Business

କଟକ ଜିଲ୍ଲାରେ ପିଏମ ସୂର୍ଯ୍ୟ ଘର ଯୋଜନା ମାଧ୍ୟମରେ ସୌର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରୁଛି ଟିପିସିଓଡିଏଲ

୧୪ ମଇ, ୨୦୨୬: ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା – ୟୁଏଲ୍ଏ ମଡେଲ ଅଧୀନରେ କଟକ ଜିଲ୍ଲାରେ ସୌର ଶକ୍ତି ବ୍ୟବହାର ସମ୍ପର୍କରେ ଜନସଚେତନତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ଏହି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସ୍ଥାପନକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛି, ଯାହା ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ସ୍ୱଚ୍ଛ ଶକ୍ତି ସମାଧାନକୁ ଅଧିକ ସହଜ, ସରଳ, ସୁଲଭ ଏବଂ ସୁବିଧାଜନକ କରିପାରିଛି।

ଏହି ପ୍ରସାର ଅଭିଯାନର ଅଂଶସ୍ୱରୂପ, ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସ୍ଥାପନର ସୁଫଳ ବିଷୟରେ ଉପଭୋକ୍ତା ମାନଙ୍କୁ ଶିକ୍ଷିତ କରିବା ପାଇଁ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମ ସ୍ତରୀୟ ସଚେତନତା ସଭା ମାନ ଆୟୋଜନ କରାଯାଉଛି। ନିକଟରେ ନିଶ୍ଚିନ୍ତକୋଇଲି ଫଗୋଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପିଏମ ସୂର୍ଯ୍ୟ ଘର ଯୋଜନା ଅଧୀନରେ ରୁଫଟପ୍ ସୋଲାର ପ୍ୟାନେଲ ସ୍ଥାପନ କରିବାର ସରଳ ପ୍ରକ୍ରିୟା ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା। ଶତାଧିକ ଗ୍ରାମବାସୀ ଏହି ସଚେତନତା କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ଏବଂ ନିଜ ଘର ପାଇଁ ସୌର ଶକ୍ତି ସମାଧାନ ଆପଣେଇବାକୁ ପ୍ରବଳ ଆଗ୍ରହ ପ୍ରକାଶ କରିଥିଲେ।

ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଟିପିସିଓଡିଏଲର ସିଇଓ ଅରଭିନ୍ଦ ସିଂ କହିଛନ୍ତି ଯେ, “ଟିପିସିଓଡିଏଲ ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ଶକ୍ତି ସମାଧାନର ସଂକଳ୍ପକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଏବଂ ଉପଭୋକ୍ତା ମାନଙ୍କ ସହ ଆଲୋଚନା ମାଧ୍ୟମରେ ଆମେ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସିଷ୍ଟମ ଆପଣେଇବାକୁ ପରିବାରଗୁଡ଼ିକୁ ଉତ୍ସାହିତ କରୁଛୁ। ଏହି ପଦକ୍ଷେପ କେବଳ ଉପଭୋକ୍ତା ମାନଙ୍କୁ ସେମାନଙ୍କର ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ ନାହିଁ, ବରଂ ଏକ ସବୁଜ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ଦିଗରେ ମଧ୍ୟ ଅବଦାନ ରଖିବ।”

ଟିପିସିଓଡିଏଲ ଅଧିନସ୍ଥ କଟକ ଇଲେକ୍ଟ୍ରିକ ସର୍କଲରେ ୨୦୨୫ ଏବଂ ୨୦୨୬ ମସିହା ମଧ୍ୟରେ ପିଏମ ସୂର୍ଯ୍ୟ ଘର ଅଭିଯାନ ଅଧୀନରେ ସୋଲାର ସ୍ଥାପନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଜାନୁଆରୀ ୨୦୨୫ରେ ମାତ୍ର ୪୬ଟି ସୋଲାର ସ୍ଥାପନରୁ ଆରମ୍ଭ ହୋଇଥିବା ଏହି ସଂଖ୍ୟା ସାରା ବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧି ପାଇ ଡିସେମ୍ବର ୨୦୨୫ ସୁଦ୍ଧା ୩୬୯ରେ ପହଞ୍ଚିଥିଲା। ୨୦୨୬ ମସିହାରେ ଏହି ଗତି ଆହୁରି ତ୍ୱରାନ୍ୱିତ ହୋଇଥିଲା, ଯେଉଁଠାରେ ଜାନୁଆରୀରେ ସୋଲାର ସ୍ଥାପନ ସଂଖ୍ୟା ୪୫୫କୁ ବୃଦ୍ଧି ପାଇଥିଲା ଏବଂ ମାର୍ଚ୍ଚ ୨୦୨୬ରେ ଏହା ସର୍ବାଧିକ ୧,୩୮୪ରେ ପହଞ୍ଚିଥିଲା। ବର୍ତ୍ତମାନ ସୁଦ୍ଧା ସମୁଦାୟ ୬,୩୬୪ଟି ସୋଲାର ସ୍ଥାପନ କରାଯାଇଛି, ଯାହା କଟକ ଇଲେକ୍ଟ୍ରିକ ସର୍କଲ ଅଞ୍ଚଳରେ ରୁଫଟପ୍ ସୋଲାର ସିଷ୍ଟମ ପ୍ରତି ଉପଭୋକ୍ତାଙ୍କ ବଢୁଥିବା ଆଗ୍ରହ ଏବଂ ଗ୍ରହଣୀୟତାକୁ ଦର୍ଶାଉଛି।

ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ର ୟୁଏଲଏ ମଡେଲ ଅଧୀନରେ, ଉପଭୋକ୍ତା ମାନେ ମାତ୍ର ୧,୮୭୫ ଟଙ୍କା ଦେଇ ୧ କିଲୋୱାଟର ରୁଫଟପ୍ ସୋଲାର ସିଷ୍ଟମ ପାଇପାରିବେ। ଏହି ରୁଫଟପ୍ ସୋଲାର ସିଷ୍ଟମ ୨୫ ବର୍ଷର ୱାରେଣ୍ଟି ସହିତ ଆସୁଥିବା ବେଳେ ଡିସକମ୍ ପକ୍ଷରୁ କୌଣସି ଅତିରିକ୍ତ ଖର୍ଚ୍ଚ ବିନା ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ସେବା ଯୋଗାଇ ଦିଆଯିବ, ଯାହା ଉପଭୋକ୍ତାଙ୍କ ପାଇଁ ନିର୍ଭରଯୋଗ୍ୟ ଏବଂ ଅସୁବିଧାମୁକ୍ତ ସେବା ନିଶ୍ଚିତ କରୁଛି।

ଏଭଳି ସଚେତନତା ପଦକ୍ଷେପ ମାଧ୍ୟମରେ ଟିପିସିଓଡିଏଲ ଦୀର୍ଘସ୍ଥାୟୀ ଶକ୍ତି ବ୍ୟବହାର ଏବଂ ଗ୍ରାମୀଣ ଉପଭୋକ୍ତାଙ୍କୁ ସ୍ୱଚ୍ଛ, ସବୁଜ ଏବଂ ସୁଲଭ ବିଦ୍ୟୁତ ସମାଧାନ ସହିତ ସଶକ୍ତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

two × one =