Business

ପିଏମ୍ ସୂର୍ଯ୍ୟ ଘର ଯୋଜନା: ୫୦,୦୦୦ ରୁ ଅଧିକ ଘର ଛାତରେ ରୁଫଟପ୍ ସୋଲାର ସ୍ଥାପନ କଲା ଟିପିସିଓଡିଏଲ୍

ଭୁବନେଶ୍ୱର: ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ୫୦,୦୦୦ ରୁ ଅଧିକ ରୁଫଟପ୍ ସୋଲାର (ଆରଟିଏସ) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍) ରାଜ୍ୟର ପ୍ରଥମ ବିଦ୍ୟୁତ ବିତରଣ କମ୍ପାନୀ ଭାବରେ ଓଡ଼ିଶାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହି ସଫଳତା ଏହାର ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ରୁଫଟପ୍ ସୋଲାରର ବୃଦ୍ଧି ପାଉଥିବା ବ୍ୟବହାରକୁ ଦର୍ଶାଉଛି ଏବଂ ଡିଷ୍ଟ୍ରିବ୍ୟୁଟେଡ୍ ରିନ୍ୟୁଏବଲ୍ ଏନର୍ଜି ର ପ୍ରସାର ପାଇଁ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରୁଛି।

ଏହି ମାଇଲଖୁଣ୍ଟ ହାସଲ କରିବାରେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ପ୍ରମୁଖ ଯୋଗଦାନକାରୀ ଭାବରେ ଉଭା ହୋଇଛନ୍ତି। ଖୋର୍ଦ୍ଧାରେ ୧୩,୩୫୮ ଟି ରୁଫଟପ୍ ସୋଲାର ସ୍ଥାପନ ହୋଇଥିବା ବେଳେ କଟକରେ ୧୨,୧୬୫ ଟି ସ୍ଥାପନ ରେକର୍ଡ କରାଯାଇଛି, ଯାହା ମିଶି ଟିପିସିଓଡିଏଲ୍‌ର ସମଗ୍ର ରୁଫଟପ୍ ସୋଲାର ଅଗ୍ରଗତିରେ ଏକ ବଡ଼ ଭୂମିକା ଗ୍ରହଣ କରୁଛନ୍ତି।

ଟିପିସିଓଡିଏଲ୍‌ର ନିରନ୍ତର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଯେପରିକି ‘ମୋ ଛାତ, ମୋ ସଞ୍ଚୟ’ ଅଭିଯାନ, ସୂର୍ଯ୍ୟ ଘର ଗ୍ରାମସଭା ଏବଂ ବିଭିନ୍ନ ଜିଲ୍ଲାରେ ଚାଲିଥିବା ‘ସୋଲାର ରଥ’ ଅଭିଯାନ ଯୋଗୁଁ ଏହି ମାଇଲଖୁଣ୍ଟ ହାସଲ ହୋଇପାରିଛି, ଯାହା ରୁଫଟପ୍ ସୋଲାର ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାରେ ଅଧିକରୁ ଅଧିକ ଭାଗିଦାରୀକୁ ଉତ୍ସାହିତ କରୁଛି।

ସୋଲାର ରଥ ଅଭିଯାନର ଏକ ଅଂଶ ଭାବରେ, ‘ସୋଲାର ସାଙ୍ଗ’ ଉପଭୋକ୍ତା ମାନଙ୍କୁ ରୁଫଟପ୍ ସୋଲାରର ଲାଭ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ମିଳୁଥିବା ଆର୍ଥିକ ସହାୟତା, ଯୋଗ୍ୟତା ମାପଦଣ୍ଡ, ଆବେଦନ ପ୍ରକ୍ରିୟା ଏବଂ ୟୁଏଲ୍‌ଏ ମଡେଲ୍ ଅଧୀନରେ ୧ କିଲୋୱାଟ୍ ରୁଫଟପ୍ ସୋଲାର ଏବଂ ୩ କିଲୋୱାଟ୍ ରୁଫଟପ୍ ସୋଲାର ସିଷ୍ଟମ୍‌ର ସ୍ଥାପନ ପ୍ରକ୍ରିୟା ବିଷୟରେ ଶିକ୍ଷିତ କରୁଛନ୍ତି, ଯାହା ସେମାନଙ୍କୁ ନିଜର ଶକ୍ତି ଆବଶ୍ୟକତା ଅନୁଯାୟୀ ସର୍ବୋତ୍ତମ ବିକଳ୍ପ ବାଛିବାରେ ସାହାଯ୍ୟ କରୁଛି। ଏହିସବୁ କାର୍ଯ୍ୟକ୍ରମ ବ୍ୟତୀତ, ଅଧିକ ଉପଭୋକ୍ତାଙ୍କୁ ରୁଫଟପ୍ ସୋଲାର ସିଷ୍ଟମ୍ ଆପଣାଇବା ପାଇଁ ଉତ୍ସାହିତ କରିବାକୁ ଟିପିସିଓଡିଏଲ୍ ଅନେକ ସଚେତନତା ଓ ଆଉଟରିଚ୍ ପ୍ରୋଗ୍ରାମ କାର୍ଯ୍ୟକାରୀ କରୁଛି।

ଏହି ସଫଳତା ସମ୍ପର୍କରେ ପ୍ରକାଶ କରି ଟିପିସିଓଡିଏଲ୍‌ର ସିଇଓ ଗଜାନନ ଏସ. କାଲେ କହିଛନ୍ତି ଯେ, “ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ୫୦,୦୦୦ ରୁ ଅଧିକ ରୁଫଟପ୍ ସୋଲାର ସ୍ଥାପନର ମାଇଲଖୁଣ୍ଟ ଅତିକ୍ରମ କରିବା ଟିପିସିଓଡିଏଲ୍ ଏବଂ ଓଡ଼ିଶାର ସ୍ୱଚ୍ଛ ଶକ୍ତି ମିଶନ ପାଇଁ ଏକ ଗୌରବପୂର୍ଣ୍ଣ ସଫଳତା। ଏହା ଆମ ଉପଭୋକ୍ତା ମାନଙ୍କ ଆସ୍ଥା ଏବଂ ଆମର କର୍ମଚାରୀ, ବିଜନେସ ଆସୋସିଏଟ୍, ରାଜ୍ୟ ପ୍ରଶାସନ ଓ ଅନ୍ୟାନ୍ୟ ସମସ୍ତ ଅଂଶୀଦାରମାନଙ୍କର ମିଳିତ ପ୍ରଚେଷ୍ଟାକୁ ଦର୍ଶାଉଛି। ଆମେ ରୁଫଟପ୍ ସୋଲାର ବ୍ୟବହାରକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଓଡ଼ିଶାର ଏକ ସବୁଜିମାପୂର୍ଣ୍ଣ ଓ ଶକ୍ତି-ସୁରକ୍ଷିତ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ସହାୟତା କରିବା ପାଇଁ ପ୍ରତିବଦ୍ଧ ଅଛୁ।”

ନିରନ୍ତର ଉପଭୋକ୍ତା ସହଭାଗିତା, ସରଳୀକୃତ କାର୍ଯ୍ୟକାରିତା ଏବଂ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ଦୃଢ଼ ସହଯୋଗ ସହିତ, ଟିପିସିଓଡିଏଲ୍ ଓଡ଼ିଶାକୁ ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ଶକ୍ତି ଆଡ଼କୁ ଅଗ୍ରସର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

Share

Leave a Reply

Your email address will not be published. Required fields are marked *

19 − 13 =