଭବିଷ୍ୟତମୁଖୀ ଓ ସଶକ୍ତ ବିଦ୍ୟୁତ ବିତରଣ ବ୍ୟବସ୍ଥା ଗଢ଼ି ତୋଳିବା ହେଉଛି ଟିପିଡବ୍ଲୁଓଡିଏଲ୍‌ର ପ୍ରମୁଖ ଲକ୍ଷ୍ୟ । ଏହି ବିତରଣ ଟ୍ରାନ୍ସଫର୍ମର ପ୍ରକଳ୍ପଗୁଡ଼ିକ ଆମର ନିର୍ଭରଯୋଗ୍ୟ ବିଦ୍ୟୁତ ସେବା, ଉନ୍ନତ ଭୋଲଟେଜ୍ ଗୁଣବତ୍ତା ଏବଂ ଉତ୍କୃଷ୍ଟ ଉପଭୋକ୍ତା ଅନୁଭୂତି ପ୍ରଦାନ ପ୍ରତି ଥିବା ପ୍ରତିବଦ୍ଧତାର ପ୍ରତିଫଳନ । ପଶ୍ଚିମ ଓଡ଼ିଶାରେ ସୁରକ୍ଷିତ, ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଆମେ ଆଗାମୀ ଦିନରେ ମଧ୍ୟ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣରେ ନିରନ୍ତର ବିନିଯୋଗ କରିବୁ ।”

ଏହି ଅଞ୍ଚଳଗୁଡ଼ିକରେ ବର୍ଦ୍ଧିତ ଘରୋଇ ଓ ବାଣିଜ୍ୟିକ ବିଦ୍ୟୁତ ବ୍ୟବହାର ଯୋଗୁଁ ଭୋଲଟେଜ୍ ସମସ୍ୟା ଏବଂ ଅଧିକ ଲୋଡ୍ ଦେଖାଦେଉଥିଲା । ନୂତନ ଡିଟିଆର୍ ସ୍ଥାପନ ପରେ ଭୋଲଟେଜ୍ ସ୍ଥିରତା ବୃଦ୍ଧି ପାଇବା ସହ ବିଦ୍ୟୁତ ଯୋଗାଣର ନିର୍ଭରଯୋଗ୍ୟତା ଓ ସେବାର ଗୁଣବତ୍ତା ଆହୁରି ସୁଦୃଢ଼ ହେବ। ଏହା ଫଳରେ ଘରୋଇ ଉପଭୋକ୍ତା, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବଜାର ଓ ବିଭିନ୍ନ ସରକାରୀ ସଂସ୍ଥାଗୁଡ଼ିକ ବିଶେଷକରି ଅଧିକ ବିଦ୍ୟୁତ ଚାହିଦା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇପାରିବେ ।
ଏହି ପଦକ୍ଷେପ ମାଧ୍ୟମରେ ଖପ୍ରାଖୋଲ, ତୁରେକେଲା ଓ ବେଲପଡ଼ା ବ୍ଲକର ଦୁର୍ଗମ ଓ ସେବାବଞ୍ଚିତ ଅଞ୍ଚଳଗୁଡ଼ିକରେ ମଧ୍ୟ ବିଦ୍ୟୁତ ଭିତ୍ତିଭୂମିର ବିସ୍ତାର କରାଯାଇଛି । ଏହା ଦ୍ୱାରା ଗ୍ରାମାଞ୍ଚଳରେ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଉପଲବ୍ଧ ହେବା ସହ ସାମାଜିକ-ଆର୍ଥିକ ବିକାଶ ଓ ଜନଜୀବନର ମାନ ଉନ୍ନତ ହେବ ।

ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ବ୍ୟବସ୍ଥାର ଆଧୁନିକୀକରଣ ଓ ସୁଦୃଢ଼ୀକରଣ ପାଇଁ ଟିପିଡବ୍ଲୁଓଡିଏଲ୍ ନିରନ୍ତର ବିନିଯୋଗ କରିଆସୁଛି । କୌଶଳଗତ ଭାବେ ଭିତ୍ତିଭୂମିର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ଏବଂ ଉପଭୋକ୍ତାକୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ କମ୍ପାନୀ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ସେବା ପ୍ରଦାନ ସହ ପଶ୍ଚିମ ଓଡ଼ିଶାର ଆର୍ଥିକ ବିକାଶ ଓ ଉପଭୋକ୍ତା ସନ୍ତୁଷ୍ଟିକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିବଦ୍ଧ ।

Share

Leave a Reply

Your email address will not be published. Required fields are marked *

12 − six =